27.1 C
Bhubaneswar
Thursday, April 25, 2024
Homeଓଡିଶାଲକ୍‌ଡାଉନ୍ ମାରିଛି ପେଟକୁ ନାତ, ହାତ ବାନ୍ଧି ବସିଛନ୍ତି ସାମୁଦ୍ରିକ ମତ୍ସ୍ୟଜୀବୀ

ଲକ୍‌ଡାଉନ୍ ମାରିଛି ପେଟକୁ ନାତ, ହାତ ବାନ୍ଧି ବସିଛନ୍ତି ସାମୁଦ୍ରିକ ମତ୍ସ୍ୟଜୀବୀ

କେନ୍ଦ୍ରାପଡ଼ା : କୋଭିଡ୍ ଦ୍ୱିତୀୟ ଲହରୀର ଭୟାବହତାକୁ ନେଇ ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକ୍‌ଡାଉନ୍ ଜାରି କରାଯାଇଛି । ସେହିପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍  ବି ଘୋଷଣା  କରାଯାଇଛିି ।  ତାଲାବନ୍ଦ ସମୟରେ ଲୋକଙ୍କୁ ଘରୁ ନବାହାରିବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଥିବାରୁ ଏହାର ପ୍ରଭାବ ଜିଲ୍ଲାର  ସାମୁଦ୍ରିକ ଉପକୂଳ ବର୍ତ୍ତୀ ଅଞ୍ଚଳ ମହାକାଳପଡ଼ା ଓ ରାଜନଗର ବ୍ଲକର ପ୍ରାୟ ୯ହଜାର ପାରମ୍ପାରିକ ସାମୁଦ୍ରିକ ମସ୍ôୟଜୀବୀ ପରିବାର ଉପରେ ପଡିଛି । କଟକଣା ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ମାରିନପାରି ଜୀବିକା ହରାଇ ଅସୁବିଧାରେ ଥିବାବେଳେ  ଏହି ସମୟରେ ବଜାରରୁ ମାଛକିଣି ଖାଇବାକୁ ଚାହୁଁଥିବା ଖାଉଟିମାନେ ମାଛର ଅହେତୁକ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଜଣାପଡ଼କିଛି ।

ମହାକାଳପଡ଼ାର ମା’ ରମାଚଣ୍ଡୀ ବୋଟ୍ ମାଲିକ ସଂଘର ସଂପାଦକ ତୁଷାର ସର୍ଦ୍ଦାର କହନ୍ତି, ଖରିନାସୀ ଜେଟିରୁ ପ୍ରାୟ ୩୦୦ହଟି ଟୁ -ସିଲିଣ୍ଡର ବୋଟ୍ ଏଠାରୁ ସମୁଦ୍ରକୁ ଫିସିଂ କରିବାକୁ ଯାଆନ୍ତି ।  ସେହିପରି ବତୀଘର ଓ ଜମ୍ବୁକୁ ମିଶାଇ ଆହୁରି ୨୮୦ଟି ୱାନ୍‌ ସିଲିଣ୍ଡର ବୋଟ୍ ମହାନଦୀ ମୁହାଣ ସମେତ ସମୁଦ୍ର ନିକଟର୍ତ୍ତୀ ଅଞ୍ଚଳରେ ମାଛମାରୀ ଜୀବିକା ନିର୍ବାହ କରନ୍ତି । ତେବେ ରାଜନଗର ବ୍ଲକର ତାଳଚୁଆରୁ ମଧ୍ୟ ୧୨୦ଟି ମାଛଧରା ବୋଟ୍ ମାଛ ଧରିବାକୁ ଆସନ୍ତି ବୋଲି ସେ କହିଛନ୍ତି ।  ବର୍ଷର ଏହି ସମୟରେ ପ୍ରଚୁର ମାଛ ମିଳୁଥିବାରୁ ମତ୍ସ୍ୟଜୀବୀମାନେ ମାଛଧରି ଉପକୃତ ହେଉଥିବାବେଳେ ଲକ୍‌ଡାଉନ୍ ପ୍ରଭାବରେ ସେମାନେ ଆଉ ସମୁଦ୍ରକୁ ମାଛ ଧରିବାକୁ ଯାଇପାରୁନଥିବା କହିଛନ୍ତି । ମାଛଧରି ଚଳିବା ବ୍ୟତୀତ ସେମାନଙ୍କ ନିକଟରେ ଜୀବିକାର ଅନ୍ୟ କୌଣସି ବିକଳ୍ପ ନଥିବାରୁ ଏହି ସମୟରେ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ଥିବା ଶ୍ରୀ ସର୍ଦ୍ଦାର ପ୍ରକାଶ କରିଛନ୍ତି । ଜିଲ୍ଲାର ଉପକୂଳବର୍ତ୍ତୀ ୫୪ଟି ଗ୍ରାମର ୯ ହଜାର ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରର  ୪୪, ୬୫୫ଜଣ ଲୋକ ମାଛଧରା ବନ୍ଦ ଦିନରେ ପ୍ରଭାବିତ ହୋଉଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ଲକ୍‌ଡାଉନ୍ ସମୟରେ ଦରଦାମ ନିୟନ୍ତ୍ରଣ ପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ  ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଚେତାବନୀ ଦିଆଯିବା ପରେ ସେମାନଙ୍କ ମନରେ ଏଥିପାଇଁ ଭୟ ରହିଥିବାରୁ ଦରଦାମ ନିୟନ୍ତ୍ରଣରେ ରହିଛି । ତେବେ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଆମିଷ ଦ୍ରବ୍ୟ ମଧ୍ୟରୁ ମାଛର ଦାମ୍ ସରକାରୀ ନିୟନ୍ତ୍ରଣ ବାହାରେ ଥିବାରୁ ଏହି ସମୟରେ ଜିଲ୍ଲାର ମତ୍ସ୍ୟ ବ୍ୟବସାୟୀମାନେ ଚଢା ଦାମରେ ବିକ୍ରି କରୁଥିବା ସୂଚନା ମିଳିଛି । ଲକ୍‌ଡାଉନ୍ ପୂର୍ବରୁ ଖାସୁଲିମାଛ ୧୩୦ ଟଙ୍କା ରହିଥିବାବେଳେ ବର୍ତ୍ତମାନ ଏହା ୨ଶହ ଟଙ୍କାରେ ବିକ୍ରି ହେଉଛି । ସେହିପରି ପୂର୍ବରୁ ୩ଶହ ଟଙ୍କା କିଗ୍ରା ପ୍ରତି ଦରଥିବା ଖଏଙ୍ଗା ମାଛ ଏବେ ୪୦୦ରୁ ୪୫୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି । ଏହି ସମୟରେ ଅନ୍ୟାନ୍ୟ ସାମୁଦ୍ରିକ ମାଛ ଉତ୍ପାଦନ ବନ୍ଦ ରହିବାରୁ ଏହାର ପ୍ରଭାବ ମଧ୍ୟ ମଧୁର ମାଛ ଉପରେ ପଡ଼ିଛି ।

ଲକ୍‌ଡାଉନ୍ ପୂର୍ବରୁ  ଦେଶୀ ରୋହୀ ମାଛ ୧୬୦ ଥିବା ବେଳେ ବର୍ତ୍ତମାନ ଏହା ୨୨୦ ଟଙ୍କାକୁ ବୃଦ୍ଧି ଘଟିଛି । ସେହିପରି ଦେଶୀ ଭାକୁଡ ୧୭୦ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୨୩୦ ରୁ ୨୪୦ ଟଙ୍କାରେ ବିକ୍ରି ହେଉଛି । ସମୁଦ୍ର ମାଛ ନମିଳିବା ଆଳରେ ବ୍ୟବସାୟୀମାନେ ଠକୁଥିବା ଖାଉଟିମାନେ ଅଭିଯୋଗ କରୁଥିବାବେଳେ ,ଚଢା ଦାମରେ ବର୍ତ୍ତମାନ ମାଛ କିଣା ଯାଉଥିବାରେ ପୂର୍ବଠୁ ଅଧିକ ଦାମରେ ମାଛ ବିକିବାକୁ ବାଧ୍ୟ ହେଉଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ତେବେ ଲକଡାଉନ ପାଇଁ ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କ ଜୀବିକା  ପ୍ରଭାବିତ ହେଉଥିବାରୁ  ସରକାର ସେମାନଙ୍କ କଥା ସମ୍ବେଦନଶୀଳତାର ସହ ଚିନ୍ତା କରିବାକୁ ଓଡିଶା ମତ୍ସ୍ୟଜୀବୀ ମହାସଭାର ଯୁଗ୍ମ ସଂପାଦକ ଗୟାଧର ଧଳ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking