ପୁଣି ରାଜରାସ୍ତାରେ ଅସହାୟ ଶ୍ରମିକ

ଫୁଲବାଣୀ : ପୁଣି ରାଜରାସ୍ତାରେ ଅସହାୟ ଶ୍ରମିକ । କେଉଁଠି ଠିକାଦାର ଦ୍ୱାରା ପ୍ରତାରିତ ହୋଇ ତ ପୁଣି କେଉଁଠି କାମ କରି ମଧ୍ୟ ଟଙ୍କା ପାଇ ନାହାନ୍ତି । ବାଧ୍ୟ ହୋଇ ଖାଇବାକୁ ନପାଇ ଭୋକ ଉପାସରେ ରାଜରାସ୍ତାରେ ଚାଲି ଚାଲି ଯାଉଛନ୍ତି ଶ୍ରମିକ । କନ୍ଧମାଳ ଜିଲ୍ଲା ଫୁଲବାଣୀ-ଫିରିଙ୍ଗିଆ ରାସ୍ତାର କଲମପଦର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଉକ୍ତ ଶ୍ରମିକମାନେ ଫିରିଙ୍ଗିଆ ବ୍ଲକ ତଳପଡା ଲାଭୁରୁଗାଁ ଠାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତାରେ ଗତ ୩ ମାସ ହେଲା କାମ କରୁଥିଲେ । ବର୍ତ୍ତମାନ କରୋନା କଟକଣା ଯୋଗୁଁ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ମିଳିବା ସମ୍ଭବ ହୋଇନଥିଲା । ଗତ କିଛିଦିନ ହେଲା କାମ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ତେବେ ଉକ୍ତ ରାସ୍ତାକାମର ଠିକାଦାର ଗତ ୩ ମାସ ହେଲା ଦେଖା ମିଳିନଥିବା ବେଳେ ନିଜର ପାଉଣା ପାଇଁ ସେଠାରେ ଅପେକ୍ଷା କରିଥିବା ଶ୍ରମିକମାନେ ଶେଷରେ କୌଣସି ରାସ୍ତା ନପାଇ ଚାଲି ଚାଲି ଦଳପଡ଼ା ଗ୍ରାମ ଠାରୁ ନିଜ ଗ୍ରାମ ନୟାଗଡ଼ ଜିଲ୍ଲାର ଗଣିଆ ଅଞ୍ଚଳକୁ ବାହାରିଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ନୟାଗଡ଼ ଜିଲ୍ଲାର ଓ ଅନ୍ୟଜଣେ ଯାଜପୁର ଓ ଅନ୍ୟଜଣେ ମୟୂରଭଞ୍ଜ ଜିଲ୍ଲାର ବୋଲି ପ୍ରକାଶ କରିଛନ୍ତି । ଗ୍ରମାର କିଛି ଲୋକ ଦେଖିବା ମାତ୍ରେ ତାଙ୍କୁ ପଚରା ଉଚରା କରି ଅଟକାଇ ଥିଲେ । ବିଡ଼ିଓ ତୁରନ୍ତ ଏକ ସରକାରୀ ଗାଡ଼ିର ବ୍ୟବସ୍ଥା କରିବା ସହିତ ଶ୍ରମିକମାନଙ୍କୁ ସୁଖିଲା ଖାଦ୍ୟ ଓ ପାଣିର ମଧ୍ୟ ବ୍ୟବସ୍ଥା କରିଥିଲେ । ଶ୍ରମିକମାନଙ୍କ ଅନୁରୋଧ ପ୍ରକାରେ ଗାଡ଼ିର ଚାଳକ ସେମାନଙ୍କୁ ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଛାଡ଼ିଥିଲେ । ଶ୍ରମିକମାନେ ଯେଭଳି ଭାବେ ସୁବିଧାରେ ଯାଇପାରିବେ ଓ ସେମାନେ ନୟାଗଡ଼ ପର୍ଯ୍ୟନ୍ତ ଯାଇପାରିବେ ସେ ନେଇ ଉପଜିଲ୍ଲାପାଳଙ୍କ ନିବେଦନ କରିବା ପରେ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି ।