34.1 C
Bhubaneswar
Thursday, April 25, 2024
Homeଅପରାଧଜ୍ୟୋତ୍ସ୍ନା ହତ୍ୟା ଘଟଣା : ଶିବଙ୍କୁ ଆଜୀବନ କାରାଦଣ୍ଡ

ଜ୍ୟୋତ୍ସ୍ନା ହତ୍ୟା ଘଟଣା : ଶିବଙ୍କୁ ଆଜୀବନ କାରାଦଣ୍ଡ

ଢେଙ୍କାନାଳ : ଆଜିକୁ ଠିକ ୫ବର୍ଷ ତଳେ ଜଣେ କୁଷ୍ଠ ରୋଗୀଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ସହ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ଶିବ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଏହି ଘଟଣାର ବିଚାର ବ୍ୟବସ୍ଥାକୁ ପରିବାର ଲୋକ ଓ ଗ୍ରାମବାସୀ ସହଜେ ଗ୍ରହଣ କରିପାରି ନାହାନ୍ତି । ଯଦିଓ ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳିଛି ହେଲେ ଅଭିଯୁକ୍ତ ଶିବଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲେ ସବୁଠୁ ବେଶି ଖୁସି ହୋଇଥାନ୍ତି ବୋଲି ଅତି କୋହଭରା କଣ୍ଠରେ କହିଛନ୍ତି ପୀଡିତାଙ୍କ ମା’ ଜୟନ୍ତୀ ପଧାନ । ଏପରିକି ଗ୍ରାମବାସୀ ମଧ୍ୟ ଏପରି ଦଣ୍ଡାଦେଶକୁ ସହଜେ ଗ୍ରହଣ କରିପାରିନାହାନ୍ତି । ତେବେ ଏହି ଘଟଣାକୁ ଲୋକଲୋଚନକୁ ଆଣିବା ସହ ଶେଷ ପର୍ଯ୍ୟନ୍ତ ସାଥ ଦେଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଫାଇଟସ୍ ଫର୍ ରାଇଟ’କୁ ଗ୍ରାମବାସୀ କୃତଜ୍ଞତା ଜଣାଇଛନ୍ତି ।
୨୦୧୬ ଜାନୁୟାରୀ ୨୪ ତାରିଖରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାରୁଆଁ(ବି) ପଞ୍ଚାୟତର ଆଦିବାସୀ ବସ୍ତି ହେଉଛି ମାଳୁଆଗୋଡା । ସେହି ବସ୍ତିରେ ରୁହନ୍ତି ରଙ୍ଗାଧର ପଧାନ । ସେ ଜଣେ କୁଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତି । ରଙ୍ଗାଧରଙ୍କ ନିମନ୍ତେ ଔଷଧ ଆଣିବା ପାଇଁ ତାଙ୍କ ପତ୍ନୀ ଜୟନ୍ତୀ ମଠକରଗୋଳା ଯାଇଥିଲେ । ସେଦିନ ଶନିବାର ଥିବାରୁ ଡମଶାଳ ଆଶ୍ରମ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପାଠ ପଢୁଥିବା ସେମାନଙ୍କ ଝିଅ ଜ୍ୟୋସ୍ନା (୧୦)ସ୍କୁଲକୁ ସକାଳୁ ଆସିଥିଲା । ସମସ୍ତ କ୍ଲାସ ବି କରିଛି ବୋଲି କହିଥିଲେ ପ୍ରଧାନଶିକ୍ଷୟିତ୍ରୀ ଅଙ୍ଗୁରବାଳା ବାରିକ । ସ୍କୁଲରୁ ଫେରି ଆସିଥିଲା ଜ୍ୟୋତ୍ସ୍ନା । ମାଆ ଘରେ ନ ଥିଲେ, ବାପାଙ୍କ ପାଇଁ ଯାଇଥିଲେ ଔଷଧ ଆଣିବାକୁ । ବାପା ବାରଣ୍ଡାରେ ପଡି ରହିଥିଲେ । ସ୍କୁଲରୁ ଫେରି ଜ୍ୟୋତ୍ସ୍ନା କଣ ଟିକେ ଖାଇଦେଇ ପଡୋଶୀ ଘରକୁ ଟିଭି ଦେଖିବାକୁ ଯାଇ ରାତିରେ ଆଉ ଫେରିନଥିଲା । ଝିଅର ନିଖୋଜ ନେଇ ପରିବାର ଲୋକ ଚିନ୍ତିତ ହୋଇପଡିଥିଲେ ।
ତେବେ ଏ ସମ୍ପର୍କରେ ପୁଲିସକୁ ଖବର ଦେବାରେ ପଡୋଶୀ ଶିବ ପ୍ରଧାନଙ୍କୁ ଅଟକ ରଖି ପଚରାଉଚୁରା କରିବାରେ ଘଟଣାର ଖୁଲାସା ହୋଇଥିଲା । ଶିବ ଜ୍ୟୋତ୍ସ୍ନାଙ୍କୁ ଟିଭି ଦେଖିବାକୁ ଡାକି ନେଇ ଦୁଷ୍କର୍ମ କରି ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବାକୁ ଘର ପଛ ପଟେ ଥିବା ପାଳଗଦା ନିକଟରେ ପୋତି ଦେଇଥିଲା । ପୀଡିତାଙ୍କ ବାପା ଓ ମା’ ଝିଅର ନିଖୋଜ ସମ୍ପର୍କରେ ପୁଲିସକୁ ଜଣାଇବା ପାଇଁ ସାହସ ଜୁଟାଇ ପାରି ନ ଥିଲେ ଭୁବନ ଥାନାକୁ ଆସିବା ନିମନ୍ତେ । ହେଲେ ରବିବାର ଅପରାହ୍ନରେ ଫାଇଟ ଫର ରାଇଟର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଝିଅର ନିଖୋଜ ଘଟଣା ଜାଣି ତତ୍କାଳୀନ ଭୁବନ ଥାନାଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟିଙ୍କୁ ଜଣାଇଥିଲେ । ଅଥଚ ଆଇଆଇସି ଶ୍ରୀ ପୃଷ୍ଟି ମଧ୍ୟ ଏହାକୁ ଗୁରୁତ୍ୱ ଦେଇନଥିଲେ । ଶ୍ରୀ ସାହୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିଖିଲ କାନୋଡିଆଙ୍କୁ ଭେଟି ସମସ୍ତ ଘଟଣା ଜଣାଇଥିଲେ ।
ଫାଇଟ ଫର ରାଇଟର କର୍ମକର୍ତ୍ତା ଦେବଦୂତ ଭାବେ ଡମଶାଳ ଆଶ୍ରମ ସ୍କୁଲକୁ ଯାଇ ଉପସ୍ଥାନ ଚେକ କରି ଶନିବାର ପୀଡିତା ସ୍କୁଲ ଯାଇଥିବା ସତ୍ୟାସତ୍ୟ ଜାଣି ପାରିଥିଲେ । ପରେ ସେମାନେ ୱାର୍ଡ ସଭ୍ୟଙ୍କ ସହାୟତାରେ ଘଟଣାସ୍ଥଳ ମଧ୍ୟ ପରିଦର୍ଶନ କରିଥିଲେ । ସମସ୍ତ ପ୍ରମାଣ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରିବା ପରେ ପ୍ରଥମେ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଏସପି । ସେ ଘଟଣାର ଛାନଭିନ କରିଥିଲେ । ଅଭିଯୁକ୍ତକୁ ଗିରଫ ଦାବିରେ ଫାଇଟ ଫର ରାଇଟ ସଦସ୍ୟମାନେ କଳାପଟି ବାନ୍ଧି ପ୍ରତିବାଦ ଜଣାଇଥିଲେ । ଶେଷରେ ଅଭିଯୁକ୍ତ ଶିବ ପଧାନକୁ ପୁଲିସ ଗିରଫ କରିଥିଲା । ୫ ବର୍ଷ ପରେ ମାନ୍ୟବର ନ୍ୟାୟାଳୟ ଅଭିଯୁକ୍ତ ଶିବଙ୍କୁ ଆଜୀବନ କାରାଦଣ୍ଡାଦେଶ ରାୟ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking