ସାରା ବିଶ୍ୱକୁ ଆରୋଗ୍ୟ କରୁଛି ଲକଡାଉନ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା ଚିନ୍ତା । ଧୀରେଧୀରେ ଏହା ଆରୋଗ୍ୟ ଲାଭ କରୁଛି । ଏହି ଆରୋଗ୍ୟ ଲାଭର ଭିଟାମିନ ହେଉଛି କେବଳ ଲକ୍‌ଡାଉନ । ଏହାର ପ୍ରଥମ ଲକ୍ଷଣ ଚାଇନାରେ ଲକ୍‌ଡାଉନ୍ କାର୍ଯ୍ୟକାରୀ କରାଯିବାର ମାସକ ମଧ୍ୟରେ ଅନୁଭୂତ ହୋଇଥିଲା । ନାସା ପକ୍ଷରୁ ଚୀନ୍‌ର ପ୍ରଦୂଷଣ ମାନଚିତ୍ର ଫେବ୍ରୁଆରୀ ୧୦ରୁ ୨୫ ମଧ୍ୟରେ ଉନ୍ମୋଚନ କରାଗଲା । ଜାନୁଆରୀର ପ୍ରଥମ ୩ ସପ୍ତାହ ସହ ତୁଳନାତ୍ମକ ହିସାବ କରିବା ପରେ ଜଣାପଡିଲା ଯେ, ଏଠାରେ ପ୍ରଦୂଷଣ ହ୍ରାସ ପାଇଛି । କ୍ୱାରେଣ୍ଟାଇନ୍ ଯୋଗୁ ଯାନବାହନ ଚଳାଚଳରେ ଅଙ୍କୁଶ ଲାଗିଲା । କଳ କାରଖାନା ଉତ୍ପାଦନ ବ୍ୟାହତ ହେଲା । ବିମାନ ପରିବହନ ସହ ସବୁକିଛିକୁ ବନ୍ଦ କରି ଦିଆଗଲା । ଫଳରେ ପଦୂଷଣ ସ୍ତର କମିଲା । ବୈଜ୍ଞାନିକମାନଙ୍କ କହିବାନୁଯାୟୀ, ଜୈବ ଇନ୍ଧନ କମିବା ଫଳରେ ଫେବ୍ରୁଆରୀ ମଧ୍ୟଭାଗ ସୁଦ୍ଧା ବାୟୁ ମଣ୍ଡଳରେ ଗ୍ରୀନ୍‌ହାଉସ୍ ଗ୍ୟାସ (ସିଏଚଜି)ର ପରିମାଣ ଏକ ଚତୁର୍ଥାଂଶ ହ୍ରାସ ପାଇଛି । ଏହାଦ୍ୱାର ପୃଥିବୀ ଅନେକ ମାତ୍ରାରେ ଉପକୃତ ହୋଇଛି । ସମଗ୍ର ବିଶ୍ୱରେ ଯେତିକି ଗ୍ରୀନ୍‌ହାଉସ୍ ଗ୍ୟାସର ନିଗର୍ମନ ହୁଏ, ତାହାର ୨୭ଭାଗ କେବଳ ଚୀନର ଅବଦାନ । ଚୀନରେ ଏହା କମିବା ସାରା ପୃଥିବୀ ପାଇଁ ଏକ ଖୁସି ଖବର କହିଲେ ଅତ୍ୟୁକ୍ତି ହେବନାହିଁ ।
କୋଭିଡ୍‌-୧୯ ଅନ୍ୟ ରାଷ୍ଟ୍ରଗୁଡିକୁ ଯେମିତି ବ୍ୟାପିବା ଆରମ୍ଭ କଲା, ସେମାନେ ମଧ୍ୟ ଲକ୍‌ଡାଉନ୍ ଲାଗୁ କଲେ । ଫଳରେ ସମଗ୍ର ବିଶ୍ୱରେ ପଦୁଷଣସ୍ତର କମିଥିବା ବୈଜ୍ଞାନିକଙ୍କ ମତ ।