ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ଗତବର୍ଷ ଅକ୍ଟୋବର ୩ରେ ଘଟିଥିବା ହିଂସା ମାମଲାରେ ଶୁକ୍ରବାର ଏସ୍ଆଇଟି ପକ୍ଷରୁ ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହି ଚାର୍ଜସିଟ୍ରେ ହିଂସା ସୃଷ୍ଟି କରିଥିବା ଚାଷୀଙ୍କ ନାମ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ ଉକ୍ତଦିନ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗସ୍ତକୁ ବିରୋଧ କରି ଚାଷୀଙ୍କ ପକ୍ଷରୁ ଲଖିମପୁରରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ଏହାକୁ ଭଣ୍ଡୁର କରିବାକୁ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କ ନିର୍ଦ୍ଦେଶରେ ଚାଷୀଙ୍କ ଉପରେ ଗାଡି ମଡାଇ ଦିଆଯାଇଥିଲା ।
ଏଥିରେ ୪ ଜଣ ଚାଷୀଙ୍କର ପ୍ରାଣହାନି ଘଟିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଚାଷୀଙ୍କ ପକ୍ଷରୁ ହିଂସାତ୍ମକ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ୨ ବିଜେପି କର୍ମୀ ଓ ସଂପୃକ୍ତ ଏସ୍ୟୁଭି ଡ୍ରାଇଭର ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ପ୍ରଥମ ଚାର୍ଜସିଟ୍ରେ ଆଶିଷଙ୍କ ସମେତ ୧୨ ଜଣଙ୍କର ନାମ ଉଲ୍ଲେଖ କରାଯାଇଛି । ପୁଲିସ ଇତିମଧ୍ୟରେ ଆଶିଷ ସମେତ ମୋଟ ୧୭ ଜଣଙ୍କୁ ଗିରଫ କରିସାରିଛି ।