28.1 C
Bhubaneswar
Thursday, March 28, 2024
Homeଅପରାଧଗର୍ଭବତୀ ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣା : ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଗର୍ଭବତୀ ସ୍ତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣା : ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଜଗତସିଂହପୁର : ବାଲିକୁଦା ଥାନା ନଲରା ନୂଆଗାଁ ଗ୍ରାମର ରିଙ୍କି ଓରଫ ମମତା ରାଣୀ ସ୍ୱାଇଁ(୨୫)ଙ୍କୁ ତାର ସ୍ୱାମୀ ହର୍ଷବର୍ଦ୍ଧନ ସ୍ୱାଇଁ(୩୭) ଅଧିକ ଯୌତୁକ ଦାବିରେ ହତ୍ୟା କରିବା ଘଟଣାର ବିଚାର କରି ସୋମବାର ଜିଲ୍ଲା ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ସ୍ୱାମୀ ହର୍ଷବର୍ଦ୍ଧନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅନାଦେୟ ଅର୍ଥ ଅଧିକ ୫ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଦଣ୍ଡାଦେଶ ଜାରି କରିଛନ୍ତି । ଜିଲ୍ଲା ଦୌରାଜଜ୍ ଏହି ହତ୍ୟା ମାମଲାରେ ୧୪ ଜଣ ସାକ୍ଷୀ ଓ ୨୦ଟି ଡକ୍ୟୁମେଣ୍ଟାରୀ ପ୍ରମାଣକୁ ନେଇ ଅଭିଯୁକ୍ତ ସ୍ୱାମୀକୁ ଏହି ଦଣ୍ଡାଦେଶ କରାଯାଇ ଥିବା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ପବ୍ଲିକ ପ୍ରୋସିକ୍ୟୁଟର ନଳିନୀକାନ୍ତ ମହାରଣା ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଧନୁରବେଲାରୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଝିଅ ମମତାରାଣୀ ୨୦୧୫ ମସିହା ଜୁନ୍ ୧୨ ତାରିଖରେ ନିକଟସ୍ଥ ତାରିଣୀ ମନ୍ଦିରରେ ସେହି ବାଲିକୁଦା ଥାନା ବାବାଜୀ ଚରଣ ସ୍ୱାଇଁଙ୍କ ପୁଅ ହର୍ଷବର୍ଦ୍ଧନଙ୍କୁ ବିବାହ କରିଥିଲେ । ବିବାହ ସମୟରେ ଯାନି ଯୌତୁକ ଦିଆଯାଇଥିଲା । ହର୍ଷବର୍ଦ୍ଧନ ଭୁବନେଶ୍ୱରର ଏକ ସୁନା ଦୋକାନରେ ଚାକିରି କରୁଥିବାବେଳେ ବିବାହ ପରେ ଉଭୟ ଭୁବନେଶ୍ୱରରେ ଆସି ରହିଥିଲେ । ବିବାହର କିଛି ମାସ ପରେ ହର୍ଷବର୍ଦ୍ଧନ ଅଧିକ ଯୌତୁକ ଦାବି ଆରମ୍ଭ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଖବରପାଇ ରିଙ୍କିଙ୍କ ବାପା ପୂର୍ଣ୍ଣଚନ୍ଦ୍ର ଝିଅକୁ ନିଜ ପାଖରେ ରଖିବା ପାଇଁ ଭୁବନେଶ୍ୱର ଯାଇ ଝିଅ ରିଙ୍କିକୁ ନେଇ ଆସିଥିଲେ । ତେବେ ରିଙ୍କି ୬ମାସ ଗର୍ଭବତୀ ହେବା ପରେ ହର୍ଷବର୍ଦ୍ଧନ ନିଜ ସ୍କୁଟି ଧରି ଶ୍ୱଶୁର ଘର ଗ୍ରାମ ଧନୁରବେଲାରୀରେ ପହଞ୍ଚି ରିଙ୍କିକୁ ମେଡିକାଲ ଟେଷ୍ଟ କରିବା ପାଇଁ ନେଇ ଆସିଥିଲେ । ହେଲେ ରାତି ୯ ଟା ବାଜିବା ପରେ ବି ରିଙ୍କି ମେଡିକାଲରୁ ନଫେରିବା ନେଇ ଜ୍ୱାଇଁ ହର୍ଷବର୍ଦ୍ଧନ ଓ ହର୍ଷବର୍ଦ୍ଧନଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲେ ହେଁ ସମସ୍ତ ଫୋନ ସୁଇଜ ଅଫ୍ ଥିଲା । ଏହାର ପର ଦିନ ଅର୍ଥାତ୍ ୨୦୧୬ ମସିହା ଅଗଷ୍ଟ ୬ ତାରିଖ ସକାଳେ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପରିବାର ଖବର ପାଇଲେ ଯେ ତାଙ୍କ ଝିଅର ମୃତଦେହ ନିକଟସ୍ଥ ଦଶବାଟିଆ ଇଚ୍ଛାପୁର ରାସ୍ତାର କେରୁଆଁପଡା ଗ୍ରାମ ରାସ୍ତା କଡରେ ପଡିଛି । ଏନେଇ ରିଙ୍କିଙ୍କ ବାପା ପୂର୍ଣ୍ଣଚନ୍ଦ୍ର ନିକଟସ୍ଥ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ଏହି ମାମଲାରେ ଅଗଷ୍ଟ ୭ ତାରିଖରେ ଅଭିଯୁକ୍ତ ସ୍ୱାମୀ ହର୍ଷବର୍ଦ୍ଧନ ସ୍ୱାଇଁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking