31.1 C
Bhubaneswar
Friday, September 13, 2024
Homeଓଡିଶାହାଇକୋର୍ଟରେ ବଡ଼ଗଡ଼ କେନାଲ କଲୋନି ସ୍ୱରେଜ୍ ଓ ଡ୍ରେନେଜ୍ ମାମଲା

ହାଇକୋର୍ଟରେ ବଡ଼ଗଡ଼ କେନାଲ କଲୋନି ସ୍ୱରେଜ୍ ଓ ଡ୍ରେନେଜ୍ ମାମଲା

କଟକ: ଭୁବନେଶ୍ୱର ବଡ଼ଗଡ଼ କେନାଲ କଲୋନି ଅଞ୍ଚଳର ଡ୍ରେନେଜ ଓ ସ୍ୱେରେଜ ବ୍ୟବସ୍ଥା ସଂପର୍କିତ ବୈଷୟିକ ଟିମର ପୂର୍ଣ୍ଣାଙ୍ଗ ରିପୋର୍ଟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ଏମ.ଏସ.ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଭୁବନେଶ୍ୱର ପୌର ନିଗମ (ବିଏମସି) ପକ୍ଷରୁ ଦାଖଲ ସତ୍ୟପାଠରୁ ସ୍ପଷ୍ଟ ହୋଇଥିଲା ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ସେପ୍ଟେମ୍ବର ୧୩ରେ ଏକ ବୈଷୟିକ ଟିମ୍ ଗଠନ କରାଯାଇଥିଲା । ଏଥିରେ ବିଏମସି ସିଟି ଇଂଜିନିୟର, ଡ୍ରେନେଜ ଅଧୀକ୍ଷଣ ଯନ୍ତ୍ରୀ, ୱାଟକୋ ସାଧାରଣ ପରିଚାଳକ, ଭୁବନେଶ୍ୱର ଆର ଆଣ୍ଡ ବି ସର୍କଲ ମୁଖ୍ୟ କନଷ୍ଟ୍ରକସନ ଇଂଜିନିୟର, ଜଳ ସମ୍ପଦ ବିଭାଗ ପ୍ରାଚୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ସଦସ୍ୟ ରହିଛନ୍ତି । ସେପ୍ଟେମ୍ବର ୧୫ରେ ବୈଷୟିକ କମିଟି ସଦସ୍ୟମାନେ ବଡ଼ଗଡ଼ କେନାଲ କଲୋନୀ ଅଞ୍ଚଳ ଯାଇ ସ୍ୱେରେଜ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ ।

ସଂପୃକ୍ତ ଅଞ୍ଚଳରେ ସ୍ୱେରେଜ ସଂଯୋଗ ଦୁଇଟି ଲାଇନରେ ବିଛା ଯାଇଛି । ଏଥିରେ ଗୋଟିଏ ଲାଇନ ଉପର ଅନାବୃତ୍ତ ରହିଛି । ଅଞ୍ଚଳରେ ବ୍ୟକ୍ତିବିଶେଷଙ୍କ ଘରକୁ ସ୍ୱେରେଜ ସଂଯୋଗ କାର୍ଯ୍ୟ ଆଂଶିକ ଶେଷ ହୋଇଛି । ଦୟା ବର୍ଜ୍ୟ କେନାଲ ବନ୍ଧ ସଂପ୍ରସାରଣ ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି । ଏଥି ସହିତ କେନାଲ ବନ୍ଧ ପାର୍ଶ୍ୱ ମୁଖ୍ୟ ଡ୍ରେନ ନିର୍ମାଣ ଆର ଆଣ୍ଡ ବି ଦ୍ୱାରା କରିବା ପାଇଁ ପ୍ରସ୍ତାବ ରହିଛି । ଜଳସେଚନ ବିଭାଗ କେନାଲରେ ଜଳ ପ୍ରବାହର ଯତ୍ନ ନେବ । ଆର ଆଣ୍ଡ ବି ଓ ଜଳସେଚନ ବିଭାଗ କାର୍ଯ୍ୟ ସଂପୂର୍ଣ୍ଣ କରିବା ପରେ ବିଏମସି ଆଭ୍ୟନ୍ତରୀଣ ଡ୍ରେନ୍ କାର୍ଯ୍ୟ ଆରମ୍ଭ କରିବ । ତେଣୁ ମୁଖ୍ୟ ଡ୍ରେନ୍ କାର୍ଯ୍ୟ ଆର ଆଣ୍ଡ ବି କରିବା ପରେ ବିଏମସି ପକ୍ଷରୁ ଆଭ୍ୟନ୍ତରୀଣ ଡ୍ରେନ୍ ଲାଇନ ସଂଯୋଗ କାର୍ଯ୍ୟ କରାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

ଆବେଦନକାରୀଙ୍କ ସମସ୍ୟା ସମାଧାନ ପାଇଁ ସରକାରଙ୍କ ସବୁ ବିଭାଗ ମଧ୍ୟରେ ସମନ୍ୱୟ ଆବଶ୍ୟକ, ଏଥି ପାଇଁ କିଛି ସମୟ ଲୋଡା । ଏହି ମୁଖ୍ୟ ଡ୍ରେନ୍‌, ଆଭ୍ୟନ୍ତରୀଣ ସଂଯୋଗ ଲାଇନ ଇତ୍ୟାଦି କାର୍ଯ୍ୟ ଶେଷ ହେବା ପରେ ଅଞ୍ଚଳରେ ଆଉ ଜଳବନ୍ଦୀ ସମସ୍ୟା ରହିବ ନାହିଁ । ସେ ପର୍ଯ୍ୟନ୍ତ ଜଳ ନିଷ୍କାସନ ପାଇଁ ବିଏମସି ପକ୍ଷରୁ ଆବଶ୍ୟକ ସ୍ଥିତିରେ ପମ୍ପ ବ୍ୟବହାର କରାଯାଉଛି । ଏଭଳି ସ୍ଥିତିରେ ବୈଷୟିକ କମିଟିର ସବିଶେଷ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ଲୋଡା ବୋଲି ବିଏମସି ଅଧୀକ୍ଷଣ ଯନ୍ତ୍ରୀ (ଡ୍ରେନେଜ)ଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । ହାଇକୋର୍ଟ ସତ୍ୟପାଠରେ ଥିବା ତଥ୍ୟକୁ ବିଚାରକୁ ନେଇ ନଭେମ୍ବର ୭ ସୁଦ୍ଧା ବୈଷୟିକ କମିଟି ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ପାଇଁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking