28.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ମୁକାବିଲା ପାଇଁ ସମ୍ବଲପୁର ଓ ବୁର୍ଲାରେ ସତର୍କତା : ଝାରସୁଗୁଡ଼ା ବିମାନ ବନ୍ଦରରେ କାର୍ଯ୍ୟକ୍ଷମ...

କରୋନା ମୁକାବିଲା ପାଇଁ ସମ୍ବଲପୁର ଓ ବୁର୍ଲାରେ ସତର୍କତା : ଝାରସୁଗୁଡ଼ା ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କକ୍ଷ

ସମ୍ବଲପୁର : ଚୀନରେ ଦେଖାଦେଇଥିବା ନୋଭେଲ କରୋନା ଭୂତାଣୁ ବା ଏନ୍‌ସିଓଭିର ସଂକ୍ରମଣକୁ ଦୃଷ୍ଟିରେ ରଖି ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୂର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମ୍‌ସାର), ସମ୍ବଲପୁର ଜିଲ୍ଲା ସଦର ହସ୍ପିଟାଲ ଓ ଝାରସୁଗୁଡ଼ା ବିମାନ ବନ୍ଦର ପକ୍ଷରୁ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଆବଶ୍ୟକ ହେଲେ ପଶ୍ଚିମ ଓଡ଼ିଶାର ଏହି ଭାଇରସ ଦ୍ୱାରା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଭିମ୍‌ସାରରେ ସ୍ୱତନ୍ତ୍ର ଓାର୍ଡର ବ୍ୟବସ୍ଥା କରାଯାଇଛି । ଏନ୍‌ସିଓଭି ପାଇଁ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ମଧ୍ୟ ପଲମୋନାରୀ ମେଡିସିନ ବିଭାଗରେ କାର୍ଯ୍ୟାରମ୍ଭ କରିଛି । ଏଥିରେ ୪ ଶଯ୍ୟା ବିଶିଷ୍ଟ ଆଇସିୟୁକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ଏହି ବିଭାଗ ନିକଟରେ ୫ ଶଯ୍ୟାର ଏକ ଆଇସୋଲେସନ ଓାର୍ଡକୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି । ଆବଶ୍ୟକ ହେଲେ ଏହାର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି । ପଲମୋନାରି ମେଡିସିନ ବିଭାଗର ପ୍ରଫେସରଙ୍କ ତତ୍ତ୍ୱାବଧାନରେ ହୃଦ୍‌ରୋଗ, ଭେଷଜ ବିଭାଗ ଓ ଆଞ୍ଚଳିକ ପରୀକ୍ଷାଗାର(ଆରଡିସି)ର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିବା ଭିମ୍‌ସାର ସୂତ୍ରରୁ ପ୍ରକାଶ ।
ଏହି କମିଟି ଏନସିଓଭି ସଂକ୍ରମଣ ମାମଲା ଗୁଡ଼ିକର ପ୍ରବନ୍ଧନ ଓ ପରୀକ୍ଷା କରିବ । ଭିମ୍‌ସାରର ଆଞ୍ଚଳିକ ପରୀକ୍ଷାଗାରରେ ଏହିଭଳି ରୋଗର ପରୀକ୍ଷା ପାଇଁ ପଦକ୍ଷେପ ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି । ଏନ୍‌ସିଓଭି ରୋଗ ଚିକିତ୍ସା ଓ ପରୀକ୍ଷା ଦାୟିତ୍ୱରେ ଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସକାଶେ ଆବଶ୍ୟକ ମାକ୍ସ ଓ ଅନ୍ୟାନ୍ୟ କିଟ୍ସ ଯୋଗାଇ ଦେବାକୁ ଭିମ୍‌ସାର ହାସ୍ପଟାଲ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି । ଅନ୍ୟ ପକ୍ଷରେ ସମ୍ବଲପୁର ଜିଲ୍ଲା ସଦର ହାସ୍ପିଟାଲରେ ମଧ୍ୟ ଏନ.କରୋନା ସଂକ୍ରମଣର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସିଡିଏମ୍‌ଓ ଡା. ବିଭୂତି ଭୂଷଣ ପଟେଲ ସୂଚନା ଦେଇଛନ୍ତି । ଭୂତାଣୁ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରକ୍ରିୟା ଚାଲିଛି । ଅନ୍ୟ ପକ୍ଷରେ ଭିମ୍‌ସାରରେ ରୋଗ ନିଦାନ ଦାୟିତ୍ୱରେ ଥିବା ବିଶେଷଜ୍ଞ ଓ କର୍ମଚାରୀମାନଙ୍କୁ ରୋଗର ଚିକିତ୍ସା ଓ ପରୀକ୍ଷାର ପଦ୍ଧତି ନେଇ ସୂଚିତ କରାଯାଇଛି ।
ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରଠାରେ ବିମାନ ଯୋଗେ ଆସୁଥିବା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି । ବିମାନ ବନ୍ଦରେ ଏହି ଏନ୍‌ସିଓଭିର ଲକ୍ଷଣ ଥିବା ଯାତ୍ରୀଙ୍କ ସ୍କ୍ରିନିଂ ପାଇଁ ଏକ କକ୍ଷ କାର୍ଯ୍ୟକ୍ଷମ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କକ୍ଷ କାର୍ଯ୍ୟ କରୁଛି । ଗତକାଲି ଠାରୁ ଏଠାରେ ୨ ଜଣ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଅବସ୍ଥାପିତ କରାଯାଇଛି । ବିଶେଷକରି ଚୀନ, ହଂକଂ ଆଦି ଦେଶରୁ ଆସୁଥିବା ବିମାନ ଯାତ୍ରୀ ମାନଙ୍କ ପ୍ରତି ଧ୍ୟାନ ଦିଆଯାଉଥିବା ଜଣାପଡ଼ିଛି । ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସନ୍ଦିଗ୍ଧ ସଂକ୍ରମିତ ଯାତ୍ରୀଙ୍କ ଯାଞ୍ଚ ପାଇଁ ବିମାନ ବନ୍ଦରର ଆରାଇଭାଲ କକ୍ଷରେ ଏହି ସ୍କ୍ରିନିଂ କେନ୍ଦ୍ର ଖୋଲାଯାଇଥିବା ବିମାନ ବନ୍ଦରର ନିର୍ଦ୍ଦେଶକ ସୁଦେଶ ଚୌହାନ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାନାମାକୁ ଅନୁସରଣ କରିବା ପାଇଁ ଏଠାରେ ବିମାନ ପରିଚାଳନା କରୁଥିବା ସ୍ପାଇସ ଜେଟ୍ ଓ ଆଲାଏନ୍ସ ଏୟାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଝାରସୁଗୁଡ଼ା ସିଡିଏମଓ ଡା. ଜେସି ବାରିକ ବିମାନ ବନ୍ଦରରେ କରାଯାଇଥିବା ସୁବିଧାର ପରିଦର୍ଶନ କରିଥିବା ନିଦ୍ଦେର୍ଶକ ଚୌହାନ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking