40.1 C
Bhubaneswar
Thursday, April 25, 2024
Homeଓଡିଶାକୋଭିଡ୍ ସେଣ୍ଟରେ ମିଳିପାରିଲାନି ଉପଯୁକ୍ତ ଚିକିତ୍ସା, ଅଧାବାଟରେ ବୃଦ୍ଧାଙ୍କୁ ଛାଡ଼ିଲା ଆମ୍ବୁଲାନ୍ସ

କୋଭିଡ୍ ସେଣ୍ଟରେ ମିଳିପାରିଲାନି ଉପଯୁକ୍ତ ଚିକିତ୍ସା, ଅଧାବାଟରେ ବୃଦ୍ଧାଙ୍କୁ ଛାଡ଼ିଲା ଆମ୍ବୁଲାନ୍ସ

କେନ୍ଦ୍ରାପଡ଼ା: ମହାକାଳପଡ଼ା ବ୍ଲକ ଗୋଖାଖଟି ଗ୍ରାମର ଖୁଲଣା ସ୍ୱାଇଁ(୭୦)ଙ୍କୁ କୋଭିଡ କେୟାର ସେଣ୍ଟରରେ ଉପଯୁକ୍ତ ଚିକିତ୍ସା ମିଳିନଥିବା ବେଳେ ତାଙ୍କୁ ଅଧାବାଟରେ ଆମ୍ବୁଲାନ୍ସ ଛାଡ଼ି ପଳାଇଯିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏଥିସହ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି । ସୂଚନା ଅନୁଯାୟୀ, ଖୁଲଣା ନିଜର ରକ୍ତ ପରୀକ୍ଷାକରିବା ପାଇଁ ପୁଅ ସହିତ ମେ ୩୦ ତାରିଖରେ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ତାଙ୍କର କୋଭିଡ୍ ପଜିଟିଭ୍ ବାହାରିବା ପରେ ତାଙ୍କୁ ହୋମ୍ ଆଇସୋଲେସନ୍‌ରେ ରହିବା ପାଇଁ ବିଭାଗୀୟ ଡାକ୍ତର ପରାମର୍ଶ ଦେଇଥିଲେ ଓ ମେଡିସିନ୍ କିଟ୍ ଘରେ ନେଇ ଦେଇଆସିଥିଲେ । ତେବେ ଯଦିକୌଣସି ଅସୁବିଧା ହୁଏ ତେବେ ଡାକ୍ତରୀ ଦଳକୁ ଟେଲିଫୋନ୍ କରିବା ପାଇଁ ପରାମର୍ଶ ଦେଇ ଘରକୁ ଆସିଥିଲେ । ପରେ କ୍ରମଶଃ ବୃଦ୍ଧାଙ୍କର ଅବସ୍ଥା ଖରାପ ହୋଇପଡ଼ିଲା । ପାଟିରେ ଘା ହୋଇଗଲା, ଖାଇପାରିଲେନି, ବାନ୍ତିହେଲା, ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଲେ । ଏକପ୍ରକାର ଶଯ୍ୟାଶାୟୀ ହୋଇଯିବା ପରେ ଏ ନେଇ ପୁଅ ଅଙ୍ଗଦ ବିଭାଗୀୟ ଡାକ୍ତରଙ୍କୁ ଜଣାଇଥିଲେ ।

ପରେ ଆମ୍ବୁଲାନ୍ସ ଆସି ବୃଦ୍ଧାଙ୍କୁ କେନ୍ଦ୍ରାପଡ଼ା କୋଭିଡ୍ କେୟାର ସେଣ୍ଟରକୁ  ଗତ ୭ ତାରିଖରେ ଘରୁ ଆସି ନେଇଥିଲେ । ପରେ ପୁଅ ଯାଇ କୋଭିଡ୍ କେୟାର ସେଣ୍ଟରରେ ପହଞ୍ଚି ମା’ର ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । କିନ୍ତୁ ସେଠାରେ ଆବଶ୍ୟକ ଔଷଧ ମା’ଙ୍କୁ ମିଳୁନଥିବା, ଏପରିକି ସାଲାଇନ୍ ଟିଏ ଦିଆଯାଇନଥିବା ଜାଣି ଦାୟିତ୍ୱରେ ଥିବା ସମ୍ପୃକ୍ତ ଡାକ୍ତରଙ୍କୁ ପଚାରିବୁଝିଥିଲେ । ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ବାହାରୁ ଔଷଧ ଆଣି ଦେବାପରେ ବୃଦ୍ଧାଙ୍କୁ ସାଲାଇନ୍ ଦିଆଯାଇଥିଲା ଓ ପାଟି ଘାର ଔଷଧ ଓ ଅନ୍ୟାନ୍ୟ ଔଷଧ ବାହାରୁ କିଣି ଆଣି ବୃଦ୍ଧାଙ୍କୁ ପଠାଇଥିବା ନେଇ ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ଏହାପରେ ତାଙ୍କ ମା’ଙ୍କୁ ତୁରନ୍ତ ଡିସ୍‌ଚାର୍ଜ କରିବା ପାଇଁ ସେ ନିବେଦନ କରିଥିଲେ । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀ କହିଥିଲେ ତୁମ ଘରେ ଆମ୍ବୁଲାନ୍ସ ଯୋଗେ ପେସେଣ୍ଟକୁ ନେଇ ଛାଡ଼ିଦିଆହେବ । ପରେ ଆମ୍ବୁଲାନ୍ସରେ ଆସିଥିବା କର୍ମଚାରୀମାନେ ପ୍ରଥମରୁ ଗୋଜାବନ୍ଧ ଛକରେ ବୃଦ୍ଧାଙ୍କୁ ଛାଡ଼ିବାକୁ କହିଥିଲେ ।

ଯାହାର ଦୂରତା ବୃଦ୍ଧାଙ୍କ ଘର ପାଖରୁ ୧ କିଲୋମିଟରରୁ ଊର୍ଦ୍ଧ୍ୱ ହେବ । ଏହାକୁ ବୃଦ୍ଧା ପ୍ରତିବାଦ କରିବା ପରେ ପୁଣି ଷାଠିଏବାଟି ଛକରେ କହିଲେ ଆମେ ଛାଡ଼ିଦେବୁ । ସେଠାକାର ଲୋକ ଏହାକୁ ବିରୋଧ କରିବାରୁ ପୁଣି ଆଗକୁ ଗଡ଼ିଥିଲା ଆମ୍ବୁଲାନ୍ସ । ପରେ ଘରେ ଛାଡ଼ିବା ପରିବର୍ତ୍ତେ ବୃଦ୍ଧାଙ୍କୁ ଅଧବାଟରେ ଆମ୍ବୁଲାନ୍ସ ଛାଡ଼ିପଳାଇଗଲା । ବୃଦ୍ଧା ଜଣକ ଯେତେ କାକୁତି ମିନତି ହୋଇ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କହିଥିଲେ ମଧ୍ୟ ସେମାନେ ଶୁଣିବାକୁ ପ୍ରସ୍ତୁତ ନଥିଲେ । ବୃଦ୍ଧା ଜଣଙ୍କ ଚାଲିବାକୁ ବଳନଥିବା ବେଳେ ବର୍ଷାରେ ବୃଦ୍ଧା ଜଣକ ହନ୍ତସନ୍ତ ହୋଇଥିଲେ ।  ଅନ୍ୟପକ୍ଷେ ପରିବାର ଲୋକେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେଠାରୁ ଉତ୍ତର ଆସିଥିଲା ଆମ୍ବୁଲାନ୍ସ ତୁମ ମା’ଙ୍କୁ ଛାଡ଼ି ଆସି ସାରିଲାଣ । ପରିବାର ଲୋକେ ବୃଦ୍ଧାଙ୍କୁ ଖୋଜି ଖୋଜି ଦେଖିଥିଲେ ବୃଦ୍ଧାଜଣକ ଅଧାବାଟରେ ବସିଛନ୍ତି । ତାଙ୍କୁ ସେଠାରୁ  ଟେକିଟେକି ଘରକୁ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking