ଜଳ, ସ୍ଥଳ, ଆକାଶ ପଥ ସିଲ : ଆଲର୍ଟରେ ସେନା ଓ ସାମରିକ ବାହିନୀ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୋମବାର ରାତିରେ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯିବା ପରେ କୌଣସି ପରିସ୍ଥିତିର ସାମ୍ନା କରିବା ପାଇଁ ସେନା ଏବଂ ସାମରିକ ବାହିନୀକୁ ପ୍ରସ୍ତୁତ ରଖାଯାଇଛି। ଏଥିରେ ୩୦ଟି ରାଜ୍ୟ ସହ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳରେ କଡାକଡି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋମବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ବିଭିନ୍ନ ରାଜ୍ୟରେ ଲକଡାଉନ୍ ସତ୍ୱେ ଲୋକମାନେ ବାହାରେ ବୁଲାବୁଲି କରୁଥିବା ଏବଂ ନିୟମ ଅନୁପାଳନ କରୁନଥିବା ଖବର ମିଳିବା ପରେ ସାରା ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ନିଷ୍ପତ୍ତି ନିଆଯାଇଛି। ଏହା ଏକମାତ୍ର ବିକଳ୍ପ ଥିଲା ବୋଲି ବୈଠକରୁ ଜଣାପଡିଛି। ପରେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମୁଖ୍ୟଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଥିଲା । ଅନ୍ୟପକ୍ଷରେ, ସମ୍ପୂର୍ଣ୍ଣ ଲକଡାଉନକୁ ଦୃଷ୍ଟିରେ ରଖି ସେନା ଏବଂ ସାମରିକ ବାହିନୀକୁ ସଜାଗ ରଖାଯାଇଛି।