‘କୃଷି ଓଡିଶା-୨୦୨୦’ ଉଦଘାଟିତ

ଭୁବନେଶ୍ବର: ଆଜି ‘କୃଷି ଓଡ଼ିଶା-୨୦୨୦’ ଜନତା ମଇଦାନଠାରେ ଉଦଘାଟିତ ହୋଇଯାଇଛି । ଜାନୁଆରି ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ୫ ଦିନିଆ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରାଜ୍ୟ କୃଷି ନୀତି ଉନ୍ମୋଚନ କରିଛନ୍ତି । ପାରମ୍ପରିକ ଧାରାକୁ ଛାଡ଼ି ଚାଷୀମାନେ କିଭଳି ନୂତନ ଜ୍ଞାନକୌଶଳ ବଳରେ ଲାଭଜନକ ଚାଷ କରିପାରିବେ ସେଥିପାଇଁ ଏହି ମେଗା ପ୍ରଦର୍ଶନୀ ଆରମ୍ଭ ହୋଇଛି । କୃଷିର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି ସରକାର । ସେ ଚାହାନ୍ତି, ଚାଷୀମାନେ ସ୍ୱାଭିମାନର ସହ ବଞ୍ଚନ୍ତୁ । କୃଷିର ବିକାଶ ପାଇଁ ସରକାର ନିଷ୍ଠାର ସହ କାମ କରୁଛନ୍ତି । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି । ନୂଆ କୃଷିନୀତିର ମୂଳ ଲକ୍ଷ୍ୟ ହେଉଛି ଚାଷୀର ବିକାଶ । ଚାଷୀମାନେ ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ସେମାନେ ଅଧିକ ଲାଭବାନ୍ ହୋଇପାରିବେ । ସରକାର ଚାଷୀମାନଙ୍କ ହିତରେ କାମ କରୁଛନ୍ତି ଓ ସେମାନଙ୍କ ସହ ସବୁବେଳେ ଅଛନ୍ତି । ଏହି ଅବସରରେ କୃଷିମନ୍ତ୍ରୀ ଡ.ଅରୁଣ ସାହୁ ନିଜ ବକ୍ତବ୍ୟରେ କହିଛନ୍ତି, ରାଜ୍ୟର ଚାଷୀମାନଙ୍କ ଆୟ ବଢ଼ିଛି। ୨୦୦୨ ଓ ୨୦୦୩ରେ ଚାଷୀଙ୍କ ଆୟ ଯେତିକି ଥିଲା ତାହା ଏବେ ୭ ଗୁଣା ବୃଦ୍ଧି ପାଇଛି । ରାଜ୍ୟର ୧୪ ଟି ଜିଲ୍ଲାରେ ୭୦ଟି ବ୍ଲକରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ |