ପୁରୀ ବଡଦାଣ୍ଡକୁ ମଦ, ଆମିଷ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର – ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ହେଉଛି ବିଶ୍ୱର ଏକ ପ୍ରମୁଖ
ଆଧ୍ୟାତ୍ମିକ କ୍ଷେତ୍ର । ସାରା ବିଶ୍ୱରେ ରହୁଥିବା କୋଟି କୋଟି ଜଗନ୍ନାଥ ପ୍ରେମିଙ୍କର ବିଶ୍ୱାସର
ପ୍ରାଣକେନ୍ଦ୍ର ହେଉଛି ଶ୍ରୀକ୍ଷେତ୍ର ପୁରୀ । ପୁରୀର ବଡଦାଣ୍ଡ ହେଉଛି ଏକ ପବିତ୍ର ସ୍ଥାନ । ବର୍ଷକୁ ଥରେ
ମହାପ୍ରଭୁ ଜଗନ୍ନାଥ ସେହି ପବିତ୍ର ବଡଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ପବିତ୍ର ବଡଦାଣ୍ଡକୁ
ଆମିଷମୁକ୍ତ, ସେଠାରେ ମଦ ବିକ୍ରିକୁ ସମ୍ପୃର୍ଣ୍ଣ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି
ବିରୋଧୀ ଦଳରେ ନେତା ପ୍ରଦୀପ୍ତ ନାଏକ ।
ଶ୍ରୀ ନାଏକ ଚିଠିରେ ଲେଖିଛନ୍ତି ଯେ ବଦଦାଣ୍ଡରେ ଥିବା ଅନେକ ହୋଟେଲ ଓ ରେଷ୍ଟୁରାଂଟରେ ମଦ,
ଆମିଷ ବିକ୍ରି କରାଯାଉଛି । ବିଳମ୍ବିତ ରାତ୍ରିରେ ଏପରିକି ଦିନବେଳେ ବି ମଦ ପିଇ ବଡଦାଣ୍ଡରେ
ବିଶୃଙ୍ଖଳା କରୁଥିବାର ନଜିର ଅଛି । ଏହା ହେବାଦ୍ୱାରା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ମନରେ
ଓଡିଶା ପ୍ରତି ଏକ ନକରାତ୍ମକ ଭାବନା ଆସୁଛି । ଏହାକୁ ତୁରନ୍ତ ବନ୍ଦ କରିବା ଦରକାର । ଆଗରୁ
ଅନେକ ସାଧୁ ସନ୍ଥ ମାନେ ଏହି ଦାବି ଉଠାଇଛନ୍ତି । ରାଜ୍ୟ ସରକାର ଶ୍ରୀଜଗନ୍ନାଥ ମନ୍ଦିରର
ଚାରିପଟକୁ ସୁନ୍ଦର ଓ ସୁରକ୍ଷିତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଏହା ସ୍ୱାଗତଯୋଗ୍ୟ ।
ଏହା ସହିତ ବଡଦାଣ୍ଡକୁ ମଦମୁକ୍ତ ଓ ଆମିଷମୁକ୍ତ କରିବାର ବି ଆବଶ୍ୟକତା ଅଛି । ଆଶାକରୁଛି
ମୁଖ୍ୟମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବେ ।