39.8 C
Bhubaneswar
Thursday, April 18, 2024
Homeଓଡିଶାଆଜିଠୁ ୧୪ଦିନ ଲକ୍‌ଡାଉନ, ଟ୍ୱିନ୍‌ସିଟିରେ ୩୮ପ୍ଲାଟୁନ୍ ଫୋର୍ସ ମୁତୟନ

ଆଜିଠୁ ୧୪ଦିନ ଲକ୍‌ଡାଉନ, ଟ୍ୱିନ୍‌ସିଟିରେ ୩୮ପ୍ଲାଟୁନ୍ ଫୋର୍ସ ମୁତୟନ

ସାରା ରାଜ୍ୟରେ ହେବ କଡ଼ାକଡ଼ି ଯାଞ୍ଚ
ଭୁବନେଶ୍ୱର : ବୁଧବାର ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ୧୪ଦିନିଆ ଲକ୍‌ଡାଉନ ଲାଗୁ ହେବ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ । କେବଳ ଜରୁରୀକାଳିନ କର୍ମଚାରୀ ନିଜ ଅଫିସ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ । ଏହାସହ ଜରୁରୀ ପରିସ୍ଥିତିରେ ସାଧାରଣଲୋକେ ପୁଲିସର ଅନୁମତି ନେଇ ଯିବାଆସିବା କରିପାରିବେ ।

ଭୁବନେଶ୍ୱର, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ବ୍ରହ୍ମପୁର, ଢ଼େଙ୍କାନାଳ ସମେତ ଅନ୍ୟାନ୍ୟ ସହରରେ ଲକ୍‌ଡାଉନ କଡ଼ାକଡ଼ି କରିବା ପାଇଁ ରାଜ୍ୟପୁଲିସ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ହୋଇଛି । ପ୍ରତ୍ୟେକ ଜିଲ୍ଲାରେ ପୁଲିସ ଟିମ୍ ମୁତୟନ କରାଯିବା ସହ ନାକାବନ୍ଦି କରାଯାଇଛି । ଏହାସହ ପିସିଆର୍ ଭ୍ୟାନକୁ ପାଟ୍ରୋଲିଂ କରିବା ପାଇଁ ପ୍ରସ୍ତୁତ ହୋଇଛି । ସେହିପରି ଅତ୍ୟାବଶ୍ୟକ ସେବା ଯେପରି ପ୍ରଭାବିତ ନହୁଏ, ସେନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ମଙ୍ଗଳବାର ସବୁ ଜିଲ୍ଲାର ଏସ୍‌ପିମାନେ ନିଜ ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ବୁଧବାର ଠାରୁ କିଭଳି ଲକ୍‌ଡାଉନ ନିୟମ କଡ଼ାକଡ଼ି କରାଯିବ, ସେନେଇ ଅଫିସରମାନଙ୍କ ସହିତ ଆଲୋଚନା କରିଥିଲେ ।

ବିଶେଷକରି ଟ୍ୱିନ୍‌ସିଟି ଭୁବନେଶ୍ୱର-କଟକରେ ଲକ୍‌ଡାଉନ କଡ଼ାକଡ଼ି କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଟ୍ୱିନ୍‌ସିଟିରେ ୮୬ଟି ପଏଣ୍ଟ୍‌ରେ ନାକାବନ୍ଦି କରାଯାଇଛି । ଭୁବନେଶ୍ୱରକୁ ୬ଟି ଜୋନ୍ କରାଯାଇ ୫୩ଟି ଓ କଟକରେ ୩୩ଟି ଚେକ୍ ପୋଷ୍ଟ ହୋଇଛି । ଏହି ସ୍ଥାନ ଗୁଡ଼ିକରେ ଲୋକମାନଙ୍କୁ ଯାଞ୍ଚ କରାଯିବ । ସେହିପରି ଭୁବନେଶ୍ୱରରେ ୨୦ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ କଟକରେ ୧୮ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ରାଜଧାନୀରେ ୨୦୦ ଅଫିସରଙ୍କ ସମେତ ୧୬୦ ପୁଲିସ ହାବିଲଦାର ଓ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି । ସେହିପରି କଟକରେ ୯୦ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଲକ୍‌ଡାଉନରେ ଅତ୍ୟାବଶ୍ୟକ ଯାତାୟତ ନିମନ୍ତେ କୋହଳ କରାଯାଇଛି । ବିଦ୍ୟୁତ ସଂସ୍ଥା, ଜଳ ଯୋଗାଣରେ ସଂସ୍ଥା, ସ୍ୱାସ୍ଥ୍ୟ ସେବା, ନିର୍ମାଣ କମ୍ପାନୀ ଓ କୃଷିଜାତୀୟ ଭଳି ଅତ୍ୟାବଶ୍ୟକ ସେବାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଯାତାୟତ କରିପାରିବେ । ହସ୍ପିଟାଲ, କୋଭିଡ୍ ପରୀକ୍ଷା, ଭ୍ୟାକ୍ସିନ୍ କିମ୍ବା ବାହାଘରକୁ ଯାଉଥିଲେ ଉପଯୁକ୍ତ ତଥ୍ୟପ୍ରମାଣ ଦେଇ ଯାଇପାରିବେ । ହେଲେ ଡ଼ାକ୍ତରଖାନାକୁ ଯାଉଥିବା ନେଇ ପ୍ରେସ୍‌କ୍ରିପସନ୍ ଦେଖାଇ ଯଦି ଅନ୍ୟକିଛି କାର୍ଯ୍ୟ କରୁଥିବା କେହି ଧରାପଡ଼ନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ପୁଲିସ କହିଛି । କୌଣସି ଜରୁରୀ କାର୍ଯ୍ୟ ନଥାଇ ବାହାରେ ବୁଲିଲେ ଆଇନ ଅନୁଯାୟୀ ଜୋରିମାନା ସହ ଦଣ୍ଡ ମିଳିବା ନେଇ ନିୟମ ହୋଇଛି । ସହରବାସୀଙ୍କ ସୁରକ୍ଷା ପାଇଁ ଏହି ଲକ୍‌ଡାଉନ କରାଯାଉଛି । ତେଣୁ ଜନସାଧାରଣଙ୍କୁ ନିୟମ ପାଳନ କରିବା ସହିତ ସହଯୋଗ କରିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking