32.1 C
Bhubaneswar
Thursday, March 28, 2024
Homeଆଇପିଏଲ୍ -2022କୋଲ୍‌କାତାର ଏକତରଫା ବିଜୟ; ଶାର୍ଦ୍ଦୁଲ୍‌ଙ୍କ ଧୂଆଁଧାର ଅର୍ଦ୍ଧଶତକ, ବରୁନ୍‌ଙ୍କୁ ୪ ୱିକେଟ୍‌

କୋଲ୍‌କାତାର ଏକତରଫା ବିଜୟ; ଶାର୍ଦ୍ଦୁଲ୍‌ଙ୍କ ଧୂଆଁଧାର ଅର୍ଦ୍ଧଶତକ, ବରୁନ୍‌ଙ୍କୁ ୪ ୱିକେଟ୍‌

କୋଲ୍‌କାତା: ଚଳିତ ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣରେ ଗୁରୁବାର ନବମ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ଘରୋଇ କୋଲ୍‌କାତା ନାଇଟ୍ ରାଇଡର୍ସ ଏକତରଫା ଭାବେ ୮୧ ରନ୍‌ରେ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ ପାଇ କୋଲ୍‌କାତା ୭ ୱିକେଟ୍‌ରେ ୨୦୪ ରନ୍‌ର ବଡ଼ ସ୍କୋର୍ କରିଥିଲା । ଜବାବରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ୧୭.୪ ଓଭର୍‌ରେ ମାତ୍ର ୧୨୩ ରନ୍ କରି ଅଲ୍‌ଆଉଟ୍ ହୋଇ ଶୋଚନୀୟ ପରାଜୟ ବରଣ କରିଥିଲା । ଏଥିସହ କୋଲ୍‌କାତା ତା’ର ପ୍ରଥମ ବିଜୟ ଅର୍ଜନ କରିଥିବା ବେଳେ ବାଙ୍ଗାଲୋର୍ ପ୍ରଥମ ପରାଜୟ ବରଣ କରିଛି । କୋଲ୍‌କାତା ୨୬ ରନ୍‌ରେ ୨ଟି ୱିକେଟ୍ ହରାଇଥିଲେ ହେଁ ଓପନର ରହମନ୍‌ଉଲ୍ଲା ଗୁରବାଜ୍ ଗୋଟିଏ ପଟେ ଦୃଢ଼ ଭାବେ ବ୍ୟାଟିଂ କରିଥିଲେ । ଅନ୍ୟତମ ଓପନର ଭେଙ୍କଟେଶ ଆୟର୍ ୩ ଓ ମନଦୀପ ଶୂନରେ ଆଉଟ୍ ହେବା ପରେ ଗୁରବାଜ୍ ଓ ଅଧିନାୟକ ନୀତୀଶ ରାଣାଙ୍କ ମଧ୍ୟରେ ୨୧ ରନ୍‌ର ଭାଗୀଦାରୀ ହୋଇଥିଲା । ତେବେ ଏଥିରେ ନୀତୀଶଙ୍କ ଯୋଗଦାନ ମାତ୍ର ୧ ରନ୍ ଥିଲା ।

କିନ୍ତୁ ଗୁରବାଜ ନିଜର ଅର୍ଦ୍ଧଶତକ ପୂରଣ କରିବା ସହ ଚତୁର୍ଥ ୱିକେଟ୍‌ରେ ରିଙ୍କୁ ସିଂହଙ୍କ ସାଥୀରେ ୪୨ ରନ୍ ଯୋଡ଼ିଥିଲେ । ଗୁରବାଜ୍ ୬ଟି ଚୌକା ଓ ୩ଟି ଛକା ସହ ୫୭ ରନ୍ କରିଥିବା ବେଳେ ରିଙ୍କୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୪୬ ରନ୍ କରିଥିଲେ । ଗୁରବାଜ ଆଉଟ୍ ହେବା ପରେ ଶାର୍ଦ୍ଦୁଲ୍ ଠାକୁର ମାତ୍ର ୨୯ ବଲ୍‌ରେ ୯ଟି ଚୌକା ଓ ୩ଟି ଛକା ଜରିଆରେ ୬୮ ରନ୍ କରି ଦଳକୁ ବଡ଼ ସ୍କୋର୍ ଆଡ଼କୁ ଆଗେଇ ନେଇଥିଲେ । ଷଷ୍ଠ ୱିକେଟ୍‌ରେ ସେ ରିଙ୍କୁଙ୍କ ସାଥୀରେ ୧୦୩ ରନ୍‌ର ଦମ୍‌ଦାର ଭାଗୀଦାରୀ କରିଥିଲେ । ବାଙ୍ଗାଲୋର୍ ପକ୍ଷରୁ ଡେଭିଡ୍ ୱିଲି ଓ କର୍ଣ୍ଣ ଶର୍ମା ୨ଟି ଲେଖାଏଁ ଏବଂ ମହମ୍ମଦ ସିରାଜ୍‌, ମାଇକେଲ୍ ବ୍ରେସ୍‌ୱେଲ୍ ଓ ହର୍ଷଲ୍ ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

କ୍ରମାଗତ ୱିକେଟ୍ ହରାଇବା ଫଳରେ ବାଙ୍ଗାଲୋର୍ ପାଇଁ ୨୦୫ ରନ୍‌ର ଲକ୍ଷ୍ୟ ଯଥେଷ୍ଟ କଷ୍ଟସାଧ୍ୟ ସାବ୍ୟସ୍ତ ହୋଇଥିଲା । ଦଳର କେବଳ ୫ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଅଧିନାୟକ ତଥା ଓପନର ଫାଫ୍ ଡୁ ପ୍ଲେସିସ୍ ୨ଟି ଲେଖାଏଁ ଚୌକା ଓ ଛକା ସହ ୨୩, ଅନ୍ୟତମ ଓପନର ବିରାଟ କୋହଲି ୩ଟି ଚୌକା ସହ ୨୧, ୱିଲି ୨ଟି ଚୌକା ସହ ଅପରାଜିତ ୨୦, ବ୍ରେସ୍‌ୱେଲ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୯ ଏବଂ ଆକାଶଦୀପ ୨ଟି ଚୌକା ଓ ଗୋଟିଏ ଛକା ସହ ୧୭ ରନ୍ କରିଥିଲେ । କୋଲ୍‌କାତା ପକ୍ଷରୁ ବରୁନ୍ ଚକ୍ରବର୍ତ୍ତୀ ୪ଟି, ସୂୟାଶ ଶର୍ମା ୩ଟି, ସୁନୀଲ ନରିନ୍ ୨ଟି ଓ ଶାର୍ଦ୍ଦୁଲ୍ ଗୋଟିଏ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking