ମୟୂରଭଞ୍ଜ(ଘାସିରାମ ବେହେରା) : କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ ଘୋଷଣା ହୋଇ ସାମାଜିକ ଦୂରତା ପାଳନ କରିବାକୁ ଜାରୀ ହୋଇଛି କଡାକଡି ନିର୍ଦ୍ଦେଶ। ହେଲେ ସରକାରୀ ବ୍ୟବସ୍ଥାରେ ଦେଖାଦେଇଥିବା ତ୍ରୁଟିର ବିରୋଧ କରିବାକୁ ଯାଇ ମହିଳାମାନେ ଭୁଲିଗଲେ ସାମାଜିକ ଦୂରତା । ଲକଡାଉନ ସମୟରେ ଦେଖାଦେବାକୁ ଥିବା ସମସ୍ୟାର ସମାଧାନ କରିବାକୁ ଆଗୁଆ ପଦକ୍ଷେପ ଗ୍ରହଣ କରି ସରକାର ଅଙ୍ଗନବାଡ଼ି କେନ୍ଦ୍ରରେ 3ବର୍ଷ ରୁ 6ବର୍ଷ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଅଣ୍ଡା,ଛତୁଆ,ଚାଉଳ,ଡାଲି, ତେଲ ଇତ୍ୟାଦି ପୁଷ୍ଟିକର ଖାଦ୍ୟସାମଗ୍ରୀ ତିନିମାସର ଯୋଗାଣ ପାଇଁ ନିର୍ଦେଶ ଦେଇ ଘରେଘରେ ପହଞ୍ଚାଇ ଦେବାକୁ ନିର୍ଦେଶ ଦେଇଛନ୍ତି କିନ୍ତୁ ଏଥିରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି । ସରକାରୀ ନିର୍ଦ୍ଦେଶ ଖିଲାଫ ହୋଇଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକ ଭଗlବନ୍ଦୀ ଗ୍ରାମର ମହିଳାମାନେ ସଂଘବଦ୍ଧ ହୋଇଥିବା ଦେଖିବାକୁ ମିଳିଛି । କରୋନା ମୁକାବିଲା ପାଇଁ ଚାରିଆଡେ ଲକଡାଉନ ଘଷଣା ହୋଇଥିବାରୁ ସାମାଜିକ ଦୂରତ୍ଵ ବଜାଇ ରଖିବାକୁ ନିର୍ଦେଶ ଥିଲେ ସୁଧା ମାଣିନଥିଲେ । ଅଙ୍ଗନବାଡ଼ି କର୍ମୀ ହିତାଧିକାରୀ ମାନଙ୍କୁ ବୁଝାଇ ନ ପାରିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ସମ୍ପର୍କରେ ଖବରପାଇ ରରୁଆଁ ସିଡିପିଓ ଘଟଣାସ୍ଥଳରେ ପହଞ୍ଚିବାରୁ ଉତ୍ତେଜିତ ମହିଳା ମାନେ ଘେରିଯାଇ ଅନିୟମିତତା ସମ୍ପର୍କରେ ଅବଗତ କରାଇଥିଲେ ।
ତେବେ କର୍ମିଙ୍କ ଦାୟିତ୍ବହୀନତାରୁ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତିକୁ ନେଇ କିଛି ସମୟ ସିଡିପିଓ ଏବଂ ଅସନ୍ତୁଷ୍ଟ ମହିଳାମାନଙ୍କ ମଧ୍ୟରେ ଯୁକ୍ତିତର୍କ ସହିତ ହୋହାଲ୍ଲା ଲାଗିରହିଥିଲା। ପରେ ଖବରପାଇ ଜଶୀପୁର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରି ଭିଡକୁ ନିୟନ୍ତ୍ରଣ କରିଥିଲେ ଏବଂ ସାମାଜିକ ଦୂରତ୍ୱକୁ ବଜାଇରଖିବା ପାଇଁ ମହିଲାମାନଙ୍କୁ ମନାଇଥିଲେ । ତେବେ ପୂର୍ବରୁ ମଧ୍ୟ ଏହି ଅଙ୍ଗନବାଡି କେନ୍ଦ୍ରର କାର୍ଯ୍ୟରତ ମହିଳାକର୍ମୀ ଅନିୟମିତତା କରୁଥିବା ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଭଳି ଘଟଣା ଉତ୍ତେଜନାର ଆଉଏକ ପ୍ରମୁଖ କାରଣ ହୋଇଥିଲା । ଆଜିର ଘଟଣାକୁ ନେଇ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଡିପିଓ ପ୍ରତିଶୃତି ଦେବାରୁ ବିବାଦ ଥମିଯାଇ ଥିଲା ।
ତେବେ କରୋନା ଭାଇରସ ସଂକ୍ରମଣ ରୋକିବା ଉଦ୍ଧେଶ୍ୟରେ ଲକଡାଉନ ଘୋଷଣା ଯୋଗୁଁ ସାରା ଦେଶ ସହିତ ରାଜ୍ୟରେ ଏକପ୍ରକାର ଜରୁରୀକାଳୀନ ଭଳି ପରିସ୍ଥିତି ଲାଗିରହିଥିବାରୁ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇ ସବୁ ସୁବିଧା ଘରେ ଘରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । କିନ୍ତୁ ସରକାରୀ ନିର୍ଦ୍ଦେଶର ଖୋଲାଖୋଲି ଉଲଂଘନ ଲୋକଙ୍କୁ ବାହାରକୁ ବାହାରିବାକୁ ବାଧ୍ୟ କରୁଥିବା ବେଳେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ବାକି ରହିଲା।