28.1 C
Bhubaneswar
Saturday, April 20, 2024
Homeଓଡିଶାଖୋର୍ଦ୍ଧାରୁ ଲୁଚି ଆସିଥିବା ୪ ଶ୍ରମିକ ବୌଦ୍ଧ କ୍ୱାରେଣ୍ଟାଇନରେ

ଖୋର୍ଦ୍ଧାରୁ ଲୁଚି ଆସିଥିବା ୪ ଶ୍ରମିକ ବୌଦ୍ଧ କ୍ୱାରେଣ୍ଟାଇନରେ

ବୌଦ୍ଧ : ସାରା ଦେଶ ଲକଡାଉନରେ ଥିବା ବେଳେ ବହୁ ଶ୍ରମିକ ଚାଲି ଚାଲି , ସାଇକେଲ ଓ ବିଭିନ୍ନ ଉପାୟରେ ଘରକୁ ଫେରୁଥିବା ବେଳେ ଏନେଇ ପ୍ରଶାସନର ଚିନ୍ତା ବଢିଯାଇଛି । ଖୋର୍ଦ୍ଧାର ଏକ ମିଲରେ କାର୍ଯ୍ୟ କରୁଥିବା ୪ ଜଣ ଶ୍ରମିକ ରବିବାର ଦିନ ଏକ ଟ୍ରକ ଯୋଗେ ଲୁଚି ବୌଦ୍ଧ ଚାଲିଆସି ସହରରେ ବୁଲୁଥିବା ଜଣାପଡିବା ପରେ ଯୁବରେଡକ୍ରସର ସଦସ୍ୟମାନେ ସେମାନଙ୍କୁ ପଚରାଉଚୁରା କରିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରାଧାନଗର ପଞ୍ଚାୟତର କୃଷ୍ଣମୋହନପୁର ଗ୍ରାମର ହୋଇଥିବାବେଳେ ଅନ୍ୟ ଦୁଇଜଣ ସମ୍ବଲପୁର ଜିଲ୍ଲାର ଜଣାପଡିବାପରେ ଏନେଇ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା । ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ ତୁରନ୍ତ ସେଠାରେ ପହଞ୍ଚି ଶ୍ରମିକମାନଙ୍କୁ ଗାଡି ଯୋଗେ ରାଧାନଗର ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଇବାର ବ୍ୟବସ୍ଥା କରାଇଥିଲେ । ତେବେ ଲକଡାଉନ ସାମାନ୍ୟ କୋହଳ ହେବାପରେ ବହୁ ସଂଖ୍ୟାରେ ଶ୍ରମିକ ଗ୍ରାମକୁ ଫେରୁଥିବାବେଳେ ଫେରିବା ବାଟରେ ବୌଦ୍ଧ ସହରର ଏଣେତେଣେ ବୁଲୁଥିବାର ମଧ୍ୟ ନଜରକୁ ଆସୁଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯାଉଥିଲେ ମଧ୍ୟ ବିନା ପଞ୍ଜୀକରଣରେ ଏହି ଶ୍ରମିକମାନେ ଜିଲ୍ଲାକୁ ପ୍ରବେଶ କରୁଥିବା ଯୋଗୁଁ ସଂକ୍ରମଣର ସମ୍ଭାବନା ବୃଦ୍ଧି ହେଉଥିବାରୁ ସାଧାରଣରେ ଚିନ୍ତା ପ୍ରକଟ କରାଯାଇଛି । ଅନ୍ୟପଟେ କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିବା ଲୋକମାନେ ବାହାର ଲୋକଙ୍କ ସହିତ ମିଳାମିଶା କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାବେଳେ ସୁରକ୍ଷା ଅଭାବରୁ ଏହି କେନ୍ଦ୍ର ଗୁଡିକରେ ରହୁଥିବା ଲୋକମାନେ ନିକଟସ୍ଥ ଅଞ୍ଚଳରେ ବୁଳୁଥିବା ମଧ୍ୟ ଅଭିଯୋଗ ହେଉଛି । ତେଣୁ ଏ ସମ୍ପର୍କରେ ଦୃଷ୍ଟି ଦିଆନଗଲେ ଗ୍ରୀନଜୋନରେ ଥିବା ବୌଦ୍ଧ ଜିଲ୍ଲା ପାଇଁ ଯେକୌଣସି ସମୟରେ ବିପଦ ସୃଷ୍ଟି ହେବାର ଆଶଙ୍କା ବୃଦ୍ଧି ପାଇଛି ।

କେରଳରୁ ଆଳି ଫେରିଲେ ୧୫ ପ୍ରବାସୀ


ଆଳି : କେରଳରୁ ବିଭିନ୍ନ ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରବାସୀ ଓଡିଆମାନେ ଟ୍ରେନରେ ଓଡିଶା ଫେରିଛନ୍ତି । କେରଳରୁ ଫେରିଥିବା ପ୍ରବାସୀ ଓଡିଆଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ୧୫ ଜଣ ରବିବାର ଦିନ ପ୍ରାୟ ୨ଟା ବେଳେ ଆଳିରେ ପହଞ୍ଚିଛନ୍ତି । ଏହି ୧୫ ଜଣ ‘ହରପ୍ରିୟା’ନାମକ ଏକ ବସରେ ଆଳି ହାଇସ୍କୁଲରେ ପହଞ୍ଚିଥିଲେ । ଦେମାଳ ପଞ୍ଚାୟତ ପକ୍ଷରୁ ଆଳି ହାଇସ୍କୁଲ ପରିସରରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସେମାନଙ୍କୁ ରଖା ଯାଇଥିଲା । ଆଳି ବିଡିଓ ଦ୍ୱିବେନ୍ଦୁ ଦାସ, ତହସିଲଦାର ତପନ କୁମାର ସେନାପତି, ଏବିଡିଓ ପ୍ରଶାନ୍ତ କୁମାର ଜେନା, ଆଳି ଥାନା ଆଇଆଇସି ସଲିଲ କୁମାର ପ୍ରଧାନ, ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ଓ ଦେମାଳ ସରପଞ୍ଚ ମନୋରଞ୍ଜନ ସାମଲ ସେମାନଙ୍କୁ କ୍ୱାରେଣ୍ଟାଟାଇନ ସେଣ୍ଟରେ ରଖାଇଥିଲେ । ଏହି ୧୫ ଜଣ ପ୍ରବାସୀଙ୍କ ମଧ୍ୟରେ ୯ ଜଣ ପୁରୁଷ,୪ ଜଣ ମହିଳା ଓ ୨ ଜଣ ଶିଶୁ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଏକମାଣିଆ ପଞ୍ଚାୟତର ୫ ଜଣ, ମହୁ ପଞ୍ଚାୟତର ୪ ଜଣ, ଭୁଇଁପୁର ପଞ୍ଚାୟତର ଜଣେ, ସାନମଙ୍ଗ ପଞ୍ଚାୟତର ୩ ଜଣ ଓ ଦେସାହି ପଞ୍ଚାୟତର ୨ ଜଣ ଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଦେମାଳ ସରପଞ୍ଚ ଶ୍ରୀ ସାମଲ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ୧୫ ଜଣ ପ୍ରବାସୀଙ୍କୁ ସେମାନଙ୍କ ନିମନ୍ତେ ଥିବା ସ୍ୱତନ୍ତ୍ର କିଟ୍ ଯୋଗାଇ ଦେବା ସହିତ ରନ୍ଧାଖାଦ୍ୟ ଯୋଗାଇ ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟ ବାହାରେ ଥିବା ଆଳି ବ୍ଲକର ପ୍ରାୟ ୧୦ ହଜାର ପ୍ରବାସୀ ଆଳି ଫେରିବା ନିମନ୍ତେ ପଞ୍ଜୀକରଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking