23.1 C
Bhubaneswar
Monday, January 24, 2022
Homeଅପରାଧକ୍ରସରରେ ୨୦ଜଣଙ୍କୁ ନିର୍ଯାତନା : ଦରମା ମାଗିବାରୁ ପ୍ରବାସୀ ଶ୍ରମିକଙ୍କୁ ମାଡ଼

କ୍ରସରରେ ୨୦ଜଣଙ୍କୁ ନିର୍ଯାତନା : ଦରମା ମାଗିବାରୁ ପ୍ରବାସୀ ଶ୍ରମିକଙ୍କୁ ମାଡ଼

ଫୁଲବାଣୀ : କରୋନା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ରାଜ୍ୟରେ ଶ୍ରମିକମାନେ ଫସି ରହିଥିବା ବେଳେ ସେମାନଙ୍କ ଦୁଃଖ କଷ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରି ଆସୁଥିବା ବେଳେ ଛତିଶଗଡ଼, ସମ୍ବଲପୁର, କେନ୍ଦୁଝର ଆଦି ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ ଏକ କ୍ରସର ପ୍ଲାଣ୍ଟରେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାହା ଠାରେ ଥିବା ଆରକେଡି ନାମକ ରାସ୍ତା ନିର୍ମାଣକାରୀ ସଂସ୍ଥାର ପଥର କ୍ରସରରେ କାର୍ଯ୍ୟରତ ଶ୍ରମିକମାନେ ସେମାନଙ୍କ ୪ମାସର ବକେୟା ଦରମା ମାଗିବାରୁ କମ୍ପାନୀର କର୍ମଚାରୀ ସେମାନଙ୍କୁ ମାଡ଼ ମାରିଛନ୍ତି । ଫଳରେ ଅନେକଙ୍କ ଶରୀରରେ କ୍ଷତ ହୋଇଥିବା ବେଳେ ଏବେ ସୁଦ୍ଧା ଶ୍ରମିକମାନଙ୍କ ଦେହରୁ ମାଡ଼ର ଦାଗ ଲିଭି ନଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ତୁରନ୍ତ ଦରମା ପ୍ରଦାନ ସହିତ ସେମାନଙ୍କ ଗ୍ରାମକୁ ଯିବା ପାଇଁ ସୁବିଧା କରିବା ପାଇଁ କମ୍ପାନୀ କର୍ତ୍ତୁପକ୍ଷଙ୍କୁ କହିବା ସତ୍ୱେ କମ୍ପାନୀ କୌଣସି ବ୍ୟବସ୍ଥା କରୁନଥିବା ବେଳେ ସ୍ଥାନୀୟ ପ୍ରଶାସନର ସହାୟତା ଲୋଡ଼ିଛନ୍ତି । ଆହତ ହୋଇଥିବା ଛତିଶଗଡ଼ ଖୁରବାଜିଲ୍ଲାର ଦେଓପାହାରୀ ଓ ମୁରଲୀ ଅଞ୍ଚଳର ନାରାୟଣ ସିଂ, ରାମନାରାୟଣ ସିଂ, ତ୍ରିଭୁବନ ସିଂ, ପରଦେଶୀ ସିଂ, ଚରଣ ସିଂ, ଧନ ସାହେବ ସିଂ, ସାଓନ୍ତ ସିଂ, ମହିପତ ସିଂ, ରାମଜିତ ସିଂ ପ୍ରମୁଖ ଏହି ଅଭିଯୋଗ ଆଣିଛନ୍ତି । ଏଥି ସହିତ ସମ୍ବଲପୁର ଅଞ୍ଚଳର କପିଲ ମାଝୀ, ନରୋତ୍ତମ ମାଝୀ, ମନୋଜ ମାଝୀ ଓ ନରେନ୍ଦ୍ର ପ୍ରଧାନ ମଧ୍ୟ ସମାନ କଥା କହିଛନ୍ତି । କମ୍ପାନୀ କର୍ମଚାରୀଙ୍କୁ ପଚାରିବାରୁ ଶ୍ରମିକମାନେ ମାଡ଼ ମରାଯାଇଥିବା ନେଇ ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ । ଅନ୍ୟପକ୍ଷରେ ଏ ନେଇ କମ୍ପାନୀ କ୍ୟାସିୟର ସୌମ୍ୟ ଘଡ଼େଇଙ୍କୁ ପଚାରିବାରୁ ସେ ମଧ୍ୟ ମାଡ଼ ମାରିବା କଥାକୁ ଅସ୍ୱୀକାର କରି ଶ୍ରମିକମାନେ ମଦ୍ୟପାନ କରି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ସେମାନେ ଖଣ୍ଡିଆ ଖାବରା ହୋଇଥିବା କହିଥିଲେ । ଅଭିଯୋଗ ଆଣିଥିବା ଶ୍ରମିକମାନେ ଭୁବନେଶ୍ୱରର ଏକ କଣ୍ଟ୍ରାକ୍ଟର ମନୋଜ ନାୟକଙ୍କ ଦ୍ୱାରା କାମ କରିବା ପାଇଁ ଆସିଥିଲେ । କଣ୍ଟ୍ରାକ୍ଟର ଜଣକ କମ୍ପାନୀଠାରୁ ସମସ୍ତ ଟଙ୍କା ନେଇଯାଇଛନ୍ତି । ସେ ଭୁବନେଶ୍ୱରରୁ ଆସିଲେ ଶ୍ରମିକଙ୍କ ଦରମା କଥା ବୁଝିବେ ବୋଲି ଓଲଟି କ୍ୟାସିୟର ଜଣକ କହିଛନ୍ତି । ତେଣୁ ତୁରନ୍ତ ସେମାନଙ୍କର ୪ମାସର ଦରମା ଦେବା ସହିତ ସେମାନଙ୍କୁ ନିଜ ଘରକୁ ଯିବା ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ସହଯୋଗ କରିବା ପାଇଁ ନେହୁରା ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking