32.1 C
Bhubaneswar
Thursday, March 28, 2024
Homeଓଡିଶାଫେବ୍ରୁଆରି ପହିଲା ରୁ ଖଣ୍ଡଗିରି ମହାକୁମ୍ଭ ମେଳା

ଫେବ୍ରୁଆରି ପହିଲା ରୁ ଖଣ୍ଡଗିରି ମହାକୁମ୍ଭ ମେଳା

ଖଣ୍ଡଗିରି : ପବିତ୍ର ମାଘସପ୍ତମୀ ଅବସରରେ ଚଳିତ ଫେବ୍ରୁଆରି ପହିଲା ରୁ ଆରମ୍ଭ ହେଉଛି ଖଣ୍ଡଗିରି ମହାକୁମ୍ଭ ମେଳା। ଅର୍କକ୍ଷେତ୍ର ଚନ୍ଦ୍ରଭାଗା ବୁଡ଼ ପରେ ସାଧୁସନ୍ଥମାନେ ଏଠାରେ ନବଦିନବ୍ୟାପୀ ଯାଗଯଜ୍ଞ କରି ମହାକୁମ୍ଭ ମେଳାର ସମାପନ କରିବେ। ତେଣୁ ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଲାଣି ଖଣ୍ଡଗିରି। ହୋମଯଜ୍ଞ ପାଇଁ ସାଧୁସନ୍ଥମାନେ ନିଜ ନିଜ ସ୍ଥାନ ପ୍ରସ୍ତୁତ କରିବା ଆରମ୍ଭ କଲେଣି। ଚଳିତ ବର୍ଷ ଅଧିକ ସଂଖ୍ୟାରେ ନାଗାସାଧୁଙ୍କ ସମାବେଶ ହେବ ବୋଲି ଜଣାପଡ଼ିଛି।
ତେବେ କିଂବଦନ୍ତି ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠରୋଗରୁ ମୁକ୍ତି ପାଇଁ ଅର୍କକ୍ଷେତ୍ର କୋଣାର୍କରେ ଶାମ୍ବ ଦଶମୀଠାରୁ ମାଘସପ୍ତମୀ ପର‌୍ୟ୍ୟନ୍ତ ତପସ୍ୟା କରିଥିଲେ। ଏହି ସୂର‌୍ୟ୍ୟ ଉପାସନା ଅବସରରେ ସେ ଚନ୍ଦ୍ରଭାଗାରେ ସପ୍ତମୀ ବୁଡ଼ ପକାଇବା ପରେ ଏକାମ୍ର ‌କ୍ଷେତ୍ରସ୍ଥିତ ପବିତ୍ର ଯୋଗନଦୀ ତଟସ୍ଥ ନୀଳଗିରି ବା କୁମାର କୁମାରୀ ପାହାଡ଼ରେ ପୂର୍ଣ୍ଣମୀ ପର‌୍ୟ୍ୟନ୍ତ ଉପାସନା ଜାରି ରଖିଥିଲେ ଓ ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥିଲେ। ସନ୍ଥମାନଙ୍କ କହିବା କଥା ଅର୍କକ୍ଷେତ୍ର କୋଣାର୍କ ନାଭିମଣ୍ଡଳ ହେଲେ ଖଣ୍ଡଗିରି ହେଉଛି ହୃଦୟ। ତେଣୁ ଖଣ୍ଡଗିରି ପାହାଡ଼ରେ ପୂଜାର୍ଚ୍ଚନ‌ା ବିନା ଚନ୍ଦ୍ରଭାଗା ବୁଡ଼ ଅଧୁରା ରହିଯାଏ ବୋଲି ବିଶ୍ୱାସ ରହିଆସିଛି ।
ସେଥିପାଇଁ କୋଣାର୍କରେ ବୁଡ଼ ପକାଉଥିବା ସାଧୁସନ୍ଥମାନେ ଖଣ୍ଡଗିରିରେ ୯ଦିନ କାଳ ଅବସ୍ଥାନ କରନ୍ତି ଓ ସେମାନଙ୍କ ଦର୍ଶନ ପାଇଁ ଏଠାରେ ଭିଡ଼ ଲାଗେ। କିମ୍ବଦନ୍ତୀ ଅନୁସାରେ କଳିଙ୍ଗ ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ଦ୍ବାରା ଏହି ସବୁ କୁଣ୍ଡ ଖନନ କରାଯାଇଥିଲା। ଏଠାରେ ଯୋଗସାଧନ କରୁଥିବା ମୁନିଋଷିଙ୍କ ବ୍ୟବହାର ପାଇଁ ସମ୍ରାଟ ଏହି କୁଣ୍ଡସବୁ ଖନନ କରାଇଥିଲେ। ତେଣୁ ଏହି କୁଣ୍ଡଗୁଡ଼ିକୁ ପଞ୍ଚତୀର୍ଥଭାବେ ବିବେଚନା କରାଯାଏ। କିନ୍ତୁ ଏହିସବୁ ପୁଷ୍କରିଣୀଗୁଡ଼ିକ ଯତ୍ନ ଅଭାବରୁ ପ୍ରଦୂଷିତ ହୋଇପଡ଼ିଛି। ଗୁପ୍ତଗଙ୍ଗା ଓ ଆକାଶଗଙ୍ଗା ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଥିବା ବେଳେ ବିଶ୍ବ ଐତିହ୍ୟର ଏହି ପ୍ରଖ୍ୟାତ ପର‌୍ୟ୍ୟଟନସ୍ଥଳରେ ଅଲୋଡ଼ା ହୋଇପଡ଼ିଥିବା ପୁଷ୍କରିଣୀଗୁଡ଼ିକ ପ୍ରତି କାହାରି ନଜର ନାହିଁ। ଏହି ପୁଷ୍କରିଣୀଗୁଡ଼ିକର ଉପଯୁକ୍ତ ଯତ୍ନ ନିଆଗଲେ, ଏହା ପର‌୍ୟ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିପାରନ୍ତା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking