28.1 C
Bhubaneswar
Saturday, April 20, 2024
Homeଓଡିଶାବାତ୍ୟା ପରେ ଅନ୍ଧାରରେ ୪ ପଞ୍ଚାୟତ, ୫୫ ଗାଁର ଭରସା ଡିବିରି ଆଲୁଅ

ବାତ୍ୟା ପରେ ଅନ୍ଧାରରେ ୪ ପଞ୍ଚାୟତ, ୫୫ ଗାଁର ଭରସା ଡିବିରି ଆଲୁଅ

କେନ୍ଦ୍ରାପଡ଼ା : ବାତ୍ୟା ‘ୟାଶ୍‌’ ତାଣ୍ଡବ ରଚି ଗତକାଲି ଚାଲି ଯାଇଛି । କିନ୍ତୁ ଛାଡ଼ି ଯାଇଛି ଦୁର୍ଦ୍ଦଶା । ବିଭିନ୍ନ ସ୍ଥାନରେ ଶୋଇଯାଇଛି ବଡ଼ ବଡ଼ ଗଛ । କେଉଁଠି ମୂଳରୁ ଉପୁଡି ପଡ଼ିଛି ଗଛ ତ ଆଉଁ କେଉଁଠି ଘର ଉପରେ ଗଛ ପଡିଛି । ବହୁ ଚାଷ ଜମିରେ ବର୍ଷା ଜତ୍ସହ ଲୁଣି ପାଣି ମାଡ଼ି ଯାଇଛି । ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଛି । ଏହି ପରିପ୍ରେକ୍ଷୀରେ ବାତ୍ୟା ଯିବାର ୨୪ ଘଣ୍ଟା ପରେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ୪ଟି ପଞ୍ଚାୟତବାସୀ ଏବେ ଅନ୍ଧାରରେ ଅଛନ୍ତି । ଫଳରେ ୫୫ଟି ଗାଁ ପାଇଁ ଏବେ ଡିବିରି ଆଲୁଅ ଭରସା ପାଲଟିଛି। ସୁନିତି, କଂସାର ବଡ଼ଦାଣ୍ଡୁଆ, ବତୀଘର, ପେଟଛେଲା ପ୍ରଭୃତି ପଞ୍ଚାୟତରେ ନଦୀତଟବନ୍ଧ କରିଥିବା ସ୍ଲୁଇସ୍‌ରେ ସଟର ନଲାଗିବା, କେଉଁଠି ନିଚ୍ଚା ଘେରିବନ୍ଧ ପାଇଁ ଲୁଣାପାଣି ବିଲରେ ପଶିବା, ପୁଣି କେଉଁଠି ଦୁର୍ବଳ ନଦୀବନ୍ଧ ପାଇଁ ଘେରି ଭାଙ୍ଗିବା ଦ୍ୱାରା ଚାଷୀର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି । ଜମ୍ବୁ, ରାମନଗର, ଖରିନାସୀ ଓ ବତୀଘର ପଞ୍ଚାୟତ ଅନ୍ଧାରରେ ଥିବା ବେଳେ ସୁନିତିର କିଛି ଅଂଶ, ଲାଞ୍ଜୁଡ଼ାର କିଛି ଗ୍ରାମ, ଗଗୁଆର କିଛି ଗ୍ରାମ, କଂସାର ବଡ଼ଦାଣ୍ଡୁଆର ଅଳ୍ପ କେତୋଟି ଗାଁକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି ।

ବଉଳକଣି ଓ ପେଟଛେଲା ପଞ୍ଚାୟତର ଅର୍ଦ୍ଧାଧିକ ଲୋକ ଏବେ ମଧ୍ୟ ଡିବି ଆଲୁଅକୁ ଭରସା କରି ରହିଛନ୍ତି । ବିଭାଗୀୟ ଅଧିକାରୀଙ୍କ କହିବା କଥା କେଉଁଠି ଗଛପଡ଼ି ତାର ଛିଣ୍ଡି ଯାଇଥିବାବେଳେ କେଉଁଠି ଖୁଣ୍ଟ ଭାଙ୍ଗିଯାଇଛି । ଏହାର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଥିବା ବେଳେ କିଛି ଜାଗାରେ ଫଲ୍ଟ ରହିଛି, ଯାହାକୁ ବର୍ତ୍ତମାନ ସୁଦ୍ଧା ଚେଷ୍ଟା କରି ମଧ୍ୟ ଆମେ ଧରିପାରିନୁ । ଏଣେ ବାତ୍ୟା ପରେ କିଟିକିଟି ଅନ୍ଧାର । ଏହାରି ଭିତରେ ଗ୍ରାମବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ଅବସ୍ଥାରେ ରହିଛି । ଏବେ ସୁଦ୍ଧା ବ୍ଲକର ୫୫ଟି ଗାଁର ଘରେ ବିଜୁଳି ବଲବ୍ ଜଳିପାରି ନାହିଁ । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ସେପଟେ ରାଜସ୍ୱ ବିଭାଗ ତରଫରୁ ପ୍ରାଥମିକ ତଦନ୍ତ କରାଯାଇ ୩୧ଟି ପଞ୍ଚାୟତର ୨୨୪ଟି ଗାଁ ମଧ୍ୟରୁ ୧୮୫ଟି ଗାଁରେ ସର୍ଭେ କରାଯାଇ ୮୪ଟି କଚ୍ଚାଘର ଓ ୫୫ ଗୁହାଳ ଭାଙ୍ଗିଯାଇଥିବା ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଯାଇଛି । ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ପାଇଁ କିଛି ସମୟ ଲାଗିବ ବୋଲି ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା କହିଛନ୍ତି । ବ୍ଲକର ୯ଟି ରାଜସ୍ୱ ସର୍କଲ ଦ୍ୱାରା ସର୍ଭେ କରାଯାଇ ଏହି ବିବରଣୀ ଦିଆଯାଇଛି ।

ତେବେ ତଳିଆ ଅଞ୍ଚଳରେ ପାଣି ବୁଡ଼ିଥିବା ଗାଁ ଗୁଡ଼ିକରେ ଗୋ-ଦାନା ବଣ୍ଟନ କରାଯାଇନାହିଁ । ବ୍ଲକର କେଆରବାଙ୍କ ଓ ନଳଦିଆ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ଗାଁର ଗୋ-ପାଳକମାନଙ୍କ ପାଇଁ ୫୦ ଟନ୍‌ରୁ ଊର୍ଦ୍ଧ୍ୱ ଗୋ ଦାନା ଆସିଥିଲା । ବିଭାଗୀୟ ଅଧିକାରୀଙ୍କ ଅନଭିଜ୍ଞତା ପାଇଁ ତାହା ବଣ୍ଟନ କରାଯାଇପାରିନାହିଁ । ଅନ୍ୟପକ୍ଷରେ ନଦୀତଟବନ୍ଧ ବିଭାଗର ଦୁର୍ବଳ ଘେରିବନ୍ଧଗୁଡ଼ିକ କେତେ ଜାଗାରେ ଭାଙ୍ଗିଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ବିଭାଗୀୟ ଅଧିକାରୀ ପରେ ଦେବେ ବୋଲି କହୁଛନ୍ତି । ଯାହା ପାଇଁ ଚାଷୀ ବିଲରେ ଲୁଣିପାଣି ପଶିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking