ଗରିବ ମେଧାବୀ ଛାତ୍ରଙ୍କୁ ପାଠ ପଢାରେ ସହଯୋଗର ହାତ ବଢାଇଲେ ସ୍ୱେଚ୍ଛାସେବୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତଏକମାଣିଆ ଗ୍ରାମର ପ୍ରତାପ ବେହେରାଙ୍କ ପୁଅ ପରମାନନ୍ଦଙ୍କୁ ଉଚ୍ଚଶିକ୍ଷା ପାଇଁ ଏକ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗର ହାତ ବଢାଇଛି । ପରମାନନ୍ଦ ଜଣେ ମେଧାବୀ ଛାତ୍ର । ସେ ମାଟ୍ରିିକ ପରୀକ୍ଷାରେ ୮୧ ପ୍ରତିଶତ ନମ୍ବର ରଖି ପାସ କରିଥିଲେ ଓ ଯୁକ୍ତ ୨ ପରୀକ୍ଷାରେ ଜିଲ୍ଲାରେ ଦ୍ୱିତୀୟ ଟପ୍ପର ହୋଇଥିଲେ । କିନ୍ତୁ ସେ ଏତେ ଗରିବ ଯେ ଯୁକ୍ତ ୩ ଶ୍ରେଣୀରେ ନାମ ଲେଖାଇବା ତାଙ୍କ ପାଇଁ ଅସମ୍ଭବ ଥିଲା । ପରମାନନ୍ଦଙ୍କ ବାପା ପ୍ରତାପ ମୂଲ ଲାଗିଲେ ଘରେ ଚୂଲି ଜଳେ । ଏହି ପରିସ୍ଥିତିରେ ପରମାନନ୍ଦ ପାଠ ପଢାର ଆଶା ଛାଡ଼ି ଦେଇଥିଲେ । ଏ ଖବର ଆଳି ବ୍ଲକ ଅନ୍ତର୍ଗତ ଠାକୁରସାହି ଗ୍ରାମର ସ୍ୱାମି ବିବେକାନନ୍ଦ ସମାଜସେବକ ସଂଘ ନିକଟରେ ପହଂଚିବା ପରେ ପରମାନନ୍ଦଙ୍କ ପାଠ ପଢାରେ ସହଯୋଗର ହାତ ବଢାଇଛି ସଂଘ । ଅଂଚଳର କିଛି ସହୃଦୟ ବ୍ୟକ୍ତିଙ୍କ ସହଯୋଗ ଯୋଗୁ ପରମାନନ୍ଦ ରେଭେନ୍ସା କଲେଜରେ ନାମ ଲେଖାଇ ପାରିଛନ୍ତି ଓ ପାଠ ପଢାର ପରବର୍ତୀ ଖର୍ଚ୍ଚ ସ୍ୱାମୀ ବିବେକାନନ୍ଦ ସମାଜ ସେବକ ସଂଘ ବହନ କରିବ ବୋଲି ପରମାନନ୍ଦଙ୍କ ଭରସା ଦେଇଛି । ପରମାନନ୍ଦଙ୍କ ହଷ୍ଟେଲ ଖର୍ଚ୍ଚ ସମେତ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସଂଘ ଏକ ବୃତିର ବ୍ୟବସ୍ଥା କରିଛି । ସଂଘର ସଦସ୍ୟମାନେ ଏକମାଣିକିଆ ଗ୍ରାମରେ ପହଂଚି ପରମାନନ୍ଦଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ପାଠପଢାରେ ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here