ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା : ନିଜ ପତ୍ନୀକୁ ତଣ୍ଟିଚିପି ହତ୍ୟାକରି ଆତ୍ମହତ୍ୟାର ରୂପ ଦେବା ପାଇଁ ତାର ଚୁନରୀରେ ଘରେ ଓହଳାଇ ଦେଇଥିଲା ସ୍ୱାମୀ । ଏହି ମାମଲାର ଚୁଡ଼ାନ୍ତରାୟ ପ୍ରକାଶ କରି କଳାହାଣ୍ଡି ଜିଲ୍ଲା ତଥା ଦୌରାଜଜ୍ ପ୍ରଦୀପ କୁମାର ପଟ୍ଟନାୟକ ପତ୍ନୀହନ୍ତା ସ୍ୱାମୀ ତନୁରଞ୍ଜନ ନାଗକୁ ଦୋଷୀ ସାବ୍ୟସ୍ତକରି ଆଜୀବନ କାରାଦଣ୍ଡ ଓ ୧୦ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତିି । ଜୋରିମାନା ଅର୍ଥ ଅନାଦେୟ ହେଲେ ଅତିରିକ୍ତ ୧ବର୍ଷ କାରାଦଣ୍ଡ ଆଦେଶ କରିଛନ୍ତି । ସେହିପରି ଦଫା ୨୦୧ରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ଓ ୨ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ କରିଛନ୍ତି । ଜୋରିମାନା ଅନାଦେୟ ହେଲେ ଅତିରିକ୍ତି ୬ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି ।
ଗତ ୨୦୧୫ମସିହା ନଭେମ୍ବର ୬ ତାରିଖ ରାତିରେ ଜିଲ୍ଲା କେସିଙ୍ଗା ଥାନା ଅଞ୍ଚଳରେ ତନୁରଞ୍ଜନ ନାଗ ନିଜ ଦ୍ୱିତୀୟ ସ୍ତ୍ରୀ ସୁଷମା ନାଗକୁ ତଣ୍ଟି ଚିପି ହତ୍ୟାକରି ସ୍ତ୍ରୀ ସୁଷମାର ସାଢ଼ୀରେ ନିଜଘରେ ଝୁଲାଇ ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲା । ଏଥିରେ ତନୁକୁ ତାର ପ୍ରଥମ ସ୍ତ୍ରୀ ଲାଇବନି ନାଗ ଓ ଭାଇ ତିରନ ନାଗ ସହାୟତା କରିଥିଲେ । ଏହି ଘଟଣାରେ ସୁଷମାର ବାପା ସଂସାର ବାଗ କେସିଙ୍ଗା ଥାନାରେ ଏତଲା ଦେଇଥିଲେ । ପରେ ପୁଲିସ୍ ଘଟଣାର ତଦନ୍ତକରି ଅଭିଯୁକ୍ତ ତନୁରଞ୍ଜନ ନାଗ, ଲାଇବନି ନାଗ ଓ ତିରନ ନାଗଙ୍କ ନାମରେ ଚାରର୍ଜସିଟ ଦାଖଲ କରିଥିଲା । ଏହି ମାମଲାର ଶୁଣାଣୀ କରି ସମସ୍ତ ମୁଦାଲାକୁ ଯୌତୁକ ନିର୍ଯାତନା ମାମଲାରୁ ଖଲାସ କରିବାସହ ପତ୍ନୀହନ୍ତା ସ୍ୱାମୀ ତନୁରଞ୍ଜନ ନାଗଙ୍କୁ ଦଫା ୩୦୨ ଓ ଦଫା ୨୦୧ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ।