39.1 C
Bhubaneswar
Wednesday, April 24, 2024
Homeଓଡିଶାଶ୍ରୀକୃଷ୍ଣଙ୍କ ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ

ଶ୍ରୀକୃଷ୍ଣଙ୍କ ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ

ଭୁବନେଶ୍ୱର: ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି ଏବଂ ବର୍ତ୍ତମାନ କଳିଭୋଗବ୍ଦ ୫୧୧୩ ଚାଲିଛି । ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ । ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହେଇଥିଲା ।

ଅବତାର ଅର୍ଥ ଅବତୀର୍ଣ୍ଣ ହେବା, ଭକ୍ତମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ । ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ । ବ୍ରହ୍ମା, ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ ।

ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ । ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ।ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ । ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନାକରିଦେଇଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ମନେଇବାରେ ସକ୍ଷମ ହେଇଥିଲେ।କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ । ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ ।

ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି,ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି । ଏହା ଭଗବତ ଗୀତା ନାମରେ ବିଶ୍ୱ ବିଖ୍ୟାତ । ଭଗବତ ଗୀତା ବିଶ୍ୱ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି । ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking