ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ହତ୍ୟା : ଯୁବକକୁ ଆଜୀବନ ଜେଲ୍

ଗଞ୍ଜାମ : ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଓ ଶାରୀରିକ ସମ୍ପର୍କରକ୍ଷା କରିବାରେ ବିଫଳ ହୋଇ ହତ୍ୟା କରିଥିବା ମାମଲାରେ ଏଡିଜେ(୧) ବୁଧବାର ସଦରଥାନା ଅନ୍ତର୍ଗତ କାଉଖତ ଗ୍ରାମର ଟୁନା ଡାକୁଆଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜୋରିମାନାର ଆଦେଶ ଦେଇଛନ୍ତି । ଜୋରିମାନା ଅନାଦାୟ ଆଉ ଏକବର୍ଷ ଜେଲ୍ ଦଣ୍ଡର ଆଦେଶ ରହିଛି । ତେବେ ଏହି ଘଟଣାରେ ଅନେକ ସାକ୍ଷୀ ଘଟଣା ସମ୍ପର୍କରେ ଜାଣି ନଥିବା କୋର୍ଟରେ କହିଥିବାବେଳେ ମହିଳାଙ୍କ ଜଣେ ନାବାଳକ ପୁଅ କୋର୍ଟରେ ଘଟଣା ସମ୍ପର୍କରେ ଅନେକ କିଛି ତଥ୍ୟ ପ୍ରଦାନ କରିଥିଲେ ।
ସୂଚନା ଅନୁଯାୟୀ, ହଳଦିଆପଦର ଅଞ୍ଚଳର ସଞ୍ଜୁ ବେହେରାଙ୍କୁ ତାଙ୍କ ସ୍ୱାମୀ ଦୀର୍ଘଦିନ ଧରି ଛାଡି ଦେଇଥିଲେ । ସଞ୍ଜୁ ମାଛ ବ୍ୟବସାୟ କରି ବେଶ୍ ଶାନ୍ତିରେ ରହୁଥିଲେ । ଇତି ମଧ୍ୟରେ ସଦରଥାନା କାଉଖତ ଗ୍ରାମର ଟୁନା ଡାକୁଆଙ୍କ ସହ ସଞ୍ଜୁଙ୍କ କୌଣସି ପ୍ରକାରେ ସମ୍ପର୍କ ନିବିଡ଼ ହୋଇଥିଲା । ହେଲେ ଟୁନାଙ୍କ ସବୁବେଳେ ସଞ୍ଜୁଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ୨୦୧୮ ଜୁନ୍ ମାସ ୧୭ ତାରିଖ ଦିନ ସଞ୍ଜୁଙ୍କୁ ଅପରାହ୍ଣ ୫ଟା ସମୟରେ ଟୁନା ଡାକିନେଇଥିଲା । ପରେ ନିକଟସ୍ଥ ରାଳବ ଗ୍ରାମର ଏକ ବୃଦ୍ଧାଶ୍ରମ ନିକଟରେ ସଞ୍ଜୁଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ନେଇ ଗ୍ରାମବାସୀ ପୁଲିସ ନିକଟରେ ଖବର ଦେଇଥିଲେ । ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା । ମୃତଦେହ ନିକଟରୁ ଏକ ବିଅର ବୋତଲ ଏବଂ କିଛି ଗ୍ଲାସ୍ ଜବତ କରାଯାଇଥିଲା । ତଦନ୍ତ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିବା ବେଳେ ମୃତ ମହିଳାଙ୍କ ଜଣେ ନାବାଳକ ପୁଅ ତଦନ୍ତ ଅଧିକାରୀ ଆଲୋକ ଜେନାଙ୍କୁ ସାମାନ୍ୟ ସୁରାକ ଦେବାପରେ ଏକ ସେଲୁନ୍‌ରୁ ଟୁନାଙ୍କୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିଲା ପୁଲିସ । ଗିରଫ ପରେ ଟୁନା ପୁଲିସ ନିକଟରେ ଘଟଣା ସ୍ୱୀକାର କରିବା ସହ ପ୍ରେମ ନିବେଦନ ଏବଂ ବିବାହ ପାଇଁ ରାଜି ନ ହେବାରୁ ମହିଳାଙ୍କୁ ଭଙ୍ଗା ବିଅର ବୋତଲରେ ପେଟକୁ ଭୁଷି ହତ୍ୟା କରିଥିବା କହିଥିଲା । ପରେ ଏହି ମାମଲାର ବିଚାରଣା କୋର୍ଟରେ ଚାଲିଥିବାବେଳେ ୨୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା । ସମସ୍ତ ସାକ୍ଷୀଙ୍କ ବୟାନକୁ ଦେଖି ଏଡିଜେ(୧) ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ଅଭିଯୁକ୍ତ ଟୁନା ଡାକୁଆ ପୂର୍ବରୁ ଅନ୍ୟଜଣେ ଯୁବତୀଙ୍କୁ ମଧ୍ୟ ପ୍ରେମ ନିବେଦନ କରି ବିଫଳ ହେବାପରେ ତାଙ୍କ ବେକକୁ କାଟି ଦେଇଥିଲେ । ତେବେ ସୌଭାଗ୍ୟ ବଶତଃ ଯୁବତୀ ବଞ୍ଚି ଯାଇଥିଲେ । ଏହି ମାମଲାରେ ମଧ୍ୟ ଟୁନାଙ୍କୁ ପୂର୍ବରୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା । ସରକାରଙ୍କ ପକ୍ଷରୁ ଆଇନଜୀବୀ ଜ୍ଞାନ ଜେନା ମକଦ୍ଦମା ପରିଚାଳନା କରୁଥିଲେ ।