37.1 C
Bhubaneswar
Thursday, March 28, 2024
Homeଓଡିଶାବନ୍ଦେ ଉତ୍କଳ ଜନନୀର ପ୍ରତିବାଦ : ଓଡିଶା ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇ ପାଇଁ କୋସଲ ରାଜ୍ୟ...

ବନ୍ଦେ ଉତ୍କଳ ଜନନୀର ପ୍ରତିବାଦ : ଓଡିଶା ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇ ପାଇଁ କୋସଲ ରାଜ୍ୟ ସମନ୍ୱୟ ସମିତିର ଡାକରା

ବଲାଙ୍ଗିର,- ବନ୍ଦେ ଉତ୍କଳ ଜନନୀ କୁ ନେଇ ବିବାଦ ଆହୁରି ଘନେଇବାକୁ ଲାଗିଛି । ରାଜ୍ୟ ସରକାର ଏହାକୁ ମାନ୍ୟତା ଦେଉଥିବା ସ୍ଥଳେ ଏହି ବିବାଦ କୋସଲବାଦିଙ୍କୁ ଆହୁରି ନିଆଁ ଯୋଗାଇବା ସହ ଏକଜୁଟ କରୁଥିବା ଦେଖିବାକୁ ମିଳୁଛି । ତେବେ ଏହି ବିବାଦକୁ କେନ୍ଦ୍ରକରି କୋସଲ ରାଜ୍ୟ ସାମନ୍ୱୟ ସମିତି, ଓଡିଶା ବିରୁଦ୍ଧରେ ଏକ ନିର୍ଣ୍ଣାୟକ ଲଢେଇ ପାଇଁ ଡାକରା ଦେଇଛି ।
ପ୍ରକାଶ ଯୋଗ୍ୟ ଯେ, ଓଡିଶା ସହିତ କୋସଲର ମିଶ୍ରଣ ଦିନଠାରୁ ଓଡିଶା ପ୍ରଶାସନ ଏ ଅଂଚଳକୁ ଲୁଣ୍ଠନ କରିଆସିଛି । ସବୁବେଳେ ଭୁବନେଶ୍ୱରରେ କ୍ଷମତାସୀନ ରାଜନୈତିକ ଦଳ ଓ ସରକାର କୋସଳାଂଚଳକୁ ଉଗ୍ର ଆଂଚଳିକ ବୈଷମ୍ୟର ଶିକାର କରିଛି । ଏକଦା ଏକ ସମୃଦ୍ଧଶାଳୀ ଅଂଚଳର ପରିଚିତ ପାଇଥିବା କୋଶଳାଂଚଳ ଓଡିଶା ପ୍ରଶାସନର ଏତାଦୃଶ ଅବହେଳା ଓ ଶୋଷଣ ଯୋଗୁଁ ଆଜି ବିଶ୍ୱ ଦାରିଦ୍ର‌୍ୟ ମାନଚିତ୍ରରେ ସ୍ଥାନୀତ ହୋଇଛି । ୧୯୩୬ ମସିହାରୁ ବିଶେଷ କରି ଗଡଜାତ ମିଶ୍ରଣ ପରେ ପରେ କ୍ରମାଗତ ଭାବରେ ଏ ଅଂଚଳର ସବୁ ପ୍ରତିଷ୍ଠାନକୁ ଧ୍ୱଂସ କରାଯାଇଛି ଏବଂ ଏ ଅଂଚଳର ଜଳ, ଜମି, ଜଙ୍ଗଲ ଓ ଖଣିଜ ତଥା ଅନ୍ୟାନ୍ୟ ପ୍ରାକୃତିକ ସଂପଦର ଲୁଣ୍ଠନ କରାଯାଇଛି । ଏ ଅଂଚଳର କୃଷି ଓ କୃଷକଙ୍କ ମଧ୍ୟ ଚରମ ଶୋଷଣ ର ଶିକାର କରାଯାଇଛି । ଫଳତଃ ଆଜି ଲକ୍ଷ ଲକ୍ଷ ଶ୍ରମିକ ଦାଦନ ଖଟିି ଯାଉଥିବା ବେଳେ ଶହ ଶହ ଚାଷୀ ଆତ୍ମହତ୍ୟା କଲେଣି । ଏ ଅଂଚଳର ଛାତ୍ର ଯୁବକମାନଙ୍କ ଭାଗ୍ୟକୁ ଅନ୍ଧକାରାଛନ୍ନ କରାଯାଇଛି । ପ୍ରାୟତଃ ସମସ୍ତ ପ୍ରତିଷ୍ଠିତ ଶିକ୍ଷା ପ୍ରତିଷ୍ଠାନ ଉପକୂଳ ଓଡିଶାରେ ସ୍ଥାପିତ କରାଯାଇଥିବା ବେଳେ କର୍ମ ନିଯୁକ୍ତି କ୍ଷେତ୍ରରେ କୋଶଳାଂଚଳର କଳ କାରଖାନା ଓ ସରକାରୀ ପ୍ରତିଷ୍ଠାନମାନଙ୍କରେ ସ୍ଥାନୀୟ ଯୁବକମାନଙ୍କୁ ଅଣଦେଖା କରାଯାଇ ସେ ସ୍ଥାନରେ ଉପକୂଳ ଓଡିଶାର ପିଲାମାନଙ୍କୁ ନିଯୁକ୍ତି ଦିଆଯାଉଛି । ଫଳତଃ ଆମର ଶିକ୍ଷିତ ଯୁବକ ବେକାର ରହୁଛନ୍ତି ନ ହେଲେ ସେମାନେ ଧନ୍ଦା ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ପଳାଇଯାଉଛନ୍ତି । ଖାଲି ସେତିକି ନୁହେଁ ଆମର ଭାଷା, ସଂସ୍କୃତି ଓ ଇତିହାସକୁ ଧ୍ୱଂସ କରି ଦେବା ପାଇଁ ମଧ୍ୟ ସେମାନେ କ୍ରମାଗତ ଭାବରେ ଚେଷ୍ଟା କରୁଛନ୍ତି । ସବୁ ଦିଗରୁ ଆମକୁ ଚଳିତଳାନ୍ତ କଲା ପରେ ବେଡି ଉପରେ କରାଡା ମାଡ ଦେବା ଭଳି ତାଙ୍କ ଭାଷାର ଉତ୍କଳ ବନ୍ଦନାକୁ ଜବରଦସ୍ତ ଆମ ଉପରେ ଲଦି ଦେଇ ଆମ ମାତୃଭୂମି “କୋଶଲ” କୁ ଅପମାନିତ କରିଛନ୍ତି । ବ୍ରିଟିଶ ଜମାନାରେ ମଧ୍ୟ ଭାରତ ଉପରେ ଏଭଳି ଅତ୍ୟାଚାର ବୋଧହୁଏ ହେଉନଥିଲା । ସଂବିଧାନ ଓ ବିଧି ବ୍ୟବସ୍ଥାରେ ରାଜ୍ୟ ସଂଗୀତର ମର୍ଯ୍ୟାଦାର କୌଣସି ପ୍ରାବଧାନ ନ ଥିବା ବେଳେ କୋଶଳ, କଳିଙ୍ଗ ଓ ଉତ୍କଳ କୁ ନେଇ ଗଠିତ ଓଡିଶାରେ ବନ୍ଦେ ଉତ୍କଳ ଜନନୀ କୁ ରାଜ୍ୟ ସଂଗୀତର ମର୍ଯ୍ୟାଦା ଦେବା ପାଇଁ ନିଷ୍ପତ୍ତି କରି ରାଜ୍ୟ ସରକାର ଓ ଓଡିଆମାନେ ଆମକୁ ବିଶ୍ୱାସଘାତ କରିଛନ୍ତି । ତେଣୁ ଓଡିଶା ସରକାରଙ୍କ ଏଭଳି ବେଆଇନ କାର୍ଯ୍ୟକଳାପକୁ ବିରୋଧ କରିବାଟା ୨ କୋଟି କୋସଲବାସୀଙ୍କ ଦାୟିତ୍ୱ ତେଣୁ ସବୁ ଦେଶ ପ୍ରେମୀ ଓ ଜାତି ପ୍ରେମୀ କୋସଲବାସୀ ବନ୍ଦେ ଉତ୍କଳ ଜନନୀର ରାଜ୍ୟ ସଂଗୀତ ନିଷ୍ପତ୍ତି କୁ ବିରୋଧ କରିବା ସହ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଆହ୍ୱାନ ଦେଇଛନ୍ତି । ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରିବା ଟା କେବଳ କୋସଲ ଆନ୍ଦୋଳନକାରୀଙ୍କ ଦାୟିତ୍ୱ ନୁହେଁ । ତେଣୁ ସମସ୍ତେ ଏହି ମହାନ ଆନ୍ଦୋଳନରେ ଯୋଗଦେବା ସହ ବନ୍ଦେ ଉତ୍କଳ ଜନନୀ ସଂଗୀତ କୁ ପ୍ରତ୍ୟାଖ୍ୟାନ କରିବା ସହ ପ୍ରତିବାଦ କରନ୍ତୁ ବୋଲି ଶ୍ରୀ ମିଶ୍ର ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking