OnaKhabar

କେଉଁଠୁ ଆରମ୍ଭ ହେଲା ଶ୍ରମିକ ଦିବସ

ଭୁବନେଶ୍ୱର: ଯେଉଁମାନେ ନିଜ ରକ୍ତକୁ ପାଣି କରି ଦିବାରାତ୍ର ଅନିଦ୍ରା ରହି ମର୍ତ୍ତ୍ୟରେ ସ୍ୱର୍ଗ ସୃଷ୍ଟି କରନ୍ତି, ସ୍ଥଳଭାଗରେ ପଦ୍ମ ଫୁଟାନ୍ତି, ସେମାନେ ହେଉଛନ୍ତି ଆମର ନମସ୍ୟ । ସେହି ମନୁଷ୍ୟମାନଙ୍କୁ ଆମେ ସଦସର୍ବଦା ହୃଦୟରୁ ନମ୍ର ପ୍ରଣିପାତ କରିବା ଉଚିତ । ତେବେ କେଉଁ ଦିନଠାରୁ ଏହି ଶ୍ରମିକ ଦିବସ ପାଳନ କରାଯାଉଛି, ଆସନ୍ତୁ ଜାଣିବା ।
ସେ ଦିନ ଥିଲା ୧୮୮୬ ମସିହା ମେ ୧ ତାରିଖ । ଆମେରିକାର ଚିକାଗୋ ସହରରେ ନିର୍ଯ୍ୟାତିତ ଶ୍ରମିକମାନେ ଏକାଠି ହୋଇଥିଲେ । ସେମାନେ ମାଲିକମାନଙ୍କ ଦ୍ୱାରା ଶୋଷିତ, ଲାଂଛିତ ଓ ଅତ୍ୟାଚାରିତ ହେଉଥିଲେ । ତେବେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି । ସେ ଦିନର ସେହି ସମାବେଶରେ ସ୍ଥିର କରାଯାଇଥିଲା କି ସେମାନେ ବି ମଣିଷ । ସେମାନଙ୍କୁ ମଣିଷ ପରି ବଂଚିବାକୁ ଦିଆଯାଉ । ସେମାନଙ୍କ ପେଟକୁ ଦାନା, ଅଣ୍ଟାକୁ କନା, ୧୮ ଘଣ୍ଟା ବଦଳରେ ୮ ଘଣ୍ଟା କାମ କରିବାକୁ ଦିଆଯାଉ । ଶ୍ରମିକମାନେ ମେସିନ ନୁହଁନ୍ତି । ସେମାନଙ୍କର ବି ସୁଖ, ଦୁଖ, ରୋଗ ବୈରାଗ୍ୟ ରହିଛି । ସେତେବେଳେ ଶ୍ରମିକ ଉପରେ ମାଲିକମାନେ ହୋଇ ଉଠିଥିଲେ ଏବଂ ଗୁଣ୍ଡା ଲଗାଇ ପ୍ରତିଶୋଧ ନେଇଥିଲେ । ଶେଷରେ ଫାଶି ଖୁଣ୍ଟରେ ଝୁଲାଇ ମୃତ୍ୟୁ ଦଣ୍ଡ ଦେଲେ । ଶ୍ରମିକ ନେତା ସାଇନ ,ଫିସର, ଏଙ୍ଗେଲ ,ପିୟର୍ସ ଚାହିଁଥିଲେ ଖଟି ଖିଆମାନଙ୍କ ମୁକ୍ତି । ସେମାନେ ବଞ୍ଚିବେ, ଖାଇବେ, ସ୍ୱପ୍ନ ଦେଖିବେ । ସେହି ପ୍ରସିଦ୍ଧ ଦିନରୁ ସୃଷ୍ଟି ହେଲା ପ୍ରସିଦ୍ଧ ମଇ ଦିବସ । ଆଜି ଆମେ ମଇ ଦିବସରେ ମେହନତ କରୁଥିବା ମଣିଷମାନଙ୍କୁ ସଲାମ ଜଣାଉଛୁ । ସେମାନେ ତ୍ୟାଗୀ, ଭୋଗୀ ନୁହଁନ୍ତି । ସେମାନେ ରୋଗୀ, ଯୋଗୀ ନୁହଁନ୍ତି । ସେମାନେ ସ୍ରଷ୍ଟା । ସେମାନଙ୍କ ସୃଷ୍ଟି ଚିରସ୍ଥାୟୀ ଓ ଶାଶ୍ୱତ ।