29.1 C
Bhubaneswar
Thursday, April 25, 2024
HomeUncategorizedକିପରି ଥିଲା ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ପ୍ରଭୁ ଶ୍ରୀନୀଳମାଧବଙ୍କ ସ୍ୱରୂପ

କିପରି ଥିଲା ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ପ୍ରଭୁ ଶ୍ରୀନୀଳମାଧବଙ୍କ ସ୍ୱରୂପ

ଶ୍ରୀଜଗନ୍ନାଥଙ୍କ ଆଦ୍ୟରୂପ ହେଉଛନ୍ତି ପ୍ରଭୁ ଶ୍ରୀନୀଳମାଧବ । ସେ ପୁରୁଷୋତ୍ତମ କ୍ଷେତ୍ର (ପୁରୀ)ରେ ଅବସ୍ଥିତ ନୀଳଗିରି ନାମକ ପର୍ବତ ଉପରେ ଦେବୀ ଲକ୍ଷ୍ମୀଙ୍କ ସହିତ ବିରାଜିତ ଥିଲେ ଯାହାଙ୍କର ଦର୍ଶନ ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲଭ ଥିଲା । ତାଙ୍କର ଦର୍ଶନ ଲାଭ କରୁଥିବା ପ୍ରତ୍ୟେକ ଜୀବ ତତ୍କ୍ଷଣାତ ମୁକ୍ତି ଲାଭ କରୁଥିଲେ । ତେଣୁ ଏକଦା ସ୍ୱୟଂ ଯମରାଜ ଶ୍ରୀଲକ୍ଷ୍ମୀନାରାୟଣଙ୍କୁ ଭେଟି ଗୁହାରି କଲେ ଯେ – ଯଦି ଏହିପରି ସମସ୍ତ ଜୀବ ଦେବୀ ଲକ୍ଷ୍ମୀଙ୍କ ସହିତ ଶ୍ରୀନୀଳମାଧବଙ୍କର ଦର୍ଶନ ଲାଭ କରି ମୁକ୍ତି ପ୍ରାପ୍ତ ହେବେ, ତେବେ ଏ କ୍ଷେତ୍ରରେ ତାଙ୍କର ଭୂମିକା କଣ ରହିବ (ଜୀବ ମାନଙ୍କୁ ସେମାନଙ୍କର ପାପ ପୁଣ୍ୟର ବିଚାର କରି ଦଣ୍ଡ ବିଧାନ କରିବା ଦିଗରେ)? ତେଣୁ ପ୍ରଭୁ ଏହାର ବିଚାର କରନ୍ତୁ । ଏହାର ଉତ୍ତରରେ ଶ୍ରୀଲକ୍ଷ୍ମୀନାରାୟଣ ତାଙ୍କୁ କହିଥିଲେ ଯେ – ସେମାନେ ଯମରାଜଙ୍କର ସମସ୍ୟାକୁ ହୃଦୟଙ୍ଗମ କରୁଛନ୍ତି, ହେଲେ ସେମାନଙ୍କ ପାଇଁ ଏ କ୍ଷେତ୍ର (ପୁରୁଷୋତ୍ତମ କ୍ଷେତ୍ର) ହେଉଛି ନିତ୍ୟ ଲୀଳା କ୍ଷେତ୍ର ଯାହାକି ସେମାନଙ୍କ ପାଇଁ ପ୍ରଳୟ କାଳରେ ମଧ୍ୟ ତ୍ୟାଜ୍ୟ ନୁହେଁ । ତେବେ ସେମାନେ ଯମରାଜଙ୍କର ସମସ୍ୟାର ସମାଧାନ ନିମନ୍ତେ ଏହି ପୁରୁଷୋତ୍ତମ କ୍ଷେତ୍ରରେ ସୁବର୍ଣ୍ଣ ବାଲୁକା ରାଶି ମଧ୍ୟରେ ଗୁପ୍ତ ଭାବରେ ବାସ କରିବେ ଯାହା ଫଳରେ କି ଯମରାଜ ତାଙ୍କର କାର୍ଯ୍ୟ ସ୍ୱାଭାବିକ ଭାବେ ସମ୍ପାଦନ କରି ପାରିବେ । ଏହାର ଫଳ ସ୍ୱରୂପ ପରବର୍ତ୍ତୀ କାଳରେ ଅବନ୍ତୀ ପ୍ରଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ, ପ୍ରଭୁ ଶ୍ରୀନୀଳମାଧବଙ୍କର ବିଗ୍ରହର ଦର୍ଶନ ନିମନ୍ତେ ପୁରୁଷୋତ୍ତମ କ୍ଷେତ୍ରକୁ ଆସନ୍ତେ, ସୁବର୍ଣ୍ଣ ବାଲୁକା ରାଶି ମଧ୍ୟରେ ଦେବୀ ଲକ୍ଷ୍ମୀଙ୍କ ସହିତ ଶ୍ରୀନୀଳମାଧବଙ୍କର ବିଗ୍ରହ ସ୍ୱୟଂ ବିଲୁପ୍ତ ହୋଇଯାଇଥିଲେ ଓ ଭଗବାନଙ୍କର ଆକାଶବାଣୀ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କ ଦାରୁ ବିଗ୍ରହ ନିର୍ମାଣ କରି ସେମାନଙ୍କୁ ଏକ ନବନିର୍ମିତ ମନ୍ଦିର ମଧ୍ୟରେ ସ୍ଥାପନ କରି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ଯାହାକି ଆଜି ପର୍ଯ୍ୟନ୍ତ ଚାଲିଆସୁଅଛି । ତେବେ ଏହି ଗୁପ୍ତ ଅବସ୍ଥାରେ ସ୍ଥିତ ପ୍ରଭୁ ଶ୍ରୀନୀଳମାଧବଙ୍କ ସ୍ୱରୂପ କିପରି ଥିଲା, ଯାହାଙ୍କର ଦର୍ଶନ ଦେବତାଙ୍କ ପାଇଁ ମଧ୍ୟ ଦୁର୍ଲଭ ଥିଲା ଓ ଯାହାଙ୍କର ଦର୍ଶନ ଲାଭ କରୁଥିବା ପ୍ରତ୍ୟେକ ଜୀବ ତତ୍କ୍ଷଣାତ ମୁକ୍ତି ଲାଭ କରୁଥିଲେ ? ଆସନ୍ତୁ ଏବେ ଜାଣିବା ।
ସ୍କନ୍ଦ ପୁରାଣର ବର୍ଣ୍ଣନା ଅନୁଯାୟୀ ଶ୍ରୀନୀଳମାଧବଙ୍କ ବିଗ୍ରହ ଅତ୍ୟନ୍ତ ଦୁର୍ଲ୍ଲଭ ଓ କମନୀୟ ଥିଲା ଯାହାକି ଇନ୍ଦ୍ରନୀଳ ମଣିରେ ନିର୍ମିତ ହୋଇଥିଲା ।  ବିଗ୍ରହଙ୍କ ଆସ୍ଥାନଟି କଳ୍ପବଟର ଛାୟା କାରଣରୁ ସର୍ବଦା ଶୀତଳ ରହୁଥିଲା । ବିଗ୍ରହଙ୍କ ଉଚ୍ଚତା ଏକାଅଶୀ (୮୧) ଅଙ୍ଗୁଳ ଥିଲା ଓ ଏହା ଏକ ସ୍ୱର୍ଣ୍ଣ ପଦ୍ମ ଉପରେ ବିରାଜମାନ ଥିଲା । ବିଗ୍ରହଙ୍କ ଓଷ୍ଠରେ ଏପରି ଏକ ଦିବ୍ୟ ସ୍ମିତହାସ୍ୟ ପରିଲକ୍ଷିତ ହେଉଥିଲା, ଯାହାର ତୁଳନାରେ ପୂର୍ଣ୍ଣିମାର ଚନ୍ଦ୍ରଙ୍କର ପ୍ରଭା ମଧ୍ୟ ଫିକା ପଡ଼ି ଯାଉଥିଲା । ବିଗ୍ରହ କର୍ଣ୍ଣରେ ମକର କୁଣ୍ଡଳ ଧାରଣ କରିଥିଲେ । ତାଙ୍କ ଗଳାରେ ଦିବ୍ୟ ଓ ସୁନ୍ଦର ହାର ଶୋଭା ପାଉଥିଲା । ପ୍ରଭୁ ଶ୍ରୀନୀଳମାଧବଙ୍କ ବିଗ୍ରହ ଏତେ ସୁନ୍ଦର ପ୍ରତୀୟମାନ ହେଉଥିଲା ଯେ ଲାଗୁଥିଲା ସତେ ଯେପରି ସ୍ୱୟଂ ବିଶ୍ଵକର୍ମା ମଧ୍ୟ ଏପରି ବିଗ୍ରହ ନିର୍ମାଣ କରିବାକୁ ଅସମର୍ଥ ହେବେ । ବିଗ୍ରହ ସୁବିଶାଳ ସ୍କନ୍ଦଯୁକ୍ତ ତଥା ଚତୁର୍ଭୁଜ ରୁପୀ ଥିଲେ । ତାଙ୍କର ହୃଦୟ ପ୍ରଦେଶରେ ଦିବ୍ୟ କୌସ୍ତୁଭ ମଣି ଶୋଭା ପାଉଥିଲା । ଏହି ମଣିର ଆଭା ଏତେ ଉଜ୍ଜ୍ବଳ ଥିଲା ଯେ ଲାଗୁଥିଲା ସତେ ଯେପରି ଏହା ଚତୁର୍ଦଶ ଭୁବନକୁ ନିଜ ମଧ୍ୟରେ ଧାରଣ କରିଅଛି ।  ବିଗ୍ରହ ବିବିଧ ପ୍ରକାରର ମୁକ୍ତାର ହାର ଧାରଣ କରିଥିଲେ ଯାହାକି କଟୀ ଦେଶ ପର୍ଯ୍ୟନ୍ତ ପ୍ରଲମ୍ବିତ ଥିଲା । ତାଙ୍କର ନାଭି ଗଭୀର ଥିଲା ଓ ସେ ପୀତ ବସ୍ତ୍ର ଧାରଣ କରିଥିଲେ । ତାଙ୍କର ଦୁଇ ଉରୁ ଦୁଇଗୋଟି ସ୍ତମ୍ଭ ସଦୃଶ ପ୍ରତୀୟମାନ ହେଉଥିଲା । ତାଙ୍କର ପାଦ ଦ୍ବୟ ସୁନ୍ଦର ଓ ଗୋଲାକାର ଥିଲା । ବିଗ୍ରହଙ୍କ କଳେବର କଙ୍କଣ, ବାଜୁବନ୍ଧ ଓ ମୁକୁଟ ଦ୍ଵାରା ସୁସଜ୍ଜିତ ଥିଲା । ସେ ତାଙ୍କର ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥିଲେ । ତାଙ୍କ ବାମ ପାର୍ଶ୍ଵରେ ଦେବୀ ଲକ୍ଷ୍ମୀ ବୀଣା ବାଦନ କରୁଥିଲେ ଯେକି ମୂଲ୍ୟବାନ ଅଳଙ୍କାରରେ ସୁସଜ୍ଜିତ ଥିଲେ ଓ ପ୍ରଭୁଙ୍କୁ ଚାହିଁ ରହିଥିଲେ । ସେମାନଙ୍କ ପଶ୍ଚାତ ଭାଗରେ ଶେଷନାଗ ଦଣ୍ଡାୟମାନ ଥିଲେ ଯେକି ସେମାନଙ୍କ ମଥାକୁ ନିଜର ଛତ୍ର ସଦୃଶ ଫଣା ଦ୍ୱାରା ଆବୃତ କରି ରଖିଥିଲେ । ସେମାନଙ୍କ ସମ୍ମୁଖ ଭାଗରେ ପ୍ରଭୁ ସୁଦର୍ଶନ ନିଜର ଦିବ୍ୟ ସ୍ୱରୂପରେ ଦଣ୍ଡାୟମାନ ଥିଲେ ଓ ତାଙ୍କ ପଶ୍ଚାତ ଭାଗରେ ପ୍ରଭୁ ଗରୁଡ଼ ଯୋଡହସ୍ତ ମୁଦ୍ରାରେ ଦଣ୍ଡାୟମାନ ଥିଲେ । ପ୍ରଭୁ ଶ୍ରୀନୀଳମାଧବ ଓ ଦେବୀ ଲକ୍ଷ୍ମୀଙ୍କ ବିଗ୍ରହ ବ୍ରହ୍ମା, ରୁଦ୍ର ଏବଂ ଈନ୍ଦ୍ରାଦି ଦେବତାଙ୍କ ଦ୍ୱାରା ପୂଜିତ ହେଉଥିଲେ । ଏହି ବିଗ୍ରହଙ୍କର ଦିବ୍ୟ ସ୍ବରୂପର ଦର୍ଶନ ମାତ୍ରେ ଦର୍ଶନକାରୀଙ୍କୁ ତତ୍କ୍ଷଣାତ ମୁକ୍ତି ପ୍ରାପ୍ତ ହେଉଥିଲା ।
ଏହିପରି ଥିଲା ପ୍ରଭୁ ଶ୍ରୀନୀଳମାଧବଙ୍କ ସ୍ୱରୂପ ଯାହାଙ୍କର ବିଗ୍ରହ ଆଜିମଧ୍ୟ ପୁରୁଷୋତ୍ତମ କ୍ଷେତ୍ରର ସୁବର୍ଣ୍ଣ ବାଲୁକା ରାଶି ମଧ୍ୟରେ ଗୁପ୍ତ ଭାବରେ ବିଦ୍ୟମାନ । ସେ ଦୃଷ୍ଟିରୁ ଏହି କ୍ଷେତ୍ରର ପ୍ରତ୍ୟେକ ବାଲୁକା କଣ, ପ୍ରତ୍ୟେକ ଧୂଳି କଣା ଅତ୍ୟନ୍ତ ପବିତ୍ର । ତେଣୁ ଆମମାନଙ୍କର ଉତ୍ତରଦାୟୀତ୍ତ୍ୱ ରହିଛି ଏ କ୍ଷେତ୍ରକୁ ନିର୍ମଳ, ପବିତ୍ର ଓ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଯଦ୍ବାରା କି ଏହା ପରୋକ୍ଷରେ ଆମମାନଙ୍କର ଭକ୍ତି ନିବେଦନ ହେବ ପ୍ରଭୁ ଶ୍ରୀନୀଳମାଧବଙ୍କ ପ୍ରତି ।
ଜୟ ନୀଳମାଧବ ! ଜୟ ଜଗନ୍ନାଥ !
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking