28.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଆଇଏନ୍‌ଏସ୍ ମହେନ୍ଦ୍ରଗିରିର ଜଳାବତରଣ

ଆଇଏନ୍‌ଏସ୍ ମହେନ୍ଦ୍ରଗିରିର ଜଳାବତରଣ

ମୁମ୍ବାଇ: ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ ମହେନ୍ଦ୍ରଗିରିର ଶୁକ୍ରବାର ଜଳାବତରଣ କରାଯାଇଛି । ମୁମ୍ବାଇର ମଝଗାଓଁ ଡକ୍ ଶିପ୍‌ବିଲ୍ଡର୍ସ ଲିମିଟେଡ୍‌ରେ ଆୟୋଜିତ ଏକ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ପତ୍ନୀ ସୁଦେଶ ଧନକଡ଼ ଏହାର ଜଳାବତରଣ କରାଇଛନ୍ତି । ଏହି ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ମୁଖ୍ୟଅତିଥି ଭାବେ ସାମିଲ ହୋଇଥିଲେ ।

ପ୍ରୋଜେକ୍ଟ ୧୭ ଆଲ୍‌ଫା ଅଧୀନରେ ନିର୍ମିତ ଯୁଦ୍ଧପୋତ ଆଇଏନ୍‌ଏସ୍ ମହେନ୍ଦ୍ରଗିରି ସପ୍ତମ ଏବଂ ଅନ୍ତିମ ଷ୍ଟିଲ୍‌ଥ ଫ୍ରିଗେଟ୍ । ଏହା ଉନ୍ନତ ଷ୍ଟିଲ୍‌ଥ ଫିଚର୍‌, ଆଡ୍‌ମାନ୍ସଡ୍ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ସେନ୍‌ସର୍‌ରେ ସଜ୍ଜିତ । ଏହାର ନାମ ଓଡ଼ିଶାର ପୂର୍ବଘାଟରେ ସ୍ଥିତ ଏକ ପର୍ବତ ଶୃଙ୍ଗ ନାମରେ ରଖାଯାଇଛି । ଏହା ପୂର୍ବରୁ ଛଅ ଜାହାଜ ଆଇଏନ୍‌ଏସ୍ ନୀଳଗିରି, ଆଇଏନ୍‌ଏସ୍ ହିମଗିରି, ଆଇଏନ୍‌ଏସ୍ ତାରାଗିରି, ଆଇଏନ୍‌ଏସ୍ ଉଦୟଗିରି, ଆଇଏନ୍‌ଏସ୍ ଦୁନାଗିରି ଏବଂ ଆଇଏନ୍‌ଏସ୍ ବିନ୍ଧ୍ୟଗିରିର ନାମ ମଧ୍ୟ ପର୍ବତ ଶୃଙ୍ଗ ନାମରେ ରଖାଯାଇଥିଲା ।

ଭାରତୀୟ ନୌସେନା ୨୦୧୯ରେ ସାତଟି ଯୁଦ୍ଧ ଜାହାଜ ନିର୍ମାଣ ପାଇଁ ପ୍ରୋଜେକ୍ଟ ୧୭ ଆଲ୍‌ଫା ଫ୍ରିଗେଟ୍‌ସ (ପି-୧୭ଏ) ଲଞ୍ଚ୍ କରିଥିଲା । ମଝଗାଓଁ ଡକ୍ ଶିପ୍‌ବିଲ୍ଡର୍ସ ଲିମିଟେଡ୍ (ଏମ୍‌ଡିଏଲ୍‌) ଏବଂ ଗାର୍ଡେନ୍‌ରିଚ୍ ଶିପ୍‌ବିଲ୍ଡର୍ସ ଆଣ୍ଡ୍ ଇଞ୍ଜିନିୟର୍ସ (ଜିଆର୍‌ଏସ୍‌ଇ) ଏହାର ନିର୍ମାଣ କରିଛି । ପ୍ରୋଜେକ୍ଟ ୧୭ର ସମସ୍ତ ଜାହାଜ ଭାରତୀୟ ନୌସେନା ୱାର୍‌ଶିପ୍ ଡିଜାଇନ୍ ବ୍ୟୁରୋ ଇନ୍‌-ହାଉସ୍ ଡିଜାଇନ୍ କରିଛି । ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଏହି ଜାହାଜଗୁଡ଼ିକର ନିର୍ମାଣରେ ବ୍ୟବହୃତ ଉପକରଣ ଏବଂ ପ୍ରଣାଳୀର ୭୫ ପ୍ରତିଶତ ଅର୍ଡର୍ ଏମ୍‌ଏସ୍‌ଏମ୍‌ଇ ସହିତ ଅନ୍ୟ ସ୍ୱଦେଶୀ କମ୍ପାନୀକୁ ଦିଆଯାଇଥିଲା । ଏହା ପୂର୍ବରୁ ଅଗଷ୍ଟ ୧୬ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜିଆର୍‌ଏସ୍‌ଇରେ ପ୍ରୋଜେକ୍ଟ ୧୭ଏର ଷଷ୍ଠ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ ବିନ୍ଧ୍ୟଗିରି ଲଞ୍ଚ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking