26.1 C
Bhubaneswar
Wednesday, August 10, 2022
Homeଦେଶ ବିଦେଶଲୋକସଭା, ବିଧାନସଭା ଉପନିର୍ବାଚନ: ପଞ୍ଜାବରେ ଆପ୍‌, ୟୁପିରେ ସମାଜବାଦୀ ପାର୍ଟିକୁ ଧକ୍କା

ଲୋକସଭା, ବିଧାନସଭା ଉପନିର୍ବାଚନ: ପଞ୍ଜାବରେ ଆପ୍‌, ୟୁପିରେ ସମାଜବାଦୀ ପାର୍ଟିକୁ ଧକ୍କା

ନୂଆଦିଲ୍ଲୀ: ଚଳିତମାସ ୨୩ରେ ୩ଟି ଲୋକସଭା ଓ ୭ଟି ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ରବିବାର ଫଳାଫଳ ଘୋଷିତ ହୋଇଛି । ପଞ୍ଜାବରେ କ୍ଷମତାସୀନ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)କୁ ଏବଂ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟିକୁ ଧକ୍କା ଲାଗିଛି । ପଞ୍ଜାବର ସାଙ୍ଗ୍‌ରୁର ଲୋକସଭା ଆସନରେ ଅକାଳୀ ଦଳ (ଅମୃତସର) ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏଠାରେ ସିମ୍ରନଜିତ ସିଂହ ମାନ୍ ତାଙ୍କର ନିକଟତମ ଆପ୍ ପ୍ରାର୍ଥୀ ଗୁରମେଲ ସିଂହଙ୍କୁ ୫୮୦୦ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ସୂଚନାଯୋଗ୍ୟ ଭଗୱନ୍ତ ସିଂହ ମାନ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବାରେ ସାଙ୍ଗ୍‌ରୁର୍ ଲୋକସଭା ଆସନ ଖାଲିପଡିଥିଲା । ଗୁରମେଲ ପରାଜିତ ହେବାଫଳରେ ଲୋକସଭାରେ ଆପ୍‌ର ପ୍ରତିନିଧିତ୍ୱ ଶେଷ ହୋଇଛି । କାରଣ ଭଗୱନ୍ତ ହିଁ ଏକମାତ୍ର ଆପ୍ ସାଂସଦଭାବେ ଲୋକସଭାକୁ ପ୍ରତିନିଧିତ୍ୱ କରୁୁଥିଲେ । ଅପରପକ୍ଷରେ ଉତ୍ତର ପ୍ରଦେଶ(ୟୁପି)ର ଦୁଇଟି ଲୋକସଭା ଆସନ ଯଥା ରାମପୁର ଓ ଆଜମଗଡରେ ସମାଜବାଦୀ ପାର୍ଟିକୁ ନିରାଶ ହେବାକୁ ପଡିଛି ।

ଏହି ଦୁଇଟି ଆସନ ବିଜେପି ଝୁଲାକୁ ଯାଇଛି । ରାମପୁରରେ ବିଜେପି ପ୍ରାର୍ଥୀ ଘନଶ୍ୟାମ ସିଂହ ଲୋଧି ତାଙ୍କର ନିକଟତମ ସମାଜବାଦୀ ପାର୍ଟି ପ୍ରାର୍ଥୀ ମହମ୍ମଦ ଅସୀମ ରାଜାଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିବାବେଳେ ଆଜମଗଡରେ ବିଜେପି ପ୍ରାର୍ଥୀ ଦିନେଶଲାଲ ଯାଦବ ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବଙ୍କୁ ହରାଇଛନ୍ତି । ସୂଚନାଯୋଗ୍ୟ ୨୦୧୯ ନିର୍ବାଚନରେ ସମାଜବାଦୀ ପାର୍ଟିର ଆଜମ ଖାନ୍ ଓ ଅଖିଳେଶ ଯାଦବ ଯଥାକ୍ରମେ ରାମପୁର ଓ ଆଜମଗଡ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଚଳିତବର୍ଷ ଅନୁଷ୍ଠିତ ୟୁପି ବିଧାନସଭା ନିର୍ବାଚନରେ ଉଭୟ ଆଜମ ଓ ଅଖିଳେଶ ବିଧାୟକ ନିର୍ବାଚିତ ହେବାଫଳରେ ଏହି ଦୁଇଟି ଆସନରେ ଉପନିର୍ବାଚନ ଜରୁରୀ ହୋଇପଡିଥିଲା ।

ଅପରପକ୍ଷରେ ତ୍ରିପୁରାର ୪ଟି ବିଧାନସଭା ଆସନ ମଧ୍ୟରୁ ୩ଟି ବିଜେପିକୁ ଏବଂ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଛି । ତ୍ରିପୁରାର ବିଜେପି ମୁଖ୍ୟମନ୍ତ୍ରୀ ମାଣିକ ଶାହା ଟାଉନ ବର୍ଦ୍ଦୋଲୋଇ ଆସନରୁ ବିଜୟୀ ହୋଇଥିବାବେଳେ ଯୁବରାଜନଗରରୁ ବିଜେପି ପ୍ରାର୍ଥୀ ମଲିନା ଦେବନାଥ ଓ ସୁର୍ମା ଆସନରେ ବିଜେପି ପ୍ରାର୍ଥୀ ସ୍ୱପ୍ନା ଦାସ ବିଜୟୀ ଘୋଷିତ ହୋଇଛନ୍ତି । ତେବେ ଅଗରତାଲା ଆସନରେ କଂଗ୍ରେସ ପ୍ରାର୍ଥୀ ସୁଦୀପ ରାୟବର୍ମନ ବିଜୟୀ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ଆତ୍‌ମାକୁର ଆସନରେ ୱାଇଏସ୍‌ଆର କଂଗ୍ରେସ ପ୍ରାର୍ଥୀ ଏମ.ବିକ୍ରମ ରେଡ୍ଡି, ଦିଲ୍ଲୀର ରାଜେନ୍ଦ୍ର ନଗର ଆସନରେ ଆପ୍ ପ୍ରାର୍ଥୀ ଦୁର୍ଗେଶ ପାଠକ ଏବଂ ଝାଡ଼ଖଣ୍ଡର ମନ୍ଦାର ଆସନରେ କଂଗ୍ରେସ ପ୍ରାର୍ଥୀ ଶିଳ୍ପୀ ନେହା ତିର୍କୀ ବିଜୟୀ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking