28.1 C
Bhubaneswar
Friday, March 29, 2024
Homeଓଡିଶାମନେ ପଡ଼ନ୍ତି ମଧୁବାବୁ: ପଢ଼ିବି ମୁଁ ପଢ଼ିବି-କାଳିଆ ଘୋଡ଼ାରେ ଚଢ଼ିବି-ମଧୁବାବୁ ସଙ୍ଗେ ଲଢ଼ିବି

ମନେ ପଡ଼ନ୍ତି ମଧୁବାବୁ: ପଢ଼ିବି ମୁଁ ପଢ଼ିବି-କାଳିଆ ଘୋଡ଼ାରେ ଚଢ଼ିବି-ମଧୁବାବୁ ସଙ୍ଗେ ଲଢ଼ିବି

ଯାଜପୁର: ଉତ୍କଳ ଗୌରବ ମଧୁସୂଦନ ଦାସ ୨୮ ଏପ୍ରିଲ ୧୮୪୮ କଟକ ଜିଲ୍ଲାର ସତ୍ୟଭାମାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାର ଲୋକେ ତାଙ୍କୁ ମଧୁବାବୁ ଏବଂ ବୁଦ୍ଧିଜୀବୀମାନେ ମିଷ୍ଟର ଦାସ ନାମରେ ସମ୍ବୋଧନ କରୁଥିଲେ । ସେ ଏକାଧାରରେ  ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା, ଲେଖକ ଓ କବି ଥିଲେ । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମଏ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲଏଲବି, ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟା ଫଳରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଶାରେ ଶିଳ୍ପ ତଥା କର୍ମନିଯୁକ୍ତି ସୃଷ୍ଟି ନିମନ୍ତେ ଚମଡ଼ାଶିଳ୍ପ ଉତ୍କଳ ଟ୍ୟାନେରି ଏବଂ କଟକର ସୁନା-ରୂପାର ତାରକସି କାମ ପାଇଁ ସେ ଉତ୍କଳ ଆର୍ଟ ୱାର୍କସର ପ୍ରତିଷ୍ଠା କରିଥିଲେ । ମଧୁବାବୁଙ୍କୁ ଆଦର୍ଶ ପୁରୁଷ ଭାବେ ଗ୍ରହଣ କରି ଛାତ୍ର ସମାଜ ବୋଲୁଥାନ୍ତି ପଢ଼ିବି ମୁଁ ପଢ଼ିବି- କାଳିଆ ଘୋଡ଼ାରେ ଚଢ଼ିବି- ମଧୁବାବୁ ସଙ୍ଗେ ଲଢ଼ିବି ।
ପରାଧୀନ ଭାରତରେ ଅଖଣ୍ଡ ଉତ୍କଳ ପ୍ରଦେଶ ଗଠନର ସ୍ଵପ୍ନ ଦେଖିଥିଲେ ଉତ୍କଳଗୌରବ ମଧୁସୂଦନ ଦାସ। ସେହି ସ୍ଵପ୍ନକୁ ସତ କରିବାକୁ ସେ ଉତ୍କଳର ସନ୍ତାନମାନଙ୍କୁ ଏକାଠି ହେବାକୁ ଆହ୍ଵାନ ଦେଇଥିଲେ। ଉତ୍କଳଗୌରବ ମଧୁସୂଦନ ଦାସ ତାଙ୍କ ଜୀବନ କାଳରେ ଲେଖିଥିଲେ ଅଳ୍ପ କେତୋଟି କବିତା। ସେସବୁ ପୁଣି ଥିଲା ଉତ୍କଳର ସନ୍ତାନମାନଙ୍କୁ ଓଡ଼ିଆ ଭାଷା, ଜାତି ଏବଂ ଭୂଖଣ୍ଡ ପାଇଁ ଏକାଠି କରିବାର ଆହ୍ଵାନ। ତା’ ଭିତରେ ‘ଜାତି ଇତିହାସ ଜାତିର ନିର୍ଝର, ସଦା ବହେ ତହୁଁ ଜାତି ପ୍ରାଣଧାର’ଗୀତଟି ଏବେ ବି କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ଉତ୍ସାହ ସୃଷ୍ଟି କରେ । ଏବେ ବି ଓଡ଼ିଆଙ୍କ କାନରେ ଗୁଞ୍ଜୁରି ଉଠୁଛି ମଧୁବାବୁଙ୍କ ସେହି କାଳଜୟୀ କବିତା ।
‘ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ’ ମା’ ମା’ ବୋଲି କେତେ ମୁଁ ଖୋଜିଲି ମା’କୁ ପାଇଲି ନାହିଁ, ଭାଇ ଭାଇ ବୋଲି କେତେ ମୁଁ ଡାକିଲି ନଦେଲେ ଉତ୍ତର କେହି’ ତୁ ପରା ବୋଲାଉ ଉତ୍କଳ ସନ୍ତାନ ତେବେ କିଂପା ତୁହି ଭୀରୁ, ତୋହର ଜନନୀ ରୋଦନ କରିଲେ କହିବାକୁ କିମ୍ପା ଡରୁ, ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ଵାର୍ଥକୁ ସାରଥୀ କଲେ, ଟାଣେ କିରେ ଗାଡ଼ି ଦାନାର ତୋ ବଡ଼ା ଘୋଡ଼ା ମୁହେଁ ବନ୍ଧା ଥିଲେ’ ଏହି ସମ୍ମିଳନୀ ଜାତିପ୍ରାଣ ସିନ୍ଧୁ କୋଟି ପ୍ରାଣବିନ୍ଦୁ ଧରେ, ତୋ’ର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇଁପଡ଼ି ସିନ୍ଧୁନୀରେ ।
ମଧୁବାବୁଙ୍କ ଏହି ଅମର ସଂଗୀତ ଭିତରେ ଲୁଚି ରହିଥିଲା ଉତ୍କଳମାତାକୁ ପାଇବା ପାଇଁ ପ୍ରତି ନିୟତ ଛଟପଟ ହେଉଥିବା ଜଣେ ସଚ୍ଚା ଓଡ଼ିଆର ମନର ବେଦନା । ସେହି ବେଦନା ଭିତରେ ଥିଲା ମଧୁସୂଦନଙ୍କ ବଡ଼ ସକାରାତ୍ମକ ଚିନ୍ତା ଯାହା ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ବାସ୍ତବ ରୂପ ନେଇଥିଲା । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଏ ଜାତି ପାଇଁ ତିଆରି ହୋଇଥିଲା। ତାଙ୍କର ପ୍ରାଣ ଯଥାର୍ଥରେ ଥିଲା ଜାତିପ୍ରାଣ। ତାଙ୍କର ଜୀବନ ଥିଲା ଜାତୀୟ ଜୀବନ। ୧୮୪୮ ଏପ୍ରିଲ୍ ୨୮ ତାରିଖରେ କଟକର ସତ୍ୟଭାମାପୁରରେ ଜନ୍ମ ହୋଇଥିବା ଏହି ଓଡ଼ିଆ ଜଣକ ୧୯୩୪ ମସିହା ଫେବ୍ରୁଆରି ୪ ତାରିଖରେ ଆଖିବୁଜି ଦେଇଥିଲେ । ଗଲା ବେଳେ ସେ ଗୋଟିଏ ଛୋଟ ବାକ୍ୟ କହିଯାଇଥିଲେ – ‘ଜଣେ ଓଡ଼ିଆ ଥିଲା’ ସତରେ, ଆଜି ପ୍ରତ୍ୟେକ ଓଡ଼ିଆ ଏହି କଥାର ମର୍ମ ଖୋଜିବା ଦରକାର….ତାହା ହିଁ ହେବ ମଧୁବାବୁଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking