40.1 C
Bhubaneswar
Wednesday, April 24, 2024
Homeଓଡିଶାଦୁଇ ଭଉଣୀ ଉପରେ ପରିବାର ବୋଝ : ଭାଇର ଚିକିତ୍ସା ପାଇଁ ଆକୁଳ ନିବେଦନ

ଦୁଇ ଭଉଣୀ ଉପରେ ପରିବାର ବୋଝ : ଭାଇର ଚିକିତ୍ସା ପାଇଁ ଆକୁଳ ନିବେଦନ

ଫୁଲବାଣୀ : ଆର୍ଥିକ ସ୍ଥିତି ଭଲନଥିବା ଯୋଗୁଁ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଥିବା ବେଳେ ଜଣେ ମାତ୍ର ଭାଇର ଚିକତ୍ସା ମଧ୍ୟ ସମ୍ଭବ ହୋଇପାରୁନାହିଁ । ଫଳରେ ଏବେ ପରିବାରର ବୋଝ ସମ୍ଭାଳିବାକୁ ଅଣ୍ଟାଭିଡ଼ିଛନ୍ତି ଦୁଇ ଭଉଣୀ । ପରିସ୍ଥିତିରେ ପଡ଼ି ସେମାନେ ଅଧାରୁ ପାଠ ଛାଡ଼ି ଏବେ ପରିବାର ପୋଷଣ ଚିନ୍ତାରେ । ମା’ ସାମାନ୍ୟ ବିକୃତ ମାନସିକ । ବାପା ମୁଲ ମଜୁରି କରୁଥିଲେ ମଧ୍ୟ ନିଜ ସ୍ତ୍ରୀକୁ ଦେଖାଚାହାଁ କରିବା ସହିତ ଭେଣ୍ଡିଆ ପୁଅର ଦାୟିତ୍ୱ ନେବାରେ ଅଧିକ ସମୟ ଯାଉଛି ।

ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ୮ ନମ୍ବର ୱାର୍ଡ଼ର କାଚରା ସାହିରେ ବସବାସ କରୁଥିବା ଶଙ୍କର ମୁଖୀ ଜଣେ ଦିନ ମଜୁରିଆ । ପରିବାର କହିଲେ ସ୍ତ୍ରୀ ସୁଲୋଚନା ମୁଖୀ, ୫ ଝିଅ ଏବଂ ଏକମାତ୍ର ପୁଅ ରିତିକେସନ । ପିଲାଟି ବେଳୁ ରିତିକେସନହ ଆଖି ଠିକ୍‌ଥିଲା ବୋଲି କହିଛନ୍ତି ପରିବାର ଲୋକେ । କିନ୍ତୁ ବୟସ ବଢିଲା ସାଙ୍ଗକୁ ଆଖିର ଦୃଷ୍ଟିଶକ୍ତି ମଧ୍ୟ କମିବାରେ ଲାଗିଲା । ବର୍ତ୍ତମାନ ଗୋଟିଏ ଆଖି ସଂପୂର୍ଣ୍ଣ ଦୃଷ୍ଟିଶକ୍ତି ହରାଇଥିବା ବେଳେ ଅନ୍ୟଏକ ଆଖିରେ ସାମାନ୍ୟ ଦେଖାଯାଉଛି । କିନ୍ତୁ ସନ୍ଧ୍ୟା ହୋଇଗଲେ ସବୁ ଅନ୍ଧକାର । ଫଳରେ ବାପାଙ୍କ ସହିତ ମୁଲମଜୁରିରେ ସହଯୋଗ କରୁଥିବା ରିତିକେସନ ବର୍ତ୍ତମାନ ସଂପୂର୍ଣ୍ଣ ଗୃହବନ୍ଦୀ । ପୁଅର ଚିକିତ୍ସା କଥା ଚିନ୍ତା କରି କରି ମା’ ଏବେ ମାନସିକ ବିକୃତ ।

ବିଗତ ଦିନରେ ପୁଅର ଆଖି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଦେଖାଇଥିଲେ ମଧ୍ୟ ଡାକ୍ତର ବଡ଼ ଡାକ୍ତରଖାନାକୁ ଯାଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦେଇଥିଲେ ।  ତେବେ ଏଥିପାଇଁ ଅର୍ଥ ନଥିବାର ପରିବାର ଲୋକେ ବଡ଼ ଡାକ୍ତରଖାନାକୁ ଯାଇପାରି ନଥିଲେ । ଗତ ୨ ବର୍ଷ ହେଲା ସାହାଯ୍ୟ ଓ ସହଯୋଗ ପାଇଁ ପରିବାର ଅପେକ୍ଷା କରିଥିଲେ ମଧ୍ୟ କିଭଳି ପ୍ରଶାସନ ନିକଟରୁ ସହଯୋଗ ମିଳିବ ସେ ନେଇ ସେମାନେ ସଂପୂର୍ଣ୍ଣ ଅଜ୍ଞ । ପରିବାରର ଏପରି ଅବସ୍ଥା ଦେଖି ନିଜର ପାଠପଢା ଛାଡ଼ି ୨ ଭଉଣୀ ପରିବାରର ବୋଝ ଉଠାଇବାକୁ ଉଦ୍ୟମ କରିଛନ୍ତି । ଏ ହାଟରୁ ସେ ହାଟକୁ ବୁଲି ଚୁଡ଼ି ବ୍ୟବସାୟ କରି ଯାହା ରୋଜଗାର କରିଥା’ନ୍ତି ସେଥିରେ ପରିବାର ଚଳାଇଥା’ନ୍ତି । ମଝିରେ ମଝିରେ ବାପା ମୁଲଲାଗି ରୋଜଗାର କରି ଘର ଚଳାଇବାରେ ସହଯୋଗ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଉକ୍ତ ଗରିବ ପରିବାରର ଦୃଷ୍ଟିଶକ୍ତି ହରାଇଥିବା ପୁଅର ଚିକିତ୍ସା ପାଇଁ ପ୍ରଶାସନ ପକ୍ଷରୁ କୌଣସି ସହଯୋଗର ହାତ ବଢ଼ାଯାଇ ନାହିଁ । ପୁଅର ଚିକିତ୍ସା ପାଇଁ ନେହୁରା ହୋଇଛନ୍ତି ବାପା-ମାଆ ଓ ଭଉଣୀମାନେ । ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟିଦେଇ ପୁଅର ଆଖି ଚିକିତ୍ସା କରାଇବାରେ ସହଯୋଗ ପାଇଁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking