28.1 C
Bhubaneswar
Tuesday, June 28, 2022
Homeଦେଶ ବିଦେଶମହାରାଷ୍ଟ୍ର ରାଜନୈତିକ ସଙ୍କଟ ଅପରିବର୍ତ୍ତିତ: ବିଜେପିର ଆତିଥ୍ୟକୁ ମମତାଙ୍କ ସମାଲୋଚନା

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଅପରିବର୍ତ୍ତିତ: ବିଜେପିର ଆତିଥ୍ୟକୁ ମମତାଙ୍କ ସମାଲୋଚନା

ଗୁଆହାଟୀ: ଶିବସେନା ଶିବିରରେ ଦେଖାଦେଇଥିବା ବିଦ୍ରୋହ ଦିନକୁ ଦିନ ଜଟିଳ ରୂପ ଧାରଣ କରୁଛି । ଗୋଟିଏପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଅସନ୍ତୁଷ୍ଟ ବିଧାୟକଙ୍କୁ ତୁରନ୍ତ ଫେରିଆସିବାକୁ ଅନୁରୋଧ କରିଥିବାବେଳେ ଅନ୍ୟପଟରେ ଆସାମର ଗୁଆହାଟୀରେ ଡେରା ପକାଇଥିବା ଏହି ବିଦ୍ରୋହୀ ଗୋଷ୍ଠୀ କ୍ରମଶଃ ବଳୀୟାନ ହେବାରେ ଲାଗିଛି । ବିଦ୍ରୋହର ନେତୃତ୍ୱ ନେଇଥିବା କ୍ୟାବିନେଟ ମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଧେଙ୍କ ପଛରେ ଏତେଟା ସମର୍ଥ ନାହିଁ ବୋଲି ଶିବସେନା ମୁଖପାତ୍ର ଦାବି କରୁଛନ୍ତି । ଏହାର ଜବାବରେ ଗୁରୁବାର ସିନ୍ଧେ ତାଙ୍କ ସହ ଗୁଆହାଟୀରେ ଅବସ୍ଥାନ କରୁଥିବା ୪୨ ଜଣ ବିଦ୍ରୋହୀ ବିଧାୟକଙ୍କ ଏକ ଭିଡିଓ ଜାରି କରିଛନ୍ତି । ଏମାନଙ୍କ ମଧ୍ୟରେ ଶିବସେନାର ୩୫ ଓ ୭ ସ୍ୱାଧୀନ ବିଧାୟକ ରହିଛନ୍ତି ।

ଏହି ବିଧାୟକମାନେ ‘ଶିବସେନା ଜିନ୍ଦାବାଦ’ ଓ ‘ବାଲାସାହେବ କି ଜୟ’ ଧ୍ୱନି ଦେଉଥିବା ଭିଡିଓରୁ ଲକ୍ଷ୍ୟ କରାଯାଇଛି । ଶୁକ୍ରବାର ସୁଦ୍ଧା ଆଉ ୬ ବିଧାୟକ ସେମାନଙ୍କ ଶିବିରରେ ଯୋଗଦେବେ ବୋଲି ସିନ୍ଧେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଦ୍ରୋହୀ ବିଧାୟକଙ୍କୁ ବାଦଦେଲେ ବର୍ତ୍ତମାନ ଉଦ୍ଧବଙ୍କ ଶିବିରରେ ମାତ୍ର ୧୬ ଜଣ ଶିବସେନା ବିଧାୟକ ରହିଛନ୍ତି । ଅପରପକ୍ଷରେ ଶିବସେନା ପକ୍ଷରୁ ବିଦ୍ରୋହୀ ବିଧାୟକଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି । ମୁମ୍ବାଇ ଫେରିବାପରେ ଏମ୍‌ଭିଏ (ମହା ବିକାଶ ଆଘାଡି) ମେଣ୍ଟରୁ ଓହରିବା କଥା ବିଚାର କରାଯିବ ବୋଲି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଏହି ପ୍ରସ୍ତାବ ଦେଇଛନ୍ତି । ସୂଚନାଯୋଗ୍ୟ କଂଗ୍ରେସ ଓ ଏନ୍‌ସିପି ହାତ ଛାଡି ବିଜେପି ସହ ମେଣ୍ଟ କରିବାକୁୁ ବିଦ୍ରୋହୀ ଗୋଷ୍ଠୀ ଶିବସେନା କର୍ତ୍ତୃପକ୍ଷଙ୍କ ନିକଟରେ ସର୍ତ୍ତ ଉପସ୍ଥାପନ କରିସାରିଛନ୍ତି ।

ଇତିମଧ୍ୟରେ କୈଳାସ ପାଟିଲ ଓ ନୀତିନ ଦେଶମୁଖ ନାମକ ଦୁଇଜଣ ବିଧାୟକ ଗୁରୁବାର ଗୁଆହାଟୀରୁ ଆସି ମୁମ୍ବାଇରେ ପହଞ୍ଚିଥିବା ରାଉତ୍ ସୂଚନା ଦେଇଛନ୍ତି । ବିଜେପି ଜାଲରେ ନପଡିବାକୁ ସିନ୍ଧେଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି । ଅପରପକ୍ଷରେ ମେଣ୍ଟ ସରକାର ଓ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରିତ୍ୱକୁ ସମର୍ଥନ କରାଯିବ ବୋଲି ଏନ୍‌ସିପି ନେତା ଜୟନ୍ତ ପାଟିଲ ସ୍ପଷ୍ଟ କରିଛନ୍ତି । ସରକାର ଥିବା ପର୍ଯ୍ୟନ୍ତ ସେମାନେ ଉଦ୍ଧବଙ୍କ ସାଙ୍ଗରେ ରହିବେ ବୋଲି ସେ କହିଛନ୍ତି । ବିଧାନସଭାରେ ଆସ୍ଥାଭୋଟ୍‌ର ସମ୍ମୁଖୀନ ହେବାକୁ ସେମାନେ ପ୍ରସ୍ତୁତ ବୋଲି ମେଣ୍ଟର ଅନ୍ୟତମ ଅଂଶୀଦାର ଦଳ କଂଗ୍ରେସର ମହାରାଷ୍ଟ୍ର ଶାଖା ସଭାପତି ନାନା ପାଟୋଲେ କହିଛନ୍ତି । ଯଦି କଂଗ୍ରେସ ଓ ଏନ୍‌ସିପିକୁ ବାଦଦେଇ ଶିବସେନା ଅନ୍ୟ କୌଣସି ଦଳ ସହ ମେଣ୍ଟ କରେ, ତେବେ କଂଗ୍ରେସ ଏହାକୁ ବିରୋଧ କରିବ ନାହିଁ ବୋଲି ସେ କହିଛନ୍ତି ।

ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ କଂଗ୍ରେସ ଶିବସେନାକୁ ଶହେ ପ୍ରତିଶତ ସମର୍ଥନ କରିବ ବୋଲି ସେ କହିଛନ୍ତି । ପାଟୋଲେଙ୍କ ମନ୍ତବ୍ୟକୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ । ସେ କହିଛନ୍ତି ଯେ ଉଦ୍ଧବଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର ମହାରାଷ୍ଟ୍ରରେ ଅନେକ ବିକାଶମୂଳକ କାର୍ଯ୍ୟ କରୁଥିବାରୁ କଂଗ୍ରେସ କୌଣସି ପରିସ୍ଥିତିରେ ମେଣ୍ଟରୁ ଓହରିବ ନାହିଁ । ଆସାମରେ ବିଦ୍ରୋହୀ ବିଧାୟକଙ୍କୁ ଆତିଥ୍ୟ ପ୍ରଦାନ କରାଯାଇଥିବାରୁ ତୃଣମୂଳ କଗ୍ରେସ (ଟିଏମ୍‌ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିଛନ୍ତି ।

ଆସାମରେ ବର୍ତ୍ତମାନ ବନ୍ୟା ପରିସ୍ଥିତି ଉତ୍କଟ ରୂପ ଧାରଣ କରିଥିବାବେଳେ ଏହି ବିଧାୟକଙ୍କୁ ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲରେ କାହିଁକି ରଖାଯାଇଛି ବୋଲି ମମତା ପ୍ରଶ୍ନ କରିଛନ୍ତି । ଯଦି ବିଦ୍ରୋହୀ ବିଧାୟକମାନେ ଆଗ୍ରହ ପ୍ରକାଶ କରନ୍ତି, ତେବେ ସେମାନଙ୍କୁ କୋଲକାତାରେ ଆତିଥ୍ୟ ଦେବାରେ ଟିଏମ୍‌ସି ସରକାର କୁଣ୍ଠାବୋଧ କରିବ ନାହିଁ ବୋଲି ମମତା କହିଛନ୍ତି । ଟିଏମ୍‌ସି ସମର୍ଥକମାନେ ଗୁରୁବାର ଗୁଆହାଟୀର ଏହି ହୋଟେଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ପରିପ୍ରେକ୍ଷୀରେ ମମତା ଏଭଳି ପ୍ରସ୍ତାବ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking