40.1 C
Bhubaneswar
Wednesday, April 24, 2024
Homeଓଡିଶାସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମୋରଡ଼ା

ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମୋରଡ଼ା

ମୟୂରଭଞ୍ଜ (ଘାସିରାମ ବେହେରା) ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ସାମଗ୍ରୀ ସଂଗ୍ରହ ପାଇଁ ଟୋକନ ଯୋଗାଇ ଦେଉଛନ୍ତି ସ୍କୁଲ କତ୍ତୃପକ୍ଷ। ଏହି ଟୋକନ ସ୍କୁଲ କତ୍ତୃପକ୍ଷ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚାଇ ଗହଳି ରୋକିବା ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଘୋଷଣା କରାଯାଇ କଡା ନିର୍ଦ୍ଦେଶଜାରୀ କରାଯାଇଛି। ସରକାରୀ ଘୋଷଣା ଅନୁସାରେ ଅନେକ ସ୍କୁଲ କତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଘରେ ଟୋକନ ପହଞ୍ଚାଇ ଥିବା ବେଳେ ବ୍ୟତିକ୍ରମ ସାଜିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମୋରଡ଼ା। ସାମ୍ପ୍ରତିକ ସମୟରେ ମହାମାରୀର ରୂପନେଇ ସାରା ବିଶ୍ୱକୁ ଆତଙ୍କିତ କରିଥିବା କରୋନା ଭାଇରସ ସଂକ୍ରମଣ ରୋକିବା ଦିଗରେ ପଦକ୍ଷେପ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ଜାତୀୟବିପତ୍ତି ଘୋଷଣା କରି ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ ଦେଇଥିଲେ ସରକାର। ଆଉ ୨୧ ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ବିଭିନ୍ନ ସ୍କୁଲରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯିବା ସହିତ ସେମାନଙ୍କର ମଧ୍ୟାହ୍ନଭୋଜନ ସାମଗ୍ରୀ ନିଜନିଜ ଗାଁର ସରକାରୀ କଣ୍ଟ୍ରୋଲ ଦୋକାନରୁ ସଂଗ୍ରହ କରିବା ନିମନ୍ତେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଟୋକନ ପହଞ୍ଚାଇ ଗହଳି ରୋକିବାକୁ ଉଦ୍ୟମ କରୁଛନ୍ତି ସରକାର। ମାତ୍ର ମୋରଡ଼ା ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ କତ୍ତୃପକ୍ଷ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ବେଖାତିର କରି ଫୋନ ଯୋଗେ ଖବରଦେଇ ଅଭିଭାବକ ସହ ଆସି ଟୋକନ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ। ଯୋଉଥିପାଇଁ ଜାରୀରହିଥିବା ଲୋକଡାଉନକୁ ବେଖାତିର କରି ଖରାରେ ଝାଳନାଳ ହୋଇ ଦୂରଦୂରାନ୍ତରୁ ସ୍କୁଲ ପରିସରରେ ପହଞ୍ଚି ଟୋକନ ସଂଗ୍ରହ ପାଇଁ ଗହଳି ଲଗାଇଥିଲେ ଅଭିଭାବକ ଓ ଛାତ୍ର ।
ସ୍କୁଲ କତ୍ତୃପକ୍ଷ ଟୋକନ ବାଣ୍ଟିବା ସମୟରେ ମହାମାରୀ ସାଜିଥିବା କରୋନା ସଂକ୍ରମଣ ଭଳି ସାଙ୍ଘାତିକ ବିପଦକୁ ଖାତିରକରିବା ଦୂରରକଥା ସାମାଜିକ ଦୂରତା ପ୍ରତି ମଧ୍ୟ ସାମାନ୍ୟଗୁରୁତ୍ୱ ଦେଇନଥିଲେ କି ହାତ ଧୋଇବା ପାଇଁ କୌଣସି ବ୍ୟବସ୍ଥା କରିନଥିଲେ। ଯାହାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନାମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ମୋରଡ଼ାଥାନା ଆଇଆଇସି ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି। ତେବେ ଅନୁପସ୍ଥିତ ଥିବା ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ଟୋକନ ବାଣ୍ଟୁଥିବା ଶିକ୍ଷକ ଏବଂ ସହକାରୀ ଦାୟିତ୍ବ ତୁଲାଉଥିବା ଏଟେଣ୍ଡାଣ୍ଟ ପୋଲିସ ଆସିବା ଦେଖି କାଗଜପତ୍ର ଛାଡି ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ। ତେବେ ସମଗ୍ର ଭାରତବର୍ଷ ଏଭଳି ଘଡିସନ୍ଧି ମୁହୂର୍ତ୍ତର ସାମ୍ନା କରୁଥିବା ବେଳେ ସରକାରୀ ନିର୍ଦ୍ଦେଶ ନ ମାନି ଉଭୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦାୟିତ୍ବବାନ ଭାରପ୍ରାପ୍ତ ଅଧ୍ୟକ୍ଷ। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ନିଜ ସୁବିଧା ପାଇଁ ଅଭିଭାବକମାନଙ୍କୁ ଭକୁଆ ବନାଇବାକୁ ଉଦ୍ୟମ କରିଥିବା ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ମନମୁଖୀ ଦାୟିତ୍ବହୀନ କାର୍ଯ୍ୟକୁ ନାପସନ୍ଦ କରି ନିନ୍ଦା କରିବା ସହିତ ତୁରନ୍ତ ନିଲମ୍ବିତ କରିବାକୁ ଦାବି କରିଛନ୍ତି ଅଭିଭାବକମାନେ।
ସେହିପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମୋରଡ଼ା ପରିସରରେ ସୃଷ୍ଟି ହୋଇଥିବା ଅଭାବନୀୟ ଘଟଣାସମ୍ପର୍କରେ ଖବରପାଇ ବ୍ଲକଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଅସନ୍ତୋଷ ପ୍ରକାଶ କରିବା ସହିତ ଅନୁପସ୍ଥିତ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ତୁରନ୍ତ ସ୍କୁଲରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେବା ସହିତ ସ୍ଥାନୀୟ ସିଆରସିସିଙ୍କୁ ଛାତ୍ରଛାତ୍ରୀଙ୍କ ଘରେ ଟୋକନ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମୋରଡ଼ାର ଭାରପ୍ରାପ୍ତ ଅଧ୍ୟକ୍ଷ ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ନିଜେ ଅନୁପସ୍ଥିତ ରହିବା ଭଳି ଗୁରୁତ୍ତର ଭୁଲ କରିବା ସହିତ ସରକାରୀ ନିର୍ଦ୍ଦେଶକୁ ଅବମାନନା କରିବା ଘଟଣାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ ସୁଦ୍ଧା କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିଲେ। ତେବେ ମୋରଡ଼ା ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ କତ୍ତୃପକ୍ଷ କଣ ରାଜ୍ୟ ସରକାରଙ୍କ ଉର୍ଦ୍ଧ୍ବରେ କି ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକମାନେ? ପୁଣି ଗହଳିକୁ ଏଡ଼ାଇ ସମ୍ଭାବ୍ୟ କରୋନା ସଂକ୍ରମଣରୁ ସାଧାରଣ ଜଣଜୀବନକୁ ସୁରକ୍ଷିତ ରଖିବାକୁ ସରକାର ଲକଡାଉନ ଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବା ସତ୍ତ୍ୱେ ବିଦ୍ୟାଳୟର ଖୋଦ ଭାରପ୍ରାପ୍ତ ଅଧ୍ୟକ୍ଷ ନିଜେ ଅନୁପସ୍ଥିତ ରହି ଫୋନରେ ସହକାରୀମାନଙ୍କ ମାଧ୍ୟମରେ ଅଭିଭାବକ ମାନଙ୍କୁ ଡକାଇ ଜାଣିଶୁଣି ଗହଳି ସୃଷ୍ଟି କରି ମହାମାରୀର ରୂପନେଇ ଘାତକ ସାଜିଥିବା କରୋନା ସଂକ୍ରମଣର ବାର୍ତ୍ତାବହ ସାଜିବା ବେଶ ଏକ ଲଜ୍ୟାଜନକ ଘଟଣା। ସେହିପରି ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ଉଭୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେବା ସହିତ ଏଭଳି ଉଦ୍ଦେଶ୍ୟମୂକକ ପଦକ୍ଷେପର କଡା ନିନ୍ଦା କରାଯାଇ ତୁରନ୍ତ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବାକୁ ଦାବି ହେଉଛି। ଅନ୍ୟପଟେ ଏହି ବ୍ୟତିକ୍ରମ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିବାରୁ ଆମକୁ ଟୋକନ ଘରେ ପହଞ୍ଚାଇବାକୁ ନିର୍ଦ୍ଦେଶ ହୋଇନାହିଁ ବୋଲି ସ୍କୁଲ ଠାରୁ ଦୁଇଶହ କିଲୋମିଟର ଦୂରରେ ନିଜ ଘରେ ରହି କହିଥିଲେ ବୋଲି ଟୋକନ ବାଣ୍ଟୁଥିବା ଶିକ୍ଷକ ଆମ ପ୍ରତିନିଧିଙ୍କୁ କହିଥିଲେ। ତେବେ ରାଜ୍ୟ ଏବଂ ଦେଶ କରୋନାକୁ ନେଇ ଜରୁରୀକାଳୀନ ଭଳି ପରିସ୍ଥିତି ଦେଇ ଗତି କରୁଥିବା ବେଳେ ସରକାରୀ ନିର୍ଦ୍ଦେଶକୁ ନିଜ ସୁବିଧା ପାଇଁ ବେଖାତିର କରି ସରକାରଙ୍କ କାର୍ଯ୍ୟଧାରାକୁ ଚ୍ୟାଲେଞ୍ଜ ଦେଇଥିବା ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ସରକାର ହୁଅନ୍ତୁକି ଜିଲ୍ଲାପାଳ କିପ୍ରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking