34.1 C
Bhubaneswar
Friday, March 29, 2024
Homeଓଡିଶାବେଣୀଙ୍କ ପାଇଁ ଆବାସ ସାତସପନ, ଭଙ୍ଗା ଦଦରା ଘରେ ବିତୁଛି ଜୀବନ

ବେଣୀଙ୍କ ପାଇଁ ଆବାସ ସାତସପନ, ଭଙ୍ଗା ଦଦରା ଘରେ ବିତୁଛି ଜୀବନ

କେନ୍ଦ୍ରାପଡ଼ା : କେନ୍ଦ୍ର ଓ ରାଜ୍ୟ ସରକାର ସାମାଜିକ ସୁରକ୍ଷା ଯୋଜନାରେ ବୃଦ୍ଧବୃଦ୍ଧା ଓ ଗରିବ ଲୋକମାନଙ୍କ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଚାଲିଥିଲେ ମଧ୍ୟ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ସରକାରୀ ପ୍ରଚାର, ପ୍ରସାର ଓ ଜନସଚେତନତା ସତ୍ୱେ ଗରିବ କଲ୍ୟାଣ ଯୋଜନା କେବଳ ଫାଇଲ ମଧ୍ୟରେ ଅଟକି ଯାଇଛି । ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ବଡ଼ବଡ଼ିଆମାନେ ସରକାରୀ ଯୋଜନା ହାତେଇବା ଦ୍ୱାରା ଗରିବ ନିରାଶ୍ରୟମାନେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ।  ଏହାର ପ୍ରକୃତ ଉଦାହରଣ ହେଉଛନ୍ତି ସରକାରଙ୍କ ବହୁ ଚର୍ଚ୍ଚିତ ଆବାସ ଯୋଜନାରୁ ଆବାସ ନେଇ ମୁଣ୍ଡ ଗୁଞ୍ଜିବାର ସ୍ୱପ୍ନ ଦେଖୁଥିବା  କେନ୍ଦ୍ରାପଡ଼ା ଜିଲ୍ଲା  ପଟ୍ଟାମୁଣ୍ଡାଇ ବ୍ଲକ ଡିହାପଡା ପଞ୍ଚାୟତ ଅନ୍ତର୍ଗତ ଗଣ୍ଡକୂଳ ଗ୍ରାମର ବୃଦ୍ଧା ନିରାଶ୍ରୟା ବେଣୀ ମହାପାତ୍ର ।  

୭୨ ବର୍ଷିୟା ବେଣୀ ଆବାସ ଯୋଜନାରେ ସାମିଲ ହୋଇ ଘର ଖଣ୍ଡେ ପାଇବା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ି ମଧ୍ୟ କିଛି ସୁଫଳ ପାଇନାହାନ୍ତି ।  ଅନ୍ୟପକ୍ଷରେ ବୃଦ୍ଧା ବେଣୀଙ୍କ ୩ ପୁଅ ମଧ୍ୟରୁ ବଡ଼ପୁଅ ଓ ମଧ୍ୟମ ପୁତ୍ର ବାହାରେ ରହୁଛନ୍ତି । ଯେଉଁ ପୁଅ ଭରସାରେ ବୃଦ୍ଧା ଜଣକ ନିଜ ଭିଟାମାଟିରେ ପଡ଼ି ରହିଛନ୍ତି ସେ ମାନସିକ ରୋଗୀ । ଯାହାଫଳରେ ଭଗବାନ ଓ ଭାଗ୍ୟକୁ ଆଦରି ବହୁ କଷ୍ଟରେ ଜୀବନଯାପନ କରୁଥିବା ବେଣୀ ଏକ ଭଙ୍ଗା ଦଦରା ଘରେ ଜୀବନ ସହିତ ସଂଘର୍ଷ କରୁଛନ୍ତି । ତାଙ୍କ ଅବସ୍ଥା ଦେଖି ସାହିପଡ଼ିଶା ଓ ସ୍ଥାନୀୟ ଲୋକମାନେ ଦୟା ଭାବ ଦେଖାଉଥିଲେ ମଧ୍ୟ ସରକାରୀ ବ୍ୟବସ୍ଥାର ଜଟିଳତା ମଧ୍ୟରେ ଆବାସ ଯୋଜନା ନେଇ କୌଣସି ସହାୟତା କରିପାରୁନାହାନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବହୁ ଚର୍ଚ୍ଚିତ ସମାଜିକ ସୁରକ୍ଷା ଓ ଜନକଲ୍ୟାଣ ଯୋଜନା ବସ୍ତୁତଃ ଏଠାରେ ଫେଲ ମାରିଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି । ତେବେ ଆବାସ ଯୋଜନା ଆଶାରେ ପଡିରହିଥିବା ବୃଦ୍ଧା ବେଣୀଙ୍କୁ କେବେ ନ୍ୟାୟ ମିଳୁଛି ତାହା କେବଳ ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking