39.4 C
Bhubaneswar
Thursday, April 18, 2024
Homeଓଡିଶାବ୍ୟକ୍ତିଗତ ଜମିରେ ପାଣି ପାଇପ ବିଛା କାର୍ଯ୍ୟ : ମାଲିକଙ୍କ ବିରୋଧ, ମହିଳାଙ୍କ ରାସ୍ତାରୋକ

ବ୍ୟକ୍ତିଗତ ଜମିରେ ପାଣି ପାଇପ ବିଛା କାର୍ଯ୍ୟ : ମାଲିକଙ୍କ ବିରୋଧ, ମହିଳାଙ୍କ ରାସ୍ତାରୋକ

କେନ୍ଦ୍ରାପଡ଼ା: ଗୋଟିଏ ବସ୍ତିକୁ ପାଇପ ପାଣି ଯୋଗାଣ ନିମନ୍ତେ ଜଣକର ବ୍ୟକ୍ତିଗତ ଜମିକୁ ଖୋଳାଯିବା ଓ ଜମି ମାଲିକ ଏହାକୁ ବିରୋଧ କରିବାକୁ ବସ୍ତିର ମହିଳାମାନେ ନିଆଁ ଜାଳି ରାସ୍ତାରୋକ କରିବା ଭଳି ଏକ ଅଭାବନୀୟ ଘଟଣା ଶୁକ୍ରବାର ଘଟିଛି । କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ବଡ଼ମଙ୍ଗଳା ମନ୍ଦିର ସନ୍ନିକଟ ଚକଡ଼ା ଦଳିତ ବସ୍ତିରେ ଏହି ଘଟଣା ଘଟିଛି । ଉକ୍ତ ବସ୍ତିକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଠାରୁ ପାଇପ ବିଛାଇବା ପାଇଁ ମାଟିଖୋଳା କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳେ ଜମି ମାଲିକ କିନ୍ତୁ ଏହାକୁ ବିରୋଧ କରିଥିଲେ । ଏହାର ପ୍ରତିବାଦରେ ଦଳିତ ବସ୍ତିର ଲୋକମାନେ ଟୁନି ମଲ୍ଲିକ ଓ ସିପ୍ରା ମଲ୍ଲିକଙ୍କ ନେତୃତ୍ୱରେ ବଡ଼ମଙ୍ଗଳା ମନ୍ଦିର ନିକଟରେ ତିନିମୁହାଣି -ଅଙ୍ଗୁଳାଇ ରାସ୍ତାରେ ଗରାମାଠିଆ ଥୋଇବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ ।
ସୂଚନା ଅନୁଯାୟୀ, ଚକଡ଼ାର ଏହି ଦଳିତ ବସ୍ତିରେ ମୋଟ ୧୨ଟି ପରିବାର ଦୀର୍ଘ ଦିନହେବ ପାନୀୟ ଜଳରୁ ବଞ୍ଚିତ ହୋଇଆସୁଥିଲେ । ତିନିମୁହାଣି -ଅଙ୍ଗୁଳାଇ ରାସ୍ତାର ବଡ଼ମଙ୍ଗଳା ନିକଟ ରାସ୍ତାକଡ଼ରେ ଥିବା ଏକମାତ୍ର ପାଇପରୁ ସାରା ବସ୍ତିର ମହିଳା ଜଳସଂଗ୍ରହ କରୁଥିବାରୁ ଲୋକଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଥିବା ବସ୍ତି ବାସିନ୍ଦା ସିପ୍ରା ମଲ୍ଲିକ ଅଭିଯୋଗ କରିଛନ୍ତି । ସେହିପରି ବସ୍ତିର ଝିଅ ବୋହୁ ମୁଖ୍ୟ ରାସ୍ତାକୁ ଆସି ଏକମାତ୍ର ଜଳଉତ୍ସରେ ସର୍ବସାଧାରଣରେ ଗାଧୋଇବା ପାଇଁ ଲଜ୍ୟାବୋଧ କରୁଥିବା କାମିନୀ ମଳିକ ଓ ମାନସୀ ମଳିକ ଅଭିଯୋଗ କରିଛନ୍ତି । ଦୀର୍ଘ ୧୦ ବର୍ଷ ହେବ ଏ ସମ୍ପର୍କରେ ବସ୍ତିର ମହିଳାମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ହେଁ କୌଣସି ସୁଫଳ ମିଳୁନଥିଲା । ତେବେ ଗତ ସୋମବାର ମହିଳାମାନେ ଜିଲ୍ଲପାଳ ସମର୍ଥ ବର୍ମାଙ୍କୁ ଭେଟିବା ପରେ ସେ ଏନେଇ ପଦକ୍ଷେପ ନେବାକୁ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଆଜି ବିଭାଗ ପକ୍ଷରୁ ବସ୍ତିକୁ ପାଇପ ବିଛାଇବା ପାଇଁ କାମ ଆରମ୍ଭ କରାଯିବା ବେଳେ ଏହାକୁ ଚକଡ଼ାର ଗୋଟିଏ ପରିବାର ବିରୋଧ କରିଥିଲେ । ପାଇପ ବିଛାଇବା ନିମନ୍ତେ ଖୋଳାଯାଉଥିବା ଜମି ତାଙ୍କର ବୋଲି ଦାବି କରି ଉକ୍ତ ପରିବାର ଏହାକୁ ବିରୋଧ କରିଥିଲେ । ଘରୋଇ ଜମିରେ ପାଇପ ବିଛା ଯିବା ନିୟମ ନଥିବାରୁ କାମ ଅଧରୁ ବନ୍ଦ ରହିଥିଲା । ଫଳରେ ଏହାକୁ ନେଇ ବସ୍ତିର ମହିଳାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ମହିଳାମାନେ ସଂଘବଦ୍ଧ ହୋଇ ସ୍ଥାନୀୟ ତିନିମୁହାଣି -ଅଙ୍ଗୁଳାଇ ରାସ୍ତାର ବଡ଼ମଙ୍ଗଳା ନିକଟରେ ରାସ୍ତା ଅବରୋଧ କରି ଏହାର ପ୍ରତିବାଦ କରିଥିଲେ ।
ଏନେଇ ଖବରପାଇ କେନ୍ଦ୍ରାପଡ଼ା ଅତିରିକ୍ତ ତହସିଲଦାର ନମିତା ବାରିକ, ଭଗବାନପୁର ରାଜସ୍ୱ ସର୍କଲର ରାଜସ୍ୱ ନିରୀକ୍ଷକ ଓ ଟାଉନ ଥାନା ପୁଲିସ ସବଇନସ୍ପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ସଦଳେବଳେ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁୁଝା କରିଥିଲେ । ତେବେ ପୌର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ ଓ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇ ଆସନ୍ତା ଗୁରୁବାର ମାଟି ଖୋଳା ଯାଉଥିବା ଜମିକୁ ମାପଚୁପ କରାଯିବା ପରେ ପାଇପ ବିଛାଇବା ପାଇଁ ମାଟି ଖୋଳାଯିବ ବୋଲି ଅତିରିକ୍ତ ତହସିଲଦାର ଶ୍ରୀମତୀ ବାରିକ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking