କାନପୁର ଟେଷ୍ଟ : ଡେବ୍ୟୁଟାଣ୍ଟ ଆୟର ଓ ଜାଡେଜାଙ୍କ ଅର୍ଦ୍ଧଶତକ

ପ୍ରଥମ ଦିନ ଭାରତ ୨୫୮/୪
କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସ୍ଥାନୀୟ ଗ୍ରୀନ୍ ପାର୍କରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୪ ୱିକେଟ୍ ବିନିମୟରେ ୨୫୮ ରନ୍ କରିଛି । ଏହି ମ୍ୟାଚ୍‌ରେ ଟେଷ୍ଟ ଡେବ୍ୟୁ କରିଥିବା ଶ୍ରେୟସ୍ ଆୟର୍ ୧୩୬ ବଲ୍‌ରେ ୭୫ ରନ୍ ଏବଂ ରବୀନ୍ଦ୍ର ଜାଡେଜା ୧୦୦ ବଲ୍‌ରେ ୫୦ ରନ୍ କରି ଅପରାଜିତ ରହିଛନ୍ତି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ୧୪୫ ରନ୍‌ରେ ପ୍ରଥମ ୪ଟି ୱିକେଟ୍ ହରାଇଥିଲା । ମାତ୍ର ୫ମ ୱିକେଟ୍ ପାଇଁ ଆୟର୍ ଓ ଜାଡେଜା ୨୦୬ ବଲ୍‌ରେ ୧୧୩ ରନ୍‌ର ଶତକୀୟ ପାର୍ଟନର୍‌ଶିପ୍ କରି ଇନିଂସ୍ ସମ୍ଭାଳିଥିଲେ । ଦୁଇ ବ୍ୟାଟ୍ସମ୍ୟାନ୍ ସତର୍କତାର ସହ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ବୋଲର୍‌ଙ୍କୁ କୌଣସି ସୁଯୋଗ ଦେଇନଥିଲେ । ଜାଡେଜା ମଧ୍ୟ ଆକର୍ଷଣୀୟ ବ୍ୟାଟିଂ କରି ୯୭ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ ।

ଟେଷ୍ଟ କ୍ରିକେଟ୍‌ରେ ଏହା ତାଙ୍କର ୧୭ତମ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଅର୍ଦ୍ଧଶତକ । ସେହିପରି ଭାରତୀୟ ମାଟିରେ ଏହା ତାଙ୍କର ୧୦ମ ଅର୍ଦ୍ଧଶତକ। ଭାରତର ପ୍ରଥମ ୱିକେଟ୍ ୭.୫ ଓଭର୍‌ରେ ମୟଙ୍କ ଅଗରୱାଲ୍‌ଙ୍କ ରୂପରେ ପଡ଼ିଥିଲା । ମୟଙ୍ଗ ୧୩ ରନ୍ କରି କାଇଲ୍ ଜେମିସନ୍‌ଙ୍କ ବଲ୍‌ରେ ୱିକେଟ୍‌କିପର୍ ଟମ୍ ବ୍ଲଣ୍ଡେଲ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା ୧୩୩ ବଲ୍‌ରେ ୬୧ ରନ୍ ଯୋଡ଼ିଥିଲେ । ଲଞ୍ଚ୍‌ର ବ୍ରେକ୍‌ର ପରବର୍ତ୍ତୀ ଓଭର୍‌ରେ ଜେମିସମ୍ ଗିଲ୍ (୫୨)ଙ୍କୁ କ୍ଲିନ୍ ବୋଲ୍ଡ ଆଉଟ୍ କରି ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ସଫଳତା ଦେଇଥିଲେ । ଗିଲ୍ ୮୧ ବଲ୍‌ରେ ଟେଷ୍ଟ କ୍ରିକେଟ୍‌ରେ ନିଜର ଚତୁର୍ଥ ଅର୍ଦ୍ଧଶତକ ପୂରା କରିଥିଲେ । ଇଂଲଣ୍ଡ ଗସ୍ତ ପୂର୍ବରୁ ଷ୍ଟ୍ରେସ୍ ଫ୍ରାକ୍‌ଚର୍ ଯୋଗୁଁ ଦଳର ବାଦ୍ ପଡ଼ିଥିବା ଗିଲ୍ ଏହି ମ୍ୟାଚ୍‌ରେ ଅର୍ଦ୍ଧଶତକ କରି ଆକର୍ଷଣୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଯୁବ ଓପ୍ନର୍ ୭ଟି ଇନିଂସ୍ ପରେ ପ୍ରଥମ ଅର୍ଦ୍ଧଶତକ କରିଛନ୍ତି ।

ଗିଲ୍‌ଙ୍କ ଇନିଂସ୍ ୫୨ ରନ୍‌ରେ ସମାପ୍ତ ହୋଇଥିବା ବେଳେ ତାଙ୍କ ବ୍ୟାଟିଂରୁ ଲାଗୁଥିବା ସେ ବଡ଼ ଇନିଂସ୍ ଖେଳିବେ ବୋଲି ଲାଗୁଥିଲା । ତେବେ ସେ ଏଠାରେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । କାନପୁରରେ ଅର୍ଦ୍ଧଶତକ କରିବାରେ ଗିଲ୍ (୨୨ ବର୍ଷ ୭୮ ଦିନ) ଭାରତର ଦ୍ୱିତୀୟ ସର୍ବକନିଷ୍ଠ ଭାରତୀୟ ହୋଇଛନ୍ତି । ପ୍ରଥମ ସ୍ଥାନରେ ଏମ୍‌ଏଲ୍ ଜୟସିହ୍ମା (୨୧ ବର୍ଷ ୨୮୮ ଦିନ)ଙ୍କ ନାମ ରହିଛି । ଆଉଟ୍ ପୂର୍ବରୁ ସେ ଗୋଟିଏ ଜୀବନଦାନ ମଧ୍ୟ ପାଇଥିଲେ । ତୃତୀୟ ଓଭର୍‌ର ତୃତୀୟ ବଲ୍‌ରେ ଟିମ୍ ସାଉଦି ତାଙ୍କ ବିପକ୍ଷରେ ଏଲ୍‌ବିଡବ୍ଲ୍ୟୁ ଅପିଲ୍ କରିଥିବା ବେଳେ ଅମ୍ପାୟାର ବିଲ୍‌ଙ୍କୁ ଆଉଟ୍ ଦେଇଥିଲେ । ମାତ୍ର ଅମ୍ପାୟାର ନିଷ୍ପତ୍ତି ପରେ ରିଭ୍ୟୁ ନେଇଥିଲେ ଏବଂ ବଲ୍ ବ୍ୟାଟ୍‌ରେ ବାଜିବା ପରେ ଗିଲ୍‌ଙ୍କ ପ୍ୟାଡ୍‌ରେ ବାଜିଥିବା ରିପ୍ଲେରୁ ସ୍ପଷ୍ଟ ଜଣାପଡ଼ିଥିଲା । ଫଳରେ ଡିଆର୍‌ଏସ୍‌ରେ ଗିଲ୍‌ଙ୍କୁ ବଡ଼ ଜୀବନଦାନ ମିଳିଥିଲା।

ପୂଜାରା (୨୬)ଙ୍କୁ ଆଉଟ୍ କରି ଟିମ୍ ସାଉଦି ଭାରତକୁ ୩ୟ ଧକ୍କା ଦେଇଥିଲେ । ଚତୁର୍ଥ ୱିକେଟ୍ ପାଇଁ କ୍ୟାପ୍‌ଟେନ୍ ଆଜିଙ୍କ୍ୟ ରାହାଣେ ଓ ଆୟର ୭୦ ବଲ୍‌ରେ ୩୯ ରନ୍ ଯୋଡ଼ିଥିଲେ । ଏହି ଯୋଡ଼ି କ୍ରିଜ୍‌ରେ ଜମି ଆସୁଥିବା ବେଳେ ଜେମିସନ୍ ରାହାଣେଙ୍କୁ ଆଉଟ୍ କରି ଯୋଡ଼ି ଭାଙ୍ଗିଥିଲେ । ତେବେ ପୂର୍ବ ବଲ୍‌ରେ ରାହାଣେଙ୍କୁ ଗୋଟିଏ ଜୀବନଦାନ ମିଳିଥିଲା । ଜେମିସନ୍‌ଙ୍କ ପ୍ରଥମ ବଲ୍‌ରେ ରାହାଣେଙ୍କ ବିପକ୍ଷରେ ୱିକେଟ୍‌କିପର୍ ବ୍ଲଣ୍ଡେଲ୍ କ୍ୟାଚ୍ ଆଉଟ୍‌ର ଅପିଲ୍ କରିଥିଲେ ଏବଂ ଅମ୍ପାୟାର୍ ମଧ୍ୟ ଆଉଟ୍ ଦେଇଥିଲେ । ମାତ୍ର ରାହାଣେ ଡିଆର୍‌ଏସ୍‌ର ସହାୟତା ନେଇଥିଲେ । ବଲ୍ ତାଙ୍କ ବ୍ୟାଟ୍‌ରେ ଲାଗିନଥିôବା ରିଭ୍ୟୁରୁ ସ୍ପଷ୍ଟ ଜଣାପଡ଼ିବା ପରେ ତାଙ୍କୁ ଜୀବନଦାନ ମିଳିଥିଲା । ମାତ୍ର ପରବର୍ତ୍ତୀ ବଲ୍‌ରେ ଜେମିସନ୍ ତାଙ୍କୁ ବୋଲ୍ଡ କରିଦେଇଥିଲେ । ରାହାଣେ ୬୩ଟି ବଲ୍‌ର ସମ୍ମୁଖୀନ ହୋଇ ୩୫ ରନ୍ କରିଥିଲେ ।
କାନପୁରରେ ଭାରତୀୟ ପେସର୍ ଉମେଶ ଯାଦବ ନିଜର ୫୦ତମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ରଚିନ୍ ରବୀନ୍ଦ୍ର ଟେଷ୍ଟ ଡେବ୍ୟୁ କରିଥିଲେ । ଟେଷ୍ଟ ଡେବ୍ୟୁ କରିବାରେ ସେ ନ୍ୟୁଜିଲାଣ୍ଡର ୨୮୨ତମ ଖେଳାଳି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here