କରଣ ସମାଜର ନୃସିଂହ ବନ୍ଧ ଘାଟ ସଫେଇ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ବଲାଙ୍ଗିର ପୌର ପାଳିକା ଅଧିକୃତ ବହୁ ପୁରାତନ ଜଳାଶୟ ନରସିଂହ ବନ୍ଧ ଉପରେ ସହଶ୍ରାଧିକ ଜନସାଧାରଣ ନିର୍ଭର କରନ୍ତି । ଏଥି ସହିତ ସହରର ବିଭିନ୍ନ ପୂଜା ପାର୍ବଣ ଓ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହୃତ ଜଳ ସଂଗ୍ରହ ନିମନ୍ତେ ଶତାଧିକ ଅନୁଷ୍ଠାନ ଓ ଶ୍ରଦ୍ଧାଳୁ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ଯେ, ବର୍ଷ ବର୍ଷ ଧରି ଉପଯୁକ୍ତ ରକ୍ଷାଣାବେକ୍ଷଣର ଅଭାବ ହେତୁ ଏହି ପୁରାତନ ଜଳାଶୟ ଏବଂ ଏଠାରେ ସ୍ଥିତ ସ୍ନାନଘାଟ ଗୁଡିକ ଅତ୍ୟନ୍ତ ପରିତ୍ୟକ୍ତ ଓ ପ୍ରଦୂଷିତ ଅବସ୍ଥାରେ ଅଛି । ସମ୍ପୁର୍ଣ୍ଣ ଜଳାଶୟର ଜଳ ପୂତିଗନ୍ଧମୟ ହୋଇପଡିଥିବା ବେଳେ ବ୍ୟବହାର ଅନୁପଯୋଗୀ ହୋଇଛି । ଏଣୁ ପ୍ରାଥମିକ ଭାବେ କରଣ ସମାଜ ପକ୍ଷରୁ ସମସ୍ତ ସ୍ନାନଘାଟ ଗୁଡିକୁ ଜନସାଧାରଣଙ୍କ ପାଇଁ ବ୍ୟବହାର ଉପଯୋଗୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଏହି କ୍ରମରେ ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ତଥା କରଣ ସମାଜ ପକ୍ଷରୁ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ସ୍ଥାନୀୟ ନୃସିଂହ ବନ୍ଧର ମୁଖ୍ୟ ସ୍ନାନଘାଟରେ ଦ୍ୱିତୀୟ ପର୍ଯ୍ୟାୟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ଅସିମ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ ପୂର୍ବକ ଘାଟ ସଫେଇ ସହିତ ଘାଟରେ ଥିବା ବିଭିନ୍ନ ପ୍ରକାର ମଇଳା ଓ ଅନାବନା ଲତା ଅପସାରଣ କରିଥିଲେ । ଏହି ଅବସରରେ ଦିର୍ଘ ତିନି ଦଶନ୍ଧି ପୂର୍ବେ ଜଳସମାଧି ଲାଭ କରିଥିବା ଏକ ପଦ ଚାଳିତ ଡଙ୍ଗାକୁ ଉଦ୍ଧାର କରାଯାଇଥିଲା । ସମାଜର ଉପରୋକ୍ତ କାର୍ଯ୍ୟକ୍ରମରେ ବିଶେଷ କରି ମହିଳା ଶାଖାର ସଦସ୍ୟାମାନେ ଅଧିକ ଉତ୍ସାହର ସହିତ ଶ୍ରମଦାନ କରିଥିବା ବେଳେ ଉପଦେଷ୍ଟା ମଣ୍ଡଳିର ସମସ୍ତ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ସବୁ ସଫେଇ କାର୍ଯ୍ୟକ୍ରମ ଗୁଡିକରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ମଧ୍ୟ ଆବର୍ଜନା ସ୍ଥାନାନ୍ତରଣ ସହିତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ସମସ୍ତ ସହଯୋଗ ପ୍ରଦାନ କରାଯାଉଥିବାରୁ କରଣ ସମାଜ ପକ୍ଷରୁ ପୌର ଅଧିକାରୀଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଆଗାମୀ ଦିନରେ ବଲାଙ୍ଗିର ସହରର ଅନ୍ୟାନ୍ୟ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୁଡିକର ସହଯୋଗ କ୍ରମେ ଏହି ସଫେଇ କାର୍ଯ୍ୟକ୍ରମ ଜାରି ରହିବ ଓ ନୃସିଂହ ବନ୍ଧର ସମ୍ପୁର୍ଣ୍ଣ ପୁନଃଉଦ୍ଧାର ପାଇଁ ଉଦ୍ୟମ କରାଯିବ ବୋଲି ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।