32.1 C
Bhubaneswar
Thursday, March 28, 2024
HomeUncategorizedକିନ୍ନର ପାଇଲେ ସ୍ୱିକୃତି: ମିଳିଲା ୧୫ ହଜାର ଟଙ୍କାର ଶିକ୍ଷାବୃତ୍ତି

କିନ୍ନର ପାଇଲେ ସ୍ୱିକୃତି: ମିଳିଲା ୧୫ ହଜାର ଟଙ୍କାର ଶିକ୍ଷାବୃତ୍ତି

କେନ୍ଦ୍ରାପଡ଼ା,: କିନ୍ନରଙ୍କ ନାଁ ଶୁଣିଲେ ସାଧାରଣ ଲୋକେ ନାକ ଟେକନ୍ତି । କିନ୍ନରଙ୍କୁ ଦେଖି ଟାହିଟାପରା କରନ୍ତି । ଯୁଗ ଯୁଗ ଧରି କିନ୍ନରମାନେ ସମାଜର ମୁଖ୍ୟ ସ୍ରୋତରୁ ବାହାରେ ରହିଆସିଛନ୍ତି । କିନ୍ନରଙ୍କ ଅନ୍ତର୍ନିହିତ ଶକ୍ତିର ପରିପ୍ରକାଶ ବା ବିକାଶ ପାଇଁ ପୂର୍ବରୁ କୌଣସି ପ୍ରଚେଷ୍ଟା କରାଯିବା ଦୂରେ ଥାଉ ତାଙ୍କୁ ପରିବାରରେ ରହିବାକୁ ମଧ୍ୟ ସୁଯୋଗ ଦିଆଯାଉନଥିଲା । ଯେଉଁଥିପାଇଁ କିନ୍ନରମାନେ ଯୁଗ ଯୁଗ ଧରି ଅଭିସପ୍ତ ଜୀବନ ବିତାଉଥିଲେ । ସେମାନେ ହାଟ ବଜାର, ମେଳା, ମହୋତ୍ସବ, ଟ୍ରେନ ବା ଷ୍ଟେସନ, ବସଷ୍ଟାଣ୍ଡ ଇତ୍ୟାଦି ଜନଗହଳିପୂର୍ଣ୍ଣ ସ୍ଥାନରେ ଭିକ୍ଷାବୃତି କରି ଜୀବନ ବଂଚାଉଥିଲେ । ଏହିପରି ଅବସ୍ଥାରେ ଅନେକ କିନ୍ନରଙ୍କୁ ଜୀବନ ହାରିବାକୁ ପଡ଼ିଛି । କିନ୍ତୁ ସମୟ ବଦଳିଛି । କିନ୍ନରଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି । କିନ୍ନରଙ୍କ ଭିତରେ ଯେ ଅନ୍ତର୍ନିହିତ ଶକ୍ତି ରହିଛି ଏବେ ତାହା ଧିରେ ଧିରେ ପ୍ରମାଣିତ ହେବାରେ ଲାଗିଛି । କିନ୍ନରଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ଓ ତାଙ୍କୁ ଶିକ୍ଷାର ସୁଯୋଗ ଦେବା ପାଇଁ ସରକାର “ସ୍ୱିକୃତି” ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି । ଏହି “ସ୍ୱିକୃତି” ଯୋଜନା ଅଧିନରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ କିନ୍ନର ସ୍ୱିକୃତି ପାଇବା ସହ ୧୫ ହଜାର ଟଙ୍କାର ଶିକ୍ଷାବୃତି ମଧ୍ୟ ପାଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ବଡ଼ତଇଳା ଗ୍ରାମର ସାବେରା ବେଗମ ନାମକ ଜଣେ କିନ୍ନର “ସ୍ୱିକୃତି” ଯୋଜନା ଅଧିନରେ ସକୃତି ପାଇବା ସହ ୧୫ ହଜାର ଟଙ୍କାର ଶିକ୍ଷାବୃତି ପାଇଛନ୍ତି । ସାବେରା ଏବେ ରାଜକନିକାର ଏସ ଏନ କଲେଜରେ ଯୁକ୍ତ ୩ ଶ୍ରେଣୀର ଦ୍ୱିତୀୟ ବର୍ଷର ଛାତ୍ରୀ । ସେ ଜଣେ କ୍ରିଡ଼ାବିତ୍ । ସାବେରା ଭଲ କବାଡ଼ି ଖେଳୁଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟର ମହିଳା କବାଡ଼ି ଟିମର କ୍ୟାପଟେନ ଅଛନ୍ତି ଓ ତାଙ୍କ ନେତୃତ୍ୱରେ ଉତ୍କଳ ବିଶ୍ୱବିଦ୍ୟାଳୟର ମହିଳା କବାଡ଼ି ଟିମ ବିଭିନ୍ନ ବିଶ୍ୱବିଦ୍ୟାଳୟ ସ୍ଥରୀୟ କବାଡ଼ି ପ୍ରତିଯୋଗୀତାରେ ଭାଗ ନେଇ କୃତିତ୍ୱ ହାସଲ କରିଛି । ସେ ଭଲ କବାଡ଼ି ଖେଳୁ ଥିବାରୁ ତାଙ୍କୁ ବିଭିନ୍ନ ସ୍ଥାନରେ ପୁରସ୍କାର ମଧ୍ୟ ମିଳିଛି । ହେଲେ ସବୁଠାରୁ ଦୁଃଖ ଓ ପରିତାପର ବିଷୟ ହେଉଛି ସାବେରା ଚାକିର କରିବାକୁ ଇଚ୍ଛା କରି ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେନଇ କୃତକାର୍ଯ୍ୟ ହୋଇଥିଲେ ବି ସେ କିନ୍ନର ହୋଇଥିବାରୁ ଚାକିର ପାଇବାରୁ ବଂଚିତ ହୋଇଛନ୍ତି । ସିଆରପିଏଫ, ଓଡ଼ିଶା ପୋଲିସ ଓ ଦିଲ୍ଲୀ ପୋଲିସରେ ଚାକିର କରିବାକୁ ପ୍ରତିଯୋଗୀତାରେଭାଗ ନେଇ କୃତିତ୍ୱ ହାସଲ କରିଥିଲେ ବି ତାଙ୍କୁ ଚାକିର ମିଳିନାହିଁ । ଡାକ୍ତରୀ ପରୀକ୍ଷା ବେଳେ ସେ ଜଣେ କିନ୍ନର ବୋଲି ଜଣାପଡ଼ିବା ପରେ ସମ୍ପୃକ୍ତ ବିଭାଗ ତାଙ୍କୁ ଚାକିର ଦେଇନାହିଁ ।

ସାବେରାଙ୍କର ଦୋଷ ହେଉଛି ଯେ ସେ ଜଣେ କିନ୍ନର । ସାବେରା ପୋଲିସ ବା ସୁରକ୍ଷା ବିଭାଗରେ ଚାକିର କରିବାକୁ ଚାହାଁନ୍ତି ବୋଲି କହିବା ସହ ସେ ଚିନ ସୀମାନ୍ତରେ ଶତୃ ସୈନ୍ୟଙ୍କ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ଓ ସୁଯୋଗ ମିଳିଲେ ସେ ଦେଶ ପାଇଁ ପ୍ରାଣବଳିଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ସାବେରାଙ୍କ ଭିତରେ ଭରପୁର ପ୍ରତିଭା ଓ କାର୍ଯ୍ୟଦକ୍ଷତା ଥିଲେ ବି କିନ୍ନର ହୋଇଥିବାରୁ ସେ ଅନେକ ସୁଯୋଗରୁ ବଂଚିତ ହେଉଥିବା କ୍ଷୋଭର ସହ କହିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସାବେରା ଜଣେ ଝିଅ ଥିଲେ । ସେ ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ତାଙ୍କ ଶରୀରର ଅଙ୍କପ୍ରତ୍ୟଙ୍ଗ ଓ ପ୍ରକୃତିରେ ବିଘଟନ ଦେଖାଦେବା ଆରମ୍ଭ କଲା । ତାଙ୍କ କଣ୍ଠ ସ୍ୱର ମଧ୍ୟ ବଦଳିଗଲା ଓ ଲୋକେ ତାଙ୍କୁ କିନ୍ନର ବୋଲି କହିଲେ । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ କିନ୍ନରଙ୍କ ବିକାଶ ଓ ସୁରକ୍ଷା ପାଇଁ “ସ୍ୱିକୃତି” ନାମକ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ କିନ୍ନର ସାବେରା ବେଗମଙ୍କୁ ପ୍ରଥମ ଶିକ୍ଷାବୃତି ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସାବେରାଙ୍କୁ ୧୫ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟଜଣେ କିନ୍ନରଙ୍କୁ ଜିଲ୍ଲା ପ୍ରଶାସନ ସ୍ୱେଚ୍ଛାସେବୀ ସହାୟକ ଭାବେ ନିଯୁକ୍ତି ପ୍ରଦାନ କରିଛି । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାରେ ଏବେ ସୁଦ୍ଧା ୭ ଜଣ କିନ୍ନରଙ୍କୁ ଚିହ୍ନଟ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଥାଉ କି “ସ୍ୱିକୃତି” ଯୋଜନାରେ ୫ ଶ୍ରେଣୀରୁ ଉର୍ଦ୍ଧ୍ୱ ଶ୍ରେଣୀରେ ପାଠ ପଢିବାକୁ କିନ୍ନରଙ୍କୁ ଶିକ୍ଷାବୃତି ପ୍ରଦାନର ବ୍ୟବସ୍ଥା ରହିଛି ଓ ଏହି ବର୍ଗର ପିଲାଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ଲାଳନ ପାଳନ ପାଇଁ ତାଙ୍କ ପରିବାରକୁ ବିଭାଗ ପକ୍ଷରୁ ମାସକୁ ୧ ହଜାର ଟଙ୍କା ଲେଖା ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି । ଏଥିସହ କିନ୍ନରଙ୍କୁ ମାଗଣାରେ ତାଲିମ ପ୍ରଦାନ ଓ ଅର୍ଥୀକ ସହାୟତାର ବ୍ୟବସ୍ଥା ସରକାର କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking