34.1 C
Bhubaneswar
Friday, March 29, 2024
Homeଓଡିଶାଲକଡାଉନ : ଭୋକିଲା ପେଟର ସାହାରା ବନିଲେ ସ୍ଥାନୀୟ ଯୁବକ

ଲକଡାଉନ : ଭୋକିଲା ପେଟର ସାହାରା ବନିଲେ ସ୍ଥାନୀୟ ଯୁବକ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ସରକାରଙ୍କ ଲକଡାଉନ ବ୍ୟବସ୍ଥା ଆଜି ତୃତୀୟ ଦିନରେ ପହଞ୍ଚିଛି । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଥିବାରୁ କେବଳ ତେଜରାତି, ପନିପରିବା, ଔଷଧ, ଫଳ, ମାଛ, ମାଂସ, ଚିକେନ ଓ ଅଣ୍ଡା ପ୍ରଭୃତି ଦୋକାନକୁ ଛାଡିଦେଲେ ଅନ୍ୟସବୁ ଦୋକାନ ଗୁଡିକ ବନ୍ଦ ରହିିଛି । ରାସ୍ତାକଡର ସମସ୍ତ ଢାବା ସହିତ ଜଳଖିଆ ଦୋକାନ ଓ ହୋଟେଲ ଗୁଡିକ ବନ୍ଦ ରହିଥିବାରୁ ଏଗୁଡିକରୁ ପ୍ରତିଦିନ ମାଗିଯାଚି ଖାଉଥିବା ରାସ୍ତାକଡର ନିରାଶ୍ରୟ ମଣିଷମାନେ ଦୁଇଦିନ ଧରି ଭୋକିଲା ରହିଥିବା ଜଣାପଡିଛି । ତେବେ ମାର୍ଶାଘାଇ କେନାଲ ବ୍ରିଜର କିଛି ଯୁବକମାନେ ସେମାନଙ୍କୁ ଏହି ସମୟରେ ନିଜ ଉଦ୍ୟମରେ ରୋଷେଇ କରି ରନ୍ଧା ଖାଦ୍ୟ ଦେଇ ସାହାଯ୍ୟର ହାତ ବଢାଇଥିବାବେଳେ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛନ୍ତି ।
କରୋନା ଲକଡାଉନରେ ସାଧାରଣ ଲୋକମାନେ ନିଜ ଘରେ ଖାଇ ପିଇ ଭଲରେ ଥିବାବେଳେ ରାସ୍ତାକଡରେ ବୁଲୁଥିବା ମାନସିକ ବିକୃତ, ବୃଦ୍ଧ ଓ ରୋଗଗ୍ରସ୍ତ ଅସହାୟ ମଣିଷମାନଙ୍କ ପେଟକୁ ଗତ ଦୁଇଦିନ ହେବ ଦାନା ଯାଇନଥିବା ଜଣାପଡିଛି । କାରଣ ଏମାନେ ବିଭିନ୍ନ ଜଳଖିଆ ଦୋକାନ ଓ ହୋଟେଲରୁ ମାଗିଯାଚି ଖାଇ ଜୀବନ ବଞ୍ଚାଉଥିବାବେଳେ ସରକାରଙ୍କ ନିର୍ଦ୍ଦେଶରେ ସେଗୁଡିକ ବନ୍ଦ କରାଯିବା ପରେ ଦୋକାନୀଙ୍କ ହାତଟେକାରେ ବଞ୍ଚୁଥିବା ଏହି ମଣିଷମାନେ ଭୋକରେ ଆଉଟୁ ପାଉଟୁ ହୋଇ ପଡିଥିବା ଦେଖିବାକୁ ମିଳିଛି । ଭୋକଦାଉରେ ଏମାନଙ୍କ ଜୀବନ ଛଟପଟ ହେଉଥିବାବେଳେ କେହି ଭାଗ୍ୟକୁ ଆଦରି ପାଣି ପିଇ ଦୁଇଦିନ ହେବ ବଞ୍ଚିଥିବାବେଳେ ଆଉ କେହି ଭୋକରେ ଯାତ୍ରୀ ବିଶ୍ରାମଗାରରେ ଶୋଇ ପଡିଥିବା ଦେଖିବାକୁ ମିଳିଛି ।
ତେବେ ଏହି ଅସହାୟ ମଣିଷଙ୍କ କରୁଣ ଅବସ୍ଥା ମାର୍ଶାଘାଇ କେନାଲ ବ୍ରିଜର କିଛି ଯୁବକଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା । ଏହି ଦରଦୀ ଯୁବକମାନେ ଭୋକିଲା ମଣିଷମାନଙ୍କ ମୁହଁରେ ଆହାର ଦେବାକୁ ଆଗେଇ ଆସିବା ସହିତ ନିଜ ନିଜ ଭିତରେ ପଇସା ଆଦାୟ କରି ଏହି ରାସ୍ତାକଡର ମଣିଷଙ୍କ ପାଇଁ ରୋଷେଇ ବ୍ୟବସ୍ଥା କରିଥିଲେ । ସେମାନେ ଆଜି କେନାଲ ବ୍ରିଜ ଠାରୁ ମହାକାଳପଡାର ମଙ୍ଗଳପୁର ଛକ, କେନାଲ ବ୍ରିଜଠାରୁ ଜାତୀୟ ରାଜପଥର ଛଘରିଆ ଛକ, କେନାଲବ୍ରିଜ ଠାରୁ ହଳଦିଆଗଡା ଛକ ସମେତ ପାଟକୁରା ରାସ୍ତାର ବିଭିନ୍ନ ଛକ ବଜାରରେ ଥିବା ଭୋକିଲା ମଣିଷ ମାନଙ୍କୁ ଖୋଜି ଖୋଜି ସେମାନଙ୍କୁ ରନ୍ଧାଖାଦ୍ୟ ଓ ପାଣି ପ୍ରଦାନ କରିଥିଲେ ।
ଏହି ଖବର ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦୀ ବେହେରାଙ୍କ ନିକଟରେ ପହଞ୍ଚିବା ପରେ ଯୁବକମାନଙ୍କ ଏହି ଉଦ୍ୟମ ତାଙ୍କ ମନକୁ ଛୁଇଁବା ସହିତ ସେ ଏଥିରେ ସାମିଲ ହୋଇଥିଲେ । ତେବେ କରୋନା ଲକଡାଉନ ବଳବତର ଥିବା ଯାଏ ଏହି ଭୋକିଲା ମାନଙ୍କ ପେଟକୁ ଦାନା ଯୋଗାଇବା ପାଇଁ ଏହି ଯୁବକମାନେ ନିଷ୍ପତି ନେଇଥିବା ଜଣାପଡିଛି । ପ୍ରାୟ ୩୫ ଜଣ ଭୋକିଲା ମଣିଷଙ୍କୁ ବୁଲି ବୁଲି ଆହାର ପ୍ରଦାନ କରାଯାଇଥିବାବେଳେ ଏହାର ପରିସୀମାକୁ ବୃଦ୍ଧି କରାଯିବାକୁ ସେମାନଙ୍କ ମଧ୍ୟରେ ନିଷ୍ପତି ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଏହି ମହାନ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking