31.1 C
Bhubaneswar
Friday, March 29, 2024
Homeଓଡିଶାସମୁଦ୍ରରେ ବଳ ଗୋଟାଉଛି ଲଘୁଚାପ, ନେବ ଗଭୀର ଅବପାତ ରୂପ

ସମୁଦ୍ରରେ ବଳ ଗୋଟାଉଛି ଲଘୁଚାପ, ନେବ ଗଭୀର ଅବପାତ ରୂପ

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହା ସମୁଦ୍ରରେ ରହି ବଳ ଗୋଟାଉଛି । ଦୁଇ ଦିନ ସମୁଦ୍ରରେ ରହିବା ପରେ ୯ ତାରିଖରେ ଏହା ଅବପାତର ରୂପ ନେବ । ପରେ ଛତିଶଗଡ ଆଡ଼କୁ ମୁହାଁଇବ । ଏହା ଡିପ୍‌ ଡିପ୍ରେସନ୍‌ ବା ଗଭୀର ଅବପାତର ରୂପ ନେଇପାରେ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।

କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୯ ଏବଂ ୧୦ ତାରିଖରେ ଭାରି ବର୍ଷା ହେବ । ଭୁବନେଶ୍ୱର ସମେତ ବାକି ଉପକୂଳ ଜିଲ୍ଲାରେ ୯ ତାରିଖରେ ଭାରି ବର୍ଷା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ଏହି ଲଘୁଚାପ କେନ୍ଦ୍ରସ୍ଥଳରେ ବାୟୁର ଚାପ ୯୮୯ ମିଲି ବାର୍‌କୁ ଖସି ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁ ମହାନଦୀ, ଋଷିକୂଲ୍ୟା, ବଂଶଧାରା, ନାଗାବଳୀ ସମେତ ମହାନଦୀର ସମସ୍ତ ଉପନଦୀ ଫୁଲିପାରେ । ବ୍ରାହ୍ମଣୀ ଓ ବୈତରଣୀର ଜଳସ୍ତର ମଧ୍ୟ ବଢ଼ିବ ବୋଲି ସେ ସତର୍କ କରାଇଛନ୍ତି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ସୋମବାର ସକାଳ ସୁଦ୍ଧା କଳାହାଣ୍ଡି ଓ ରାୟଗଡ଼ାରେ ଭୀଷଣ ବର୍ଷା ହେବ । ଏହି ଦୁଇ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ବାଦଲ ଫଟା ବର୍ଷା ଯୋଗୁ ଅଚାନକ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ।
ସୋମବାର ଦିନ ଓ ରାତିରେ ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଏଚଆର୍‌ ବିଶ୍ୱାସ କହିଛନ୍ତି । ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ପାହାଡ଼ ଧସିବା ସହ ଭୂସ୍ଖଳନ ଆଶଙ୍କା ରହିଛି । ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହିଛି ।

୯ ଓ ୧୦ରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଡ. ବିଶ୍ୱାସ କହିଛନ୍ତି । ୯ରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଭୀଷଣ ବର୍ଷା ହୋଇପାରେ । ବରଗଡ଼, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅତି ଭୀଷଣ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର ଜିଲ୍ଲାରେ ଭାରୀ ବର୍ଷା ହେବ ।

୧୦ରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ଅତି ପ୍ରବଳ ବର୍ଷା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାକି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିବ ବୋଲି ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

ରବିବାର ବିଭିନ୍ନ ସ୍ଥାନରେ ବାଦଲଫଟା ବର୍ଷା ହୋଇଛି । କନ୍ଧମାଳ ବାଲିଗୁଡ଼ା ଗୁଞ୍ଜିବାଡ଼ି ପଞ୍ଚାୟତରେ କାଲିପେନୁ ନାଳ ଉପରେ ଥିବା ଅସ୍ଥାୟୀ ପୋଲ ଭାସି ଯାଇଛି । ଏଥିଯୋଗୁ ୮ଟି ଗାଁର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ନୟାଗଡ଼ର ବରମୂଳରେ ଆଜି ସର୍ବାଧିକ ୨୨୯ ମିଲିମିଟର ବର୍ଷା ହୋଇଛି । ରାୟଗଡ଼ାର ପଦ୍ମପୁରରେ ୧୮୦ମିମି, କନ୍ଧମାଳ ଟିକାବାଲିରେ ୧୩୯, ରାୟଗଡ଼ାର ଆର୍‌.ଗୁଡାରେ ୧୩୬, କଳାହାଣ୍ଡିର ଜାଇପାଟଣାରେ ୧୨୨, ଗଜପତିର ନୂଆଗଡ଼ରେ ୧୨୨, କନ୍ଧମାଳର ରାଇକିଆରେ ୧୧୯, ଢେଙ୍କାନାଳର ହିନ୍ଦୋଳରେ ୧୧୭, ପୁରୀର ଅସ୍ତରଙ୍ଗରେ ୧୧୩, ପୁରୀ ସହରରେ ୧୧୨, ଗଞ୍ଜାମ ସାନଖେମୁଣ୍ଡିରେ ୧୦୬ ଓ ନୟାଗଡ଼ର ଦଶପଲ୍ଲାରେ ୧୦୫ ମିମି ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୩୦.୯ ମିମି ବର୍ଷା ହୋଇଛି । ଏହା ସ୍ୱାଭାବିକ ବର୍ଷା ତୁଳନାରେ ୧୧୬% ଅଧିକ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking