43 C
Bhubaneswar
Tuesday, April 16, 2024
Homeଓଡିଶାଗୁହାରି କରି ଥକିଗଲେଣି ବିଧବା ବୃଦ୍ଧା, ଭଙ୍ଗା ଦଦରା ଘରେ ଜୀବନ

ଗୁହାରି କରି ଥକିଗଲେଣି ବିଧବା ବୃଦ୍ଧା, ଭଙ୍ଗା ଦଦରା ଘରେ ଜୀବନ

ଫୁଲବାଣୀ : ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ସରକାରୀ ବାବୁମାନଙ୍କୁ ନେହୁରା ହୋଇ ଥକିଯିବା ପରେ ବେସାହାରା ହୋଇପଡିଛନ୍ତି ଜଣେ ୬୦ ବର୍ଷର ବୃଦ୍ଧା । ଭଙ୍ଗା ଦଦରା ଘରେ ତାଙ୍କର ଜୀବନ ବିତୁଛି । ପ୍ରଶାସନ ପାଖରେ ଖବର ଥିଲେ ମଧ୍ୟ ନିୟମ ଦେଖାଇ ନୀରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆଉ କେଉଁ ନିୟମ ଦରକାର ନା ପ୍ରଶାସନ ସତ ଖୋଜିବାରେ ବିଫଳ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ସଦର ମହକୁମାଠାରୁ ୨ କିମି ଦୂରରେ ଚାରିପଡ଼ା ଗ୍ରାମ । ପଦ୍ମଶ୍ରୀ ଘୋଷିତ ବାବା ତ଼ାଡ଼ିସରୁ ବାଇଙ୍କ ପାଇଁ ଏହି ଗାଁ ଆଜି ରାଜ୍ୟ କାହିଁକି ଦେଶରେ ପରିଚିତ । ସେହି ଗ୍ରାମରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ସେହି ଗାଁରେ ରୁହନ୍ତି ବିଧବା ବୃଦ୍ଧା ସୁବାସିନୀ ବାରି । କିଛି ବର୍ଷ ପୂର୍ବେ ସ୍ୱାମୀ ଆରପାରିକୁ ଚାଲିଗଲେ । ସେହିଦିନ ଠାରୁ ସେ ଏକାକୀ ଜିଇଁଛନ୍ତି । ତେବେ ଯେଉଁ ଘରେ ସେ ରହୁଛନ୍ତି ଉପରେ ଛଣ ଦିମୁଠା ସହ ଖଣ୍ଡେ ଛିଣ୍ଡା ପାଲ ପଡିଛି । ତାହା ବି ସମ୍ପୂର୍ଣ୍ଣ ଘରକୁ ଘୋଡାଇ ପାରୁନି । କାନ୍ଥକୁ ଦେଖିଲେ କେବଳ ବାଉଁଶ ଦଶ ବାରଖଣ୍ଡ ସହ ତାଟି ଲାଗିଛି । ସନ୍ଧ୍ୟା ହୋଇଗଲେ ତାହା ଦେଖାଯାଉଛି । ବର୍ଷା ହେଲେ ଘର ଭିତରେ ପାଣି ପଶିଯାଉଛି । ଯଦି ପବନ ହେବ କଥା ସରିଲା । ଅନେକ ଥର ପବନରେ ଉଡିଯାଇଛି ଘରର ଛଣ ଛାତ ।

ନିଜର ସମସ୍ୟା ନେଇ ସେ ଅନେକ ଥର ଗ୍ରାରମ ୱାର୍ଡ଼ ମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଂଚ ଓ ବ୍ଳକ କାର୍ଯ୍ୟାଳକୁ ଯାଇଛନ୍ତି । କିନ୍ତୁ ସମେସ୍ତ ନିୟମର ଦ୍ୱାହି ଦେଇ ଖସିଯାଉଛନ୍ତି । ବାସ୍ତବରେ ବ୍ଲକରେ ଯେଉଁ ସବୁ ହିତାଧିକାରୀମାନେ ଘର ପାଇଛନ୍ତି ସେମାନଙ୍କ ଅବସ୍ଥା ସୁବାସିନୀଙ୍କଠାରୁ ଦୟନୀୟ ଥିଲା କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏଣେ ତାଡିସରୁବାଈଙ୍କୁ ପଦ୍ମଶ୍ରୀ ଉପାଧି ମିଳିବା ପରେ ସେହି ଗାଁକୁ ମେଞ୍ଚା ମେଞ୍ଚା ଅଫିସରଙ୍କ ଗସ୍ତ ହୋଇଛି । କିନ୍ତୁ ସୁବାସିନୀଙ୍କ ଉପରେ କାହାର ନଜର ନାହିଁ ।

ଯୋଗ୍ୟ ହିତାଧିକାରୀ ବାଛିବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନଚେତ ଏଭଳି ଗୁରୁତର ଘଟଣା ପ୍ରତି ହେୟଜ୍ଞାନ କରିବା ସ୍ପଷ୍ଟ ହୋଇଛି । ଏ ସମ୍ପର୍କରେ ସୁବାସିନୀଙ୍କୁ ପଚାରିବାରେ ସେ କହିଲେ ଯେ, ଅନେକ ଥର ପଞ୍ଚାୟତଠାରୁ ଆରମ୍ଭ କରି ସମସ୍ତଙ୍କୁ ଗୁହାରି କରିଛି । କିନ୍ତୁ ମୋ କଥା କେହି ଶୁଣିନାହାନ୍ତି । ମୁଁ ବୃଦ୍ଧା, ମୋର କେହି ସାହାରା ନାହାନ୍ତି । ତେଣୁ କର୍ମକୁ ଆଦରି ପଡି ରହିଛି । କେଉଁ ଅଧିକାରୀଙ୍କ ଦୟା ହେଲେ ଘର ଖଣ୍ଡେ ଦେବେ ନଚେତ ଏହି ଘରେ ଦୟନୀୟ ଅବସ୍ଥାରେ ଜୀବନ ଚାଲିଯିବ ବୋଲି କାନ୍ଦି କାନ୍ଦି ସୁବାସିନୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking