34.1 C
Bhubaneswar
Thursday, April 25, 2024
Homeଓଡିଶାକରୋନାର କରୁଣ ଚିତ୍ର : ପତ୍ନୀଙ୍କ ମୃତ୍ୟୁ ପରେ ଚାଲିଗଲେ ସ୍ବାମୀ, କାନ୍ଧ ଦେବାକୁ ଆସିଲେନି...

କରୋନାର କରୁଣ ଚିତ୍ର : ପତ୍ନୀଙ୍କ ମୃତ୍ୟୁ ପରେ ଚାଲିଗଲେ ସ୍ବାମୀ, କାନ୍ଧ ଦେବାକୁ ଆସିଲେନି ସାହି ଭାଇ

ମାହାଙ୍ଗା: କଟକ କୋଭିଡ୍‌ ହସ୍ପିଟାଲରେ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଶୁଣିବା ପରେ ଟଳି ପଡ଼ିଲେ ସ୍ବାମୀ। ବାପା-ମା’ଙ୍କ ମୃତ୍ୟରେ ମ୍ରିୟମାଣ ହୋଇପଡ଼ିଥିବା ବଡ଼ପୁଅଙ୍କ ଅବସ୍ଥା ମଧ୍ୟ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଲା। ଏହି ଅସମୟରେ ସାହିଭାଇ କିନ୍ତୁ ପରିବାରର ସାହା ହୋଇ ନ ଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାହାଙ୍ଗା ବ୍ଲକ୍‌ ଅନ୍ତର୍ଗତ ନାହାଙ୍ଗ ବାଲିପଡ଼ା ଗ୍ରାମରେ।
ବାଲିପଡ଼ା ଗ୍ରାମର ଜଗନ୍ନାଥ ଦାସଙ୍କ ପତ୍ନୀ କମଳା ଦାସ (୬୨) ଗତ ସପ୍ତାହରେ ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ କରୋନା ସଂକ୍ରମିତ ‌ହୋଇଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ତାଙ୍କ ସ୍ବାମୀ ଜଗନ୍ନାଥ ଦାସ (୬୫)ଙ୍କୁ ପରିବାର ଲୋକ କହି ନ ଥିଲେ। ହେଲେ ଗତକାଲି କମଳାଙ୍କ ମୃତ୍ୟୁ ଘଟିଛି ବୋଲି କେହି ଜଗନ୍ନାଥଙ୍କୁ ଜଣାଇ ଦେଇଥିଲେ।

ସ୍ତ୍ରୀଙ୍କ ବିୟୋଗ ଖବର ଶୁଣିବା ମାତ୍ରେ ‘ଛାତି ଛାତି’ କହି ସେ ଘରେ ଟଳି ପଡ଼ିଥିଲେ। ବାପ ଓ ମା’ଙ୍କର ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନ ଥିଲେ ପୁଅ ଦିଲ୍ଲୀପ। ତାଙ୍କର ହୃଦ୍‌ସ୍ପନ୍ଦନ ଅସ୍ବାଭାବିକ ଭାବେ ବଢ଼ି ଯାଇଥିଲା। ତାଙ୍କୁ ସଂଗେ ସଂଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଅସମୟରେ ସାହିଭାଇ ଜଗନ୍ନାଥଙ୍କ ଶବରେ କାନ୍ଧ ଦେବାକୁ ଆସି ନ ଥିଲେ। ଖବର ପାଇ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ପୂର୍ବତନ ସରପଞ୍ଚ ଭାଗବତ ସେଠୀ, ସମିତି ସଭ୍ୟଙ୍କ ପ୍ରତିନିଧି ଯତୀନଜୟ କୁଅଁର, ଅଜୟ ସିଂହ, କରୋନା କଟକଣା ମଧ୍ୟରେ ଜଗନ୍ନାଥଙ୍କ ଶବକୁ ଗ୍ରାମ ଶ୍ମଶାନରେ ଦାହ କରିଥିଲେ। ସାନ ପୁଅ ଟୁଲୁ ମୁଖାଗ୍ନି ଦେଇଥିଲେ। ବଡ଼ ପୁଅ ଦିଲ୍ଲୀପ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking