30.1 C
Bhubaneswar
Wednesday, April 24, 2024
Homeଓଡିଶାଆନ୍ଧ୍ରରେ ଫସିଛନ୍ତି ୨୦୦ ଓଡିଆ ଯୁବକ

ଆନ୍ଧ୍ରରେ ଫସିଛନ୍ତି ୨୦୦ ଓଡିଆ ଯୁବକ

କେନ୍ଦ୍ରାପଡ଼ା : କରୋନା ଲକଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଥିବା ଶ୍ରମିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏହି ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଓଡିଶାର ୫ ଟି ଜିଲ୍ଲାର ୨୦୦ରୁ ଊର୍ଦ୍ଧ୍ୱ ଯୁବକ । ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲା ରାଜୁପଲେମ ଅଞ୍ଚଳରେ କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୨୦୦ ଊର୍ଦ୍ଧ୍ୱ ଯୁବକ ଉକ୍ତ ଅଂଚଳର ବିଭିନ୍ନ ସ୍ଥାନରେ ରହି ଟରବାଇନ ବ୍ଲେଡ ତିଆରି କରୁଥିବା ସିମେନ୍ସ ଗମେଶା କଂପାନୀରେ କାମ କରୁଥିଲେ । ଲକଡାଉନ ପରେ ସେମାନେ ସେଠାରେ ରହିବାକୁ ବାଧ୍ୟ ହୋଇଥିବା ବେଳେ ଲକଡାଉନ ଘୋଷଣା ଦିନ ଠାରୁ ଆଜି ପର୍ଯ୍ୟନ୍ତ କମ୍ପାନୀ ଟଙ୍କାଟିଏ ମଧ୍ୟ ଦରମା ପ୍ରଦାନ କରିନାହିଁ କିମ୍ବା କୌଣସି ସହାୟତା ଦେଇ ନାହିଁ । ନିଜସ୍ୱ ସଞ୍ଚିତ ଅର୍ଥ ଓ ଘରୁ ଆସିଥିବା ଅର୍ଥ ସରିଯିବା ପରେ ସେମାନେ ହତାଶ ହୋଇ ପଡିଥିଲେ । ଓଡିଶା ସରକାର ପ୍ରବାସୀଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରିବା ପରେ ସେମାନେ ମଧ୍ୟ ଫେରିବା ପାଇଁ ନାମ ପଞ୍ଜୀକରଣ କରିଥିଲେ । ଗତ ଶୁକ୍ରବାର ଦିନ ସେଠାକାର ପ୍ରଶାସନ ସେମାନେ ଯିବା ପାଇଁ ନିର୍ଦ୍ଦେଶ ଆସିଛି କହିବା ସହ ଶନିବାର ବସରେ ଯାଇ ଷ୍ଟେସନରେ ପହଁଚି ଟ୍ରେନ ଯୋଗେ ଓଡିଶା ଯିବେ ବୋଲି ମୋନଙ୍କୁ ସୂଚନା ଦେଇଥିଲେ । ଏହା ଶୁଣି ଶ୍ରମିକମାନେ ତୁରନ୍ତ ପାଖରେ ଥିବା ସଉଦାପତ୍ର ବିକି ଦେବା ସହ ଘରକୁ ଫେରିବାକୁ ପ୍ରସ୍ତୁତ ହୋଇଥିଲେ । ହେଲେ ଶନିବାର ଦିନ ଅପେକ୍ଷାରେ ବିତିଲା । ଗାଡି ଆସିଲା ନାହିଁ କି ପ୍ରଶାସନ କିଛି ସୂଚନା ଦେଲା ନାହିଁ । ଏହା ପରେ ସେମାନେ ପ୍ରଶାସନକୁ ଭେଟିବା ପରେ ଓଡ଼ିଶା ସରକାର କିଛି ନିର୍ଦ୍ଦେଶ ଦେଇ ନାହାନ୍ତି,ଆମେ କିଛି କରି ପାରିବୁ ନାହିଁ ବୋଲି କହିଥିଲେ । ଏହାକୁ ବିରୋଧ କରି ଓଡିଆ ଯୁବକମାନେ ରାଜୁପଲେମରୁ ଏନଏଚ ୫କୁ ଲାଗିଥିବା ରାସ୍ତାରେ ଧାରଣାରେ ବସିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝା ଶୁଝା କରି ତିନି ଦିନ ମଧ୍ୟରେ ସେମାନଙ୍କୁ ଓଡ଼ିଶାକୁ ପଠାଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ହେଲେ ଏ ଯାଏଁ କିଛି ବ୍ୟବସ୍ଥା ହୋଇପାରିନଥିବା ଜଣାଯାଇଛି । ଏପଟେ ପଇସା ନଦେଇ କଂପାନୀ କାମ କର ନହେଲେ କ୍ୱାର୍ଟର ଛାଡ ବୋଲି ଧମକ ଦେଉଥିବା ଅଭିଯୋଗ ହୋଇଛି । ଏପରିକି କାମ କଲେ ମଧ୍ୟ ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟା ଦାୟିତ୍ୱ ନେବ ନାହିଁ ବୋଲି କମ୍ପାନୀ ପକ୍ଷରୁ କହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking