ଅଭିନବ ପ୍ରତିବାଦ : ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ

ଖୋର୍ଦ୍ଧା  : ଶୁଣିଲାନି ପ୍ରଶାସନ, ଶେଷରେ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଧାନତଳି ରୋଇ ନିଆରା ପ୍ରତିବାଦ ଜଣାଇଲେ ଗ୍ରମବାସୀ । ଏ କେଉଁ ଉପାନ୍ତ କି ଅପହଞ୍ଚ ଇଲାକା ନୁହେଁ, ଖୋର୍ଦ୍ଧା ଠାରୁ ମାତ୍ର ୨୦କିଲୋମିଟର ଦୂରରେ ଥିବା ଗାଁର ସ୍ଥିତି । ଏ ରାସ୍ତା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା । ଏହି ରାସ୍ତା ଦେଇ କଟକ ଜିଲ୍ଲାର ବହୁ ଲୋକେ ମଧ୍ୟ ଯାତାୟତ କରିଥାନ୍ତି । କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୀର୍ଘଦିନ ଧରି ରାସ୍ତାର ମରାମତି ନକରିବା କାରଣରୁ ଏହି ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା । ସ୍ଥାନୀୟ ଜନସାଧାରଣ ବାରମ୍ବାର ଏହାର ମରାମତି ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରି ନିରାଶ ହେବାପରେ ଆଜି ଉକ୍ତ ରାସ୍ତାରେ ଧାନ ତଳି ରୋଇ ନିଆରା ପ୍ରତିବାଦ କରିଛନ୍ତି।

ସେହିପରି ତୁରନ୍ତ ଏହି ରାସ୍ତାର ମରାମତି ୧୫ଦିନ ମଧ୍ୟରେ କରାନଗଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ବେଗୁନିଆ କନିଷ୍ଠ ଯନ୍ତ୍ରୀ ଏହି ରାସ୍ତାର ଟେଣ୍ଡର ସାରିଥିବା କହିଥିବା ବେକେ ଠିକାଦାର କାମ ଆରମ୍ଭ କରିନଥିବା କହିଛନ୍ତି । ତେବେ ପନ୍ଦରଦିନ ମଧ୍ୟରେ ରାସ୍ତା ମରାମତି କରାନଗଲେ ଗ୍ରମବାସୀ ବେଗୁନିଆ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି କଣ୍ଟାବାଡ଼ ପଞ୍ଚାୟତର ଶିଶିର ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ବେହେରା, କଣ୍ଟାବାଡ଼ ସମତିସଭ୍ୟ ସୁବାସ ମହାନ୍ତି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here