28.1 C
Bhubaneswar
Thursday, March 28, 2024
Homeଓଡିଶାପଦନୀପାଳରେ ଜିଲ୍ଲାପାଳ : ପୋଲ ପାଇଁ ଦେଲେ ପ୍ରତିଶ୍ରୁତି

ପଦନୀପାଳରେ ଜିଲ୍ଲାପାଳ : ପୋଲ ପାଇଁ ଦେଲେ ପ୍ରତିଶ୍ରୁତି

ଆଳି : ଅପହଞ୍ଚ ଇଲାକା ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ପଦନୀପାଳ ପଞ୍ଚାୟତରେ ଏକ ପୋଲର ଆବଶ୍ୟକତା ଥିବା ବେଳେ ସରକାର ପୋଲ ନିର୍ମାଣର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା କରୁନାହାଁନ୍ତି । ଯାହାଫଳରେ ଗତ ସପ୍ତାହରେ ପଞ୍ଚାୟତବାସୀ ଚାନ୍ଦା ଆଦାୟ କରି ନଦୀକୁ ପୋତି ରାସ୍ତା ନିର୍ମାଣ କରିଥିଲେ । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ପଦନୀପାଳ ଗସ୍ତରେ ଆସି ଖୁବଶୀଘ୍ର ପୋଲ ନିର୍ମାଣର ପ୍ରତିଶ୍ରୁତି ଦେଇ ଫେରି ଯାଇଛନ୍ତି । ପ୍ରକାଶ ଯେ, ଆଳି ବ୍ଲକର ପଦନୀପାଳ,ଦୈତାରୀପୁର ଓ କଳମଡା ଶାଶନର ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନେଇ ଗଠିତ ପଦନୀପାଳ ପଞ୍ଚାୟତକୁ ଚତୁଃପାଶ୍ୱର୍ରୁ ଘେରିରହିଛି ଖରସ୍ରୋତା ଓ କାଣୀ ନଦୀ । ଚିର ଜଳବନ୍ଦୀ ଅବସ୍ଥାରେ ପଂଚାୟତବାସୀ ପୋଲ ପାଇଁ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ନିକଟରୁ ନିରାଶ ହେବା ପରେ ୨୦୦୬ ମସିହାରେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାପରେ ୨୦୦୮ ମସିହାରେ ତତ୍କାଳୀନ କେନ୍ଦ୍ରାପଡା ଜିଲ୍ଲାପାଳ ପୋଲ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ୨୦୦୯ ମସିହାରେ ମାନବାଧିକାର କମିଶନ ପକ୍ଷରୁ ରାଜ୍ୟ ସରକାରଙ୍କୁ ପୋଲ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ଏଯାଏଁ ହୋଇ ପାରିନାହିଁ । ପୋଲ ନିର୍ମାଣ ନିମନ୍ତେ ଟେଣ୍ଡର ହୋଇଥିଲେ ମଧ୍ୟ ତାହା ହୋଇ ପାରିଲା ନାହିଁ । ପୋଲ ପାଇଁ ଅର୍ଥ ର ପରିମାଣ ବଢି ଚାଲିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏହାକୁ କରାଯାଉନଥିବା ଜଣାପଡିଛି । ଏହାପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କମ ଖର୍ଚ୍ଚରେ ପୋଲ ନିର୍ମାଣ କରିବା ନିମନ୍ତେ ଏକ ସ୍ଥାନ ନିରୂପଣ କରି ସରକାରଙ୍କୁ ଦିଆଯାଇଥିଲେ ମଧ୍ୟ ସରକାର ଏ ଯାଏଁ ସେହି ପ୍ରସ୍ତାବ ଉପରେ କିଛି ନିଷ୍ପତ୍ତି ନେଇ ନାହାଁନ୍ତି । ଯାହାଫଳରେ ଗ୍ରାମବାସୀ ନଦୀ ପୋତି ନିଜ ପାଇଁ ନିଜେ ରାସ୍ତା ନିର୍ମାଣ କରିଥିଲେ । ତେବେ ବୁଧବାର ଜିଲ୍ଲାପାଳ ଶ୍ରୀ ବର୍ମା ଖୁବଶିଘ୍ର ନଦୀ ଉପରେ ପୋଲ ନିର୍ମାଣର ପ୍ରତିଶ୍ରୁତି ଦେବା ସହିତ କୂଳ ଖାଉଥିବା ସ୍ଥାନରେ ପଥର ପ୍ୟାକିଂ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥି ସହିତ ଗ୍ରାମବାସୀ ନିର୍ମାଣ କରିଥିବା ରାସ୍ତାକୁ ଏନଆରଜିଏସ ପ୍ରୋଜେକ୍ଟରେ ସାମିଲ କରି ଅର୍ଥ ପ୍ରଦାନ ରକିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅଳ୍ପ ଖର୍ଚ୍ଚରେ ପୋଲ ନିର୍ମାଣ ହେବାକୁ ଚିହ୍ନଟ ହୋଇଥିବା ସ୍ଥାନକୁ ଦେଖିବା ବଦଳରେ ଜିଲ୍ଲାପାଳ ଅନ୍ୟ ଏକ ସ୍ଥାନକୁ ଦେଖି ପଳାଇ ଥିଲେ । ଅପରପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ଉଚ୍ଚ କ୍ଷମତା ସମ୍ପନ କମିଟି ଏହି ଅଂଚଳ ଗସ୍ତ କରିବା ପରେ ପୋଲ କାର୍ଯ୍ୟ ଆରମ୍ଭ ହେବ ବୋଲି ଶୁଣିବାକୁ ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking