34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆଧୁନିକ ଯୁଗର କୁମ୍ଭକର୍ଣ୍ଣ : ବର୍ଷକୁ ୩୦୦ ଦିନ ଶୋଉଛନ୍ତି ପୁର୍ଖାରାମ

ଆଧୁନିକ ଯୁଗର କୁମ୍ଭକର୍ଣ୍ଣ : ବର୍ଷକୁ ୩୦୦ ଦିନ ଶୋଉଛନ୍ତି ପୁର୍ଖାରାମ

ଜୟପୁର : ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟାଯୁଗରେ ଲଙ୍କା ନରେଶ ରାବଣର ଭାଇ କୁମ୍ଭକର୍ଣ୍ଣଙ୍କୁ ନିଦ୍ରାମାନବ କୁହାଯାଉଥିଲା । ସେ କୁଆଡେ ବର୍ଷକୁ ୬ ମାସ ଶୋଇ ରହୁଥିବାବେଳେ ଆଉ ୬ ମାସ ଜାଗ୍ରତ ରହୁଥିଲା । ତେବେ ଏଭଳି ଜଣେ ଆଧୁନିକ ଯୁଗର କୁମ୍ଭକର୍ଣ୍ଣଙ୍କୁ ଦେଖିବାକୁ ମିଳିଛି ରାଜସ୍ଥାନର ନାଗୌର ଜିଲ୍ଲାରେ । ନାମ ପୁର୍ଖାରାମ, ବୟସ ମାତ୍ର ୪୨ ବର୍ଷ । ପରିବାର ଲୋକଙ୍କ ସୂଚନା ଅନୁଯାୟୀ ପୁର୍ଖାରାମ ବର୍ଷକୁ ପ୍ରାୟ ୩୦୦ ଦିନ ଶୋଇ ରହୁଛନ୍ତି । ଏ ପ୍ରସଙ୍ଗରେ ସେ କୁମ୍ଭକର୍ଣ୍ଣଙ୍କ ରେକର୍ଡ ଭାଙ୍ଗିଛନ୍ତି ସତ, ତେବେ ଅଳସୁଆ ଗୁଣରୁ ତାଙ୍କର ଏଭଳି ଅଭ୍ୟାସ ବିକଶିତ ହୋଇନାହିଁ । ପ୍ରକୃତରେ ପୁର୍ଖାରାମ ଆଜକୁ ୨୩ ବର୍ଷ ହେଲା ଆକ୍ସିସ୍ ହାଇପରସୋମ୍‌ନିଆ ନାମକ ବିରଳ ରୋଗରେ ପୀଡିତ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଜଣେ ବ୍ୟକ୍ତି ଦିନରେ ଅନ୍ତତଃପକ୍ଷେ ୮ ଘଣ୍ଟା ଶୋଇବା ସ୍ୱାସ୍ଥ୍ୟ ପକ୍ଷରେ ଲାଭଦାୟକ ।

ତେବେ ପୁର୍ଖାରାମ ମାସକୁ ୨୫ ଦିନ କ୍ରମାଗତ ଶୋଇରହୁଥିବାବେଳେ ବାକି ୫ ଦିନ ଜାଗ୍ରତ ରହୁଥିବା ଜଣାପଡିଛି । ଆଉ ଥରେ ନିଦ୍ରା ଗଲେ, ତାଙ୍କୁ ଉଠାଇବା ନିହାତି କଷ୍ଟକର ହୋଇପଡୁଛି ବୋଲି ତାଙ୍କ ପତ୍ନୀ କହିଛନ୍ତି । ୨୩ ବର୍ଷ ପୂର୍ବେ ଯେତେବେଳେ ପୁର୍ଖାରାମଙ୍କ ଶରୀରରେ ଏଭଳି ଲକ୍ଷଣ ଦେଖାଗଲା, ସେତେବେଳେ ପରିବାର ଲୋକେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ସେତେବେଳେ ସେ ଦିନକୁ ପ୍ରାୟ ୧୫ ଘଣ୍ଟା ଶୋଇରହୁଥିଲେ । ବୟସ ବଢିବା ସହ ତାଙ୍କର ଶୋଇବା ସମୟ ମଧ୍ୟ ବଢିଚାଲିଲା । ଏହା କ୍ରମଶଃ ୨୪ ଘଣ୍ଟା ଓ ୭ ଦିନ ପର୍ଯ୍ୟନ୍ତ ଜାରି ରହୁଥିଲା । ତାଙ୍କର ନିଦ୍ରାଦୋଷ ଦୂର କରିବାକୁ ପରିବାର ଲୋକେ ନିୟମିତ ପୂଜାପାଠ ମଧ୍ୟ କରୁଛନ୍ତି, କିନ୍ତୁ ସୁଫଳ ମିଳୁନାହିଁ । ତେବେ ନିଦ୍ରାଗ୍ରସ୍ତ ଥିବାବେଳେ ତାଙ୍କର ନିତ୍ୟକର୍ମ ଓ ସ୍ନାନକାର୍ଯ୍ୟ ସମାପନ କରିବା ପରିବାର ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି କାରଣରୁ ପୁର୍ଖାରାମଙ୍କ ଏକ ତେଜରାତି ଦୋକାନ ମଧ୍ୟ ଠିକ୍‌ଭାବେ ଖୋଲାଯାଇ ପାରୁନଥିବା ଜଣାପଡିଛି । ଅପରପକ୍ଷରେ ଦୀର୍ଘ ସମୟ ଶୋଇ ରହୁଥିଲେ ସୁଦ୍ଧା ତାଙ୍କ ଶରୀରକୁ ଉପଯୁକ୍ତ ବିଶ୍ରାମ ମିଳୁନଥିବା ପୁର୍ଖାରାମ କହିଛନ୍ତି । ନିଦରୁ ଉଠିବାପରେ ତାଙ୍କୁ ବାରମ୍ବାର ଅସ୍ୱସ୍ତି ଲାଗୁଥିବା ଏବଂ ପ୍ରାୟତଃ ମୁଣ୍ଡ ବିନ୍ଧୁଥିବା ସେ କହିଛନ୍ତି । ତେବେ ଦିନେ ନା ଦିନେ ପୁର୍ଖାରାମ ରୋଗରୁ ସୁସ୍ଥ ହୋଇ ପୁଣି ସ୍ୱାଭାବିକ ଜୀବନଯାପନ କରିବେ ବୋଲି ପତ୍ନୀ ଲିଚ୍‌ମି ଦେବୀ ଓ ମାଆ କୁଆଁରୀ ଦେବୀ ଏବେ ମଧ୍ୟ ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking