‘କୃଷି ଓଡ଼ିଶା’ ଦେଖାଉଛି ରୋଜଗାରର ବାଟ : ପ୍ରାଣୀ ସମ୍ପଦ କ୍ଷେତ୍ରରେ ରହିଛି ବ୍ୟାପକ ସୁଯୋଗ

‘ପାଠ ପଢ଼ିବୁ, ଚାକିରି କରିବୁ’ । ସ୍ୱପ୍ନ ବିଳାସୀ ଯୁବପିଢ଼ି ଭିତରେ ସାଧାରଣତଃ ଏଇ ଧାରଣାଟି ବସା ବାନ୍ଧିଥାଏ । ମାତ୍ର ଚାକିରି ବାହାରେ ଯେ ରୋଜଗାରର ବ୍ୟାପକ କ୍ଷେତ୍ର ଅଛି, ତାହା ଅନେକ ଚିନ୍ତା ହିଁ କରନ୍ତି ନାହିଁ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜଧାନୀର ଜନତା ମୈଦାନରେ ଆୟୋଜିତ ‘କୃଷି ଓଡ଼ିଶା’ ପ୍ରଦର୍ଶନୀ ଘୂରି ବୁଲିଆସିଲେ କିନ୍ତୁ ଏ ଧାରଣା ବଦଳିଯାଇପାରେ । କେବଳ କୃଷି ନୁହେଁ, ଗୋପାଳନ ଓ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ରରୁ ଯେ ସୁନ୍ଦର ଉପାର୍ଜନ କରିହୁଏ ତାହା ମଧ୍ୟ ବୁଝି ହେବ ।
ଯଦି ଆପଣଙ୍କର ୧ଏକର ଜାଗା ଅଛି, ତେବେ ସେଇ ଜାଗାରୁ ଆପଣ ବର୍ଷକୁ ୩ରୁ ୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଅତିରିକ୍ତ ନିର୍ଦେଶକ ଡକ୍ଟର ପ୍ରେମାନନ୍ଦ ରାଉତ । ତାଙ୍କ କହିବା ମୁତାବକ ୧ ଏକର ଜାଗାରେ ୪ଟି ଉନ୍ନତମାନର ଗାଈ, ୫୦ଟି କୁକୁଡ଼ା, ଛୋଟ ପୋଖରୀ, ଘାସ ଚାଷ, ଫଳ ଚାଷ ଆଦି ବ୍ୟବସ୍ଥିତ ଢଙ୍ଗରେ କଲେ ଜଣେ ବର୍ଷକୁ ୩ରୁ ୫ଲକ୍ଷ ଟଙ୍କା ରୋଜଗାର କରିପାରିବ । ବିଶେଷକରି, ଗୋପାଳନ କ୍ଷେତ୍ରରୁ ଜଣେ ବେଶ୍ ଲାଭବାନ ହୋଇପାରିବ । ସାଧାରଣତଃ ଓଡ଼ିଶାରେ ବିଞ୍ଝାରପୁରୀ, ଘୁମୁସରୀ, ଖରିଆର ଓ ମୋଟୁ ଭଳି ଦେଶୀୟ ଗାଈ ଦେଖିବାକୁ ମିଳନ୍ତି । ମାତ୍ର ବିଦେଶରୁ ଆସିଥିବା ହୋଲ୍‌ଷ୍ଟିନ୍ ଗାଈ ଏବେ କ୍ଷୀର ଉତ୍ପାଦନରେ ସବୁଠୁଁ ଆଗରେ ରହିଛି । ହୋଲ୍‌ଷ୍ଟିନ୍ ଗାଈ ମୁଖ୍ୟତଃ ସ୍ୱିଜରଲାଣ୍ଡ୍ ଭଳି ଦେଶମାନଙ୍କରେ ଦେଖବାକୁ ମିଳୁଥିବା ବେଳେ ଓଡ଼ିଶାରେ ଜର୍ସି ଗାଈ ଜରିଆରେ କୃତ୍ରିମ ପ୍ରଜନନ କରାଯାଉଛି । ହୋଲ୍‌ଷ୍ଟିନ୍ ଗାଈ ଦିନକୁ ୫୦ରୁ ୬୦ ଲିଟର କ୍ଷୀର ଦେଇଥାଏ । ତେବେ ଓଡ଼ିଶାରେ କୃତ୍ରିମ ପ୍ରଜନନ ମାଧ୍ୟମରେ ହେଉଥିବା ହୋଲ୍‌ଷ୍ଟିନ ପ୍ରଜାତିର ଗାଈ ନିଜେ ଜନ୍ମ କରିବା ପରେ ୧୫ରୁ ୧୭ଲିଟର ପର୍ଯ୍ୟନ୍ତ କ୍ଷୀର ଦେଉଛି ।
ବିଭାଗୀୟ ସହକାରୀ ନିର୍ଦ୍ଦେଶକ ଡକ୍ଟର ମଦନ ମୋହନ ମହାପାତ୍ରଙ୍କ କହିବା ଅନୁଯାୟୀ, ହୋଲ୍‌ଷ୍ଟିନ ଗାଈ ଯଥେଷ୍ଟ ଦୁଗ୍ଧ ଉତ୍ପାଦନର ସୁଯୋଗ ସୃଷ୍ଟି କରୁଥିଲେ ହେଁ ତାକୁ ସେଇଭଳି ଯତ୍ନ ନିଆନଗଲେ ଏହି ପ୍ରଜାତି ବେଶିଦିନ ତିଷ୍ଠିବ ନାହିଁ । ଥଣ୍ଡା ଜଳବାୟୁରେ ବଢ଼ିଥିବାରୁ ହୋଲ୍‌ଷ୍ଟିନ୍ ରହୁଥିବା ଗୁହାଳରେ ପଙ୍ଖାର ଆବଶ୍ୟକତା ରହିଛି । ସ୍ଥଳବିଶେଷରେ ତାକୁ ଏସିରେ ମଧ୍ୟ ରଖିବାକୁ ପଡ଼େ । ସୁବିଦିନେ ଗାଧୋଇବାକୁ ପଡ଼େ । ପରିଷ୍କାର ପାଣି ଦେବାକୁ ପଡ଼େ । ଯେଉଁ ଗାଈ କ୍ଷୀର ଦେଉ ନଥାଏ ତାକୁ ଅନ୍ୟୂନ ଦେଢ଼ କେଜି ଦାନା ଖୁଆଇବାକୁ ପଡ଼େ । ସେହିପରି ଗାଈଟି ଯେତିକି କ୍ଷୀର ଦେଉଥାଏ ତାକୁ ସେଇ ହିସାବରେ ଲିଟର କ୍ଷୀର ପିଛା ଦେଢ଼ କେଜି କରି ଦାନାର ଆବଶ୍ୟକତା ପଡ଼େ । ଏହାଛଡ଼ା ଘାସ ଦେବାକୁ ପଡ଼େ । ଯଦି ଏସବୁକୁ ପାଳନ କରାଯାଏ ତେବେ ଗାଈଟି ବର୍ଷକୁ ୨୫୦ରୁ ୨୮୦ ଦିନ ପାଖାପାଖି କ୍ଷୀର ଦିଏ ବୋଲି କହିଛନ୍ତି ଡକ୍ଟର ମହାପାତ୍ର ।
 
ସାଇୱାଲ ପ୍ରଜାତିର ଗାଈ ମଧ୍ୟ ଓଡ଼ିଶା ପରିବେଶରେ ଖାପ ଖୁଆଇ ନେଇଥିବାରୁ ସେମାନଙ୍କୁ ସାଧାରଣ ଭାବେ ପାଳି ଦୈନିକ ୮ରୁ ୧୦ ଲିଟର ପର୍ଯ୍ୟନ୍ତ କ୍ଷୀର ଉତ୍ପାଦନ କରି ହେବ । ଏହା ବ୍ୟତୀତ ଗୀର୍ ଓ ଥାରପାର୍କର ଭଳି ଦେଶୀୟ ପ୍ରଜାତିର ଗାଈ ଆଦିମ ସମୟର ହୋଇଥିବା ବେଳେ ସେମାନଙ୍କର କ୍ଷୀର ଉତ୍ପାଦ କ୍ଷମତା ବହୁତ ଲାଭ ପ୍ରଦାନ କରୁଛି । ସଂପ୍ରତି ରାଜ୍ୟରେ ୧୬କୋଟି ୧୫ ଲକ୍ଷ ଗୋସମ୍ପଦ ଚିହ୍ନଟ ହୋଇଛି । ଗୋପାଳନ କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ସୁଯୋଗ ରହିଛି ବୋଲି ଡକ୍ଟର ମହାପାତ୍ର ସୂଚନା ଦେଇଛନ୍ତି । ବିଞ୍ଝାରପୁରୀ ଗାଈ ଦୈନିକ ୫-୬ ଲିଟର କ୍ଷୀର ଦେଇଥାଏ । ତେବେ ହୋଲଷ୍ଟିନ୍ ଭଳି ଏହାକୁ ପାଳିବାରେ ଏତେ ଝିନ୍‌ଝଟ ନଥାଏ । ହରିୟାଣା ଗାଈ ସହ ମିଶାଇ ବିଞ୍ଝାରପୁରୀରୁ ପ୍ରଜନନ କଲେ ଗାଈ ଭଲ କ୍ଷୀର ଦେଉଥାଏ । ଏହାର ଅଣ୍ଡିରା ଛୁଆର ମଧ୍ୟ ବେଶ୍ ଚାହିଦା ଥାଏ । ପ୍ରଜନନରୁ ଜନ୍ମ ନେଉଥିବା ବଳଦ ବହୁ ହୃଷ୍ଟପୃଷ୍ଟ ହେଉଥିବାରୁ ଜନ୍ମ ହେବା ମାତ୍ରେ ଲୋକେ ୧୫ ହଜାର ଟଙ୍କା ଲେଖାଏଁ ବଇନା ଦେଇ କିଣି ନିଅନ୍ତି ।
ବିଞ୍ଝାରପୁରୀ ଗାଈ ମଧ୍ୟ ବର୍ଷକୁ ୨୧୦ ଦିନ କ୍ଷୀର ଦିଏ । ଗୁଜୁରାଟର ଜୁନାଗଡ଼, ଗୀର୍ ଜଙ୍ଗଲ, ଭାବନଗର ଓ ଆମ୍ରେଲିରେ ରହୁଥିବା ଗୀର୍ ଗାଈକୁ ମଧ୍ୟ କୃତ୍ରିମ ପ୍ରଜନନ ପ୍ରକ୍ରିୟାରେ ପ୍ରସ୍ତୁତ କରାଯାଉଥିବାରୁ ତାହା ଦୈନିକ ୫- ୬ଲିଟର କ୍ଷୀର ଦେବାର କ୍ଷମତା ରଖୁଛି । ତେଣୁ ଗୋପାଳନରେ କ୍ଷେତ୍ରରେ ଜଣେ ରୋଜଗାରକ୍ଷମ ହୋଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ କେବଳ ଜଣେ ଗୋପାଳନ କଲେ ଏଥିରୁ ବିଶେଷ ଉପକୃତ ହୋଇପାରିବ ନାହିଁ । ତେଣୁ ଏଥିପାଇଁ ଅନ୍ୟୂନ ୧ ଏକର ଜାଗା ଯଦି ଥାଏ ସେଠାରେ ୪ଟି ଗାଈ ସହିତ ୫୦ କୁକୁଡ଼ା, ଛୋଟ ପୋଖରୀ ଓ ହାଇଡ୍ରୋପୁନିକ ଘାସ, ଫଳ ଚାଷ କରି ବହୁ ପରିମାଣରେ ଉପକୃତ ହୋଇପାରିବ । କୁକୁଡ଼ାର ମଳ, ଗାଈର ଗୋବର ହେଲେ ଚାଷବାସ କ୍ଷେତ୍ରରେ ମଧ୍ୟ କୃତ୍ରିମ ସାରର ଆବଶ୍ୟକତା ପଡ଼ିବ ନାହିଁ । ସେଠାରେ ମଧ୍ୟ ସହଜରେ ଜିଆ ଖତ ପ୍ରସ୍ତୁତ କରିହେବ ବୋଲି ଅତିରିକ୍ତ ନିର୍ଦେଶକ ଡକ୍ଟର ପ୍ରେମାନନ୍ଦ ରାଉତ କହିଛନ୍ତି ।
ବ୍ଲାକ୍ ବେଙ୍ଗଲ ଛେଳି ସୁସ୍ୱାଦୁ ମାଂସ ପାଇଁ ଜଣାଶୁଣା । ଓଡ଼ିଶାର ପାଣିପାଗ ଏହି ଛେଳି ପାଇଁ ଅନୁକୂଳ । ଗୋଟିଏ ମାଈ ଛେଳି ୧୦ରୁ ୧୨ କେଜି ଓ ଅଣ୍ଡିରା ଛେଳି ୧୪ର ଓଜନ ପ୍ରାୟ ୧୬ କେଜି । ଏମାନଙ୍କୁ ପାଳିବାରେ ଚାଷୀଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼େ ନାହିଁ । ଏମାନେ ମୁଖ୍ୟତଃ ଘାସ ଖାଇଥାନ୍ତି । ସେହିପରି ଓଡ଼ିଶାରେ ଖାକି–କ୍ୟାମ୍ପବେଲ୍ ନାମକ ଏକ ବତକ ପ୍ରଜାତି ମଧ୍ୟ ପାଳନ କରାଯାଉଛି । ବିଦେଶୀ ବ୍ରିଡ୍‌ ହୋଇଥିଲେ ହେଁ ସେମାନେ ଓଡ଼ିଶାର ଜଳବାୟୁରେ ଭଲ ବଢ଼ିପାରୁଛନ୍ତି । ବତକଟିଏ ଜନ୍ମର ୮ ମାସ ପରେ ଅଣ୍ଡା ଦେବା ଆରମ୍ଭ କରିଦିଏ । ଏହି ଅଣ୍ଡାରେ ବେଶି ଲୌହ ଅଂଶ ଓ ପୋଷକ ତତ୍ୱଚା ଥାଏ । ଶରୀର ପାଇଁ ଏହା ବେଶ୍ ଉପକାରୀ ହୋଇଥିବାରୁ ଏହାର ଚାହିଦା ରହିଛି । ଖାକି-କ୍ୟାମ୍ପବେଲ୍ ବର୍ଷକୁ ୧୮୦ରୁ ୨ଶହ ଅଣ୍ଡା ଦେଉଥିବା ବେଳେ ୫ ବର୍ଷ ଯାଏଁ ତା’ର ଉତ୍ପାଦନ କ୍ଷମତା ରହିଥାଏ  ତେଣୁ ପ୍ରାଣୀ ସମ୍ପଦକୁ ତୁଲାଇପାରିଲେ ଜଣେ ଚାଷୀ କମ୍ ସମୟ ଓ ଶ୍ରମ ଦେଇ ଭଲ ରୋଜଗାର କରିପାରିବ ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି ।