ଗୋଆ : ଚଳିତ ଆଇଏସ୍ଏଲ୍ର ସପ୍ତମ ମ୍ୟାଚ୍ଟି ଗୁରୁବାର କେରଳ ବ୍ଲାଷ୍ଟର୍ସ ଓ ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ଖେଳାଯାଇଥିବା ବେଳେ ଏହା ୨-୨ରେ ଡ୍ର’ ରହିଛି । ପ୍ରଥମ ମ୍ୟାଚ୍ରେ ଏଟିକେ ମୋହନ ବାଗାନ୍ଠାରୁ ହାରିଥିବା କେରଳ ମ୍ୟାଚ୍ର ଶେଷ ମିନିଟ୍ ପର୍ଯ୍ୟନ୍ତ ଆଗୁଆ ଥିଲା । କିନ୍ତୁ ୯୦ତମ ମିନିଟ୍ରେ ଇଦରିସା ସିଲା ଗୋଲ୍ ଦେଇ ନର୍ଥଇଷ୍ଟ୍କୁ ପ୍ରଥମ ପରାଜୟରୁ ରକ୍ଷା କରିଥିଲେ । ମ୍ୟାଚ୍ର ପଞ୍ଚମ ମିନିଟ୍ରେ ସର୍ଗିଓ ସିଡୋଞ୍ଚା ଗୋଲ୍ ଦେବା ପରେ କେରଳ ଅଗ୍ରଣୀ ଲାଭ କରିଥିଲା । ପ୍ରଥମାର୍ଦ୍ଧ ଖେଳର ଅତିରିକ୍ତ ସମୟରେ ଅର୍ଥାତ୍ ୪୬ତମ ମିନିଟ୍ରେ ଗ୍ୟାରୀ ହୁପର୍ ଦ୍ୱିତୀୟ ଗୋଲ୍ ଦେଇଥିଲେ । ୫୧ତମ ମିନିଟ୍ରେ ପ୍ରତିଯୋଗିତାରେ କ୍ୱେସି ଅପିଆ ନର୍ଥଇଷ୍ଟ୍ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ । ଶେଷ ୧୦ ମିନିଟ୍ ଖେଳରେ ଅପିଆଙ୍କ ସ୍ଥାନରେ ଗିନି ଫରୱାର୍ଡ ସିଲା ପଡ଼ିଆକୁ ଆସିଥିଲେ । ଶେଷ ମିନିଟ୍ରେ ଗୁରଜିନ୍ଦର କୁମାରଙ୍କ ପାସ୍କୁ ଛାତିରେ ଅଟକାଇ କେରଳ ଗୋଲକିପର୍ ଆଲବିନୋ ଗୋମ୍ସଙ୍କୁ ପରାସ୍ତ କରି ଦ୍ୱିତୀୟ ଗୋଲ୍ ଦେଇଥିଲେ । ମ୍ୟାଚ୍ ପ୍ରାରମ୍ଭରୁ ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର୍ ଡିଏଗୋ ମାରାଡୋନାଙ୍କ ସମ୍ମାନରେ ଏକ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।