43.9 C
Bhubaneswar
Friday, April 19, 2024
Homeଓଡିଶା** କାଳୀ **

** କାଳୀ **

(ଭାରତର ପ୍ରଥମ ମହିଳା ଜଳସେନା ପାଇଲଟ ଶୁଭାଙ୍ଗି ସ୍ୱରୂପଙ୍କ ସ୍ମୃତିରେ ଲିଖିତ ଗଳ୍ପ )

-“ମୁହଁ କଳା ହେଲେ କଣ ହେଲା, ପିଲାତ ଭଲ ରୋଜଗାର କରୁଛିନା? ତୋତେ ନହେଲେ କିଏ ପସନ୍ଦ କରିବ? ତୁ ତ ନିଜେ କାଳି l”

ଝିଅଟିର ଯୋଗ୍ୟତା କଣ ଖାଲି ଏ ଚମଡା? ପ୍ରତ୍ୟେକଥର କଳା ଶବ୍ଦ ଶୁଣି କ୍ଷତାକ୍ତ ହେଉଥାଏ ଶୁଭାଙ୍ଗି l ବାପା,ବୋଉ ସେମିତି ନିରବଦ୍ରଷ୍ଟା ସାଜି ଭାଇର ଶାଣଦିଆ କଥାକୁ ସହନ କରୁଥାନ୍ତି l ସେ ନିଜେ କଣ କଳା ନୁହେଁ? ହେଲେ ପୁଅ କଳାହେଲେ କହନ୍ତି ସ୍ୱୟଂ ଭଗବାନ କୃଷ୍ଣ l ହେଲେ କନ୍ୟା ଗୋରାହେବା ଅପରିହାର୍ଯ୍ୟ l ଗୋରାରେବି ପ୍ରତିଯୋଗିତା କିଏ ଆଲିଆ ଭଟ୍ଟ ପରି ଗୋରାତ କିଏ ଫାଣ୍ଡୁରିଆ, ପୁଣି କହନ୍ତି ସେତେ ନୁହଁମ , କିନ୍ତୁ ପାଉଡର ମାଖି ଲାଇଟି ପଡିଲେ ଗୋରା l ଗୋରାରେବି ଡିଗ୍ରୀ l

ଭାରତରେ ଆଉକିଛି ବ୍ୟବସାୟ ଚାଲୁ ନଚାଲୁ ଫେୟାରନେସ କ୍ରୀମର ବେପାର କେବେ ମାନ୍ଦା ପଡ଼େନି l କିଏ ପନ୍ଦରଦିନରେ ତୋଫାଗୋରା କରି ଜାତକ ବଦଳେଇ ଦେବାର ଦାବି କରନ୍ତିତ, କିଏ ସପ୍ତାହକ ଭିତରେ ରଙ୍ଗ ନଫିଟିଲେ ପଇସା ଫେରେଇ ଦେବାର ଅଫର ଦିଅନ୍ତି l ଅଜାଣତରେ ଝିଅମାନେ ବିୟୁଟି କ୍ରୀମ ନାଁରେ ବ୍ଲିଚ ଆଉ ଅନ୍ୟସବୁ କ୍ୟାନ୍ସର କରାଉଥିବା ରାସାୟନିକ ପଦାର୍ଥଆଦି ସହିତ ବସ୍ତାବତା ଉପରେ ଲେପ ଉପରେ ଲେପ ଲଗାଇ ଘୋଡାଇଥାନ୍ତି l ଯଦି ବୈଜ୍ଞାନିକ କାରଣକୁ ଅନୁଧ୍ୟାନ କରାଯାଏ ତେବେ ଚମଡାରେ ଥିବା ମେଲାନିନ ନାମକ ଏକ ପଦାର୍ଥ ହିଁ ଏସବୁ ପାଇଁ ଦାୟୀ l

ଏହା ସୂର୍ଯ୍ୟଙ୍କ କ୍ଷତିକାରକ କିରଣରୁ ଆମ ଶରୀର ଭିତରେ ଥିବା ଅଙ୍ଗମାନଙ୍କ ସୁରକ୍ଷା ପାଇଁ ଏକ ରକ୍ଷାକବଚ ସଦୃଶ କାମ କରିଥାଏ l କର୍କଟ କ୍ରାନ୍ତି ଓ ବିଶୁଭରେଖା ନିକଟବର୍ତ୍ତୀ ସବୁ ଦେଶର ଲୋକ ମାନଙ୍କ ରଙ୍ଗ ସେଥିପାଇଁ ଉଣା ଅଧିକେ କଳା l ଏହା କାହାରି ପରିଚୟର ମାପକାଠି ହୋଇ ପାରେନା l ବରଂ ଏହା ଏକ ପ୍ରାକୃତିକ ଶକ୍ତି l କାହିଁକି ନିଜର ଅନ୍ୟସବୁ ମହନୀୟ ଗୁଣମାନ ଭୁଲି ଅକାରଣରେ ନିଜେ ହୀନମାନ୍ୟତାର ଶୀକର ହୋଇଯାନ୍ତି ଆମପରି ଝିଅମାନେ ? କାହିଁକି ଗୋରାହେଇଯିବାକୁ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ବୋଲି ଭାବି ଏତେ ବାଜେଖର୍ଚ୍ଚ ସବୁ କରନ୍ତି ? ହଁ ତା’ଦ୍ୱାରା କିଛି ଲୋକଙ୍କର ଲାଭ ହୋଇଥାଏ ପାର୍ଲର ଖୋଲି ପେଟପାଟଣା ଖର୍ଚ୍ଚ ତୁଲାଇବାରେ l

” ଦେଖିବ, ତମ ପାଇଁ ତ ଘୋଡାରେଚଢି ରାଜାପୁଅ ଆସିବଦିନେ” – କ୍ରୀଡା ଏବଂ ବିଦ୍ୟା- ସବୁଥିରେ ପାରଙ୍ଗମ ଶୁଭାଙ୍ଗି ଯେତେବେଳେ କଲେଜରୁ ମେଡାଲ ଉପରେ ମେଡାଲ ଆଣିକି ଆସେ, ଭାଉଜ କେତେ ଗେଲକରି କୁହନ୍ତି l ହେଲେ ବିବାହ ଉପଯୋଗୀ ହେଲାପରେ ପରିବାର ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଦିଏ l ଉଚ୍ଚଶିକ୍ଷା ପାଇଁ ପୁଅମାନଙ୍କୁ ମନସିକ ଓ ଅର୍ଥିକ ସ୍ତରରେ କର୍ତ୍ତବ୍ୟଭାବି ସାହାଯ୍ୟ କଲାବେଳେ ଝିଅମାନଙ୍କୁ ମିଳେ କେବଳ ଚିକ୍କଣକଥା ଏବଂ ଘରକାମରେ ନିପୁଣ ହେବାର ଶିକ୍ଷା l ଆମର ଏ ପିତୃକୈନ୍ଦ୍ରିକ ସମାଜରେ ବହୁତକ୍ଷେତ୍ରରେ ଦେଖାଯାଏ ,ଝିଅ ମାନଙ୍କୁ ଚିକ୍କଣ କଥାରେ ସନ୍ତୁଷ୍ଟ କରି ଥିଲେବି କାମ ସବୁବେଳେ ପୁଅମାନଙ୍କୁ ସୁହାଇବା ପରି l

ବାପ ଭାଇ ନିଜଯୋଗ୍ୟତା ମୁତାବକ ବନ୍ଧୁଘର , ନିଜସୁବିଧା ମୁତାବକ ଖର୍ଚ୍ଚ, ନିଜର ସାମାଜିକ ପ୍ରତିଷ୍ଠା, ନିଜ ସମ୍ମାନ, ନିଜଇଛା ମୁତାବକ ପିଲା ଠିକ କରନ୍ତି l ତେଣିକି ହୋମନିଆଁ ସାଥେ ପାଉଁଶ ହୋଇଯାଉ ଝିଅର ଅସ୍ପଷ୍ଟସ୍ୱପ୍ନ ସବୁ l କେବଳ ସେତିକି ନୁହେଁ, ଝିଅମାନେ ନିଜେବାଛି ବିବାହ କରି ପରେ ଅସୁବିଧାରେ ପଡିଲେ ସେ ନିଜ କୁକର୍ମ ପାଇଁ ନିଜେ ଦାୟୀ ବୋଲି କୁହାଯାଏ l ହେଲେ ବାପାମାଙ୍କ ଇଛାରେ ବିବାହ କରି ପରେ ପାରିବାରିକ ହିଂସାର ଶୀକର ହେଲେ ତାହା ତା ଭାଗ୍ୟ ବୋଲି ମାନିନିଆଯାଏ l ଶୁଭକାର୍ଯ୍ୟରେ ଅତିଥି ମାନଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟି ଯାଆନ୍ତି ଏ କଳାବର୍ଣ ନାରୀମାନେ l ଶିବାନୀ ଜନ୍ମ ହେଲାତ, ଜେଜେମା କୁଆଡେ କାନ୍ଦି କାନ୍ଦି ଦୁଇଦିନ ଖାଇବା ଛାଡି କତରା ଲାଗି ପଡିଥିଲା l ଏକେ ତ ଝିଅ, ତା ଉପରେ କାଳି l

“ଆଲୋ କାଳ, ଆଲୋ ନିଆଁ, ଆଲୋ ଚୁଲି, ଲୋ ପାଉଁଶ କହି ଜେଜେମା ବୁଢ଼ୀ ଓଟାରିହେଇ କେତେ ସମ୍ପୂଥାଏ କଥା କଥାରେ l କଟା ଘା’ ରେ ଚୂନମାରିଲା ପରି ଚାଇଁ ଚାଇଁ କରି କଥା ଗୁଡା ଗଳି ଯାଉଥାଏ ଛାତିରେ l ଦିବର୍ଷ ହେଲା ବୁଢ଼ୀ ପାର ହେଲା ପରେ ତା ରଡିରୁ ମୁକ୍ତି ମିଳିଛି ଟିକେଯେ, ଏ କଂସ ପରି ଭାଇ ଖଣ୍ଡକ ତା ଉପରେ ଦାଉ ସାଧୁଛି l ପୁରା ଜେଜେମା’ର ନୂତନ ସଂସ୍କରଣ l ଯାତ୍ରାପାର୍ଟିରେ ଯମ / କୁମ୍ଭକର୍ଣ୍ଣ /ମହିଷାସୁର ରୋଲ ପାଇଁ ଫିଟ ଗୋଟେ ପ୍ରାପ୍ତବୟସ୍କ ଲୋକକୁ ଗଲା ଦିଘଡି ହେଲାଣି ଆପ୍ୟାୟିତ କରିବାରେ ଲାଗିଛି, କିପରି ତା ନିଜ ବୋଝ ପରି ଭଉଣୀକୁ ସେ ରାକ୍ଷସ ଉପରେ ଲଦିଦେବ l

ଭଲପାଇ ବାହାହେବାର ବି ସାହସ ନାହିଁ l ଗରିବ ମଧ୍ୟବିତ୍ତ ପରିବାର ର ଝିଅ ଗୋଟେ କଣ ଭଲ ପାଇବ? ଭଲ ପାଇବାର ଅଛିତ, ବାପା ମା, ଭାଇ, ଭଉଣୀ, କାକା, ଖୁଡି ମାମୁଁ, ମାଇଁ, ଅତି ବେଶୀରେ ଠାକୁର ଏମାନେ ପରିବାର ରେ କଣ କମ ପଡୁଛନ୍ତି ଯେ ଆହୁରି ଭଲପାଇବା ବଳୁଛି ? ଶୁଭାଙ୍ଗୀ ର ମନତଳେ ଚିତ୍ତଳ ମାଛପରି ସର ସର କରି ପହଁରୁଥିବା ଚିନ୍ତାସବୁକୁ ତା ପାଣିଚିଆ ଆଖିର ସରୋବର ଭିତରୁ ସ୍ପଷ୍ଟ ବାରି ପାରୁ ଥାନ୍ତି ତା ବୋଉ l ଡ୍ରେସିଂଟେବଲ ଆଗରେ ଭାଉଜ ତାକୁ ସଜ କରୁ କରୁ ଚାଲି ଯାଇଥଲେ ଚାହା ଜଳଖିଆ ବନେଇବା ଉଦ୍ଦେଶ୍ୟରେ l ଟିଭିରେ ନାଚୁଥାଏ କରିନା କପୁର l

ତା’ପଛରେ ରଙ୍ଗରୂପରେ କମ ଥିବା ଡ୍lନ୍ସର ମାନଙ୍କୁ ଦେଖି -” ବୋଉ, ବଡବାପା ତାଙ୍କ ଝିଅ ମାନଙ୍କପାଇଁ ବରଠିକ କଲାବେଳେ କାହିଁକି ସବୁଥର ମୋତେ ତାଙ୍କ ଝିଅ ମାନଙ୍କ ସାଙ୍ଗରେ ପଠାନ୍ତି? ସେମାନଙ୍କୁ ଅପେକ୍ଷାକୃତ ଅଧିକ ସୁନ୍ଦରୀ ବୋଲି ପାରସିଵା ପାଇଁ ନା? ଫିକା ରଙ୍ଗ ସଙ୍ଗେ ଧଳାର ମହିମା ଆହୁରି ବଢ଼ି ଚକ ଚକ ଦେଖାଯାଏ ନା? ” ତୁମେମାନେ କଣ କିଏବି ମୋ ଭାବନାକୁ ବୁଝି ପାରୁନ, ନା ବୁଝି ନ ବୁଝିବାକୁ ଚେଷ୍ଟା କରୁଛ? ମୁଁ ବାହାହେବାକୁ ଚାହେଁନି ବୋଉ, ଆଗକୁ ପଢିବାକୁ ଚାହେଁ l ବୋଉ ଛାତିରେ ନିଜ ଅଲିଅଳି ଝିଅକୁ ଜାକି ପକଉ ଥାଏ l

– ” ତୋ କଥା ମୁଁ ବୁଝିନି ତ କିଏ ବୁଝିଛି? ପିଲାବେଳେ ତୁ ଭଲରେ କଥା କହି ଶିଖିନଥିଲୁ ଯେତେବେଳେ ଦିନେ” ଯିବା” “ଯିବା”କହି ଆତୁର ହେଉଥିଲୁ l କିଏ ବୁଝି ପାରୁନଥିଲେ l ତୋ ବାପା ତୋତେ ହଁ ଯିବା, କହି କେତେ ଆଡେ ବୁଲାଇ ଆଣିଥିଲେ l ହେଲେ ତୁ ସେମିତି କାନ୍ଦୁଥାଉ l ମୁଁ ଠିକ ଜାଣି ପାରିଥିଲି ଯେ ତୁ ପଶୁଟିର ନାମ ଉଚ୍ଚାରଣ କରି ଖେଳନା ଜୀବ୍ରା ମାଗୁଛୁ ବୋଲି l
(ହସି ହସି ଶୁଭାଙ୍ଗୀର ମୁଣ୍ଡ ଆଉଁସି ଦେଉ ଦେଉ….) ତୁ ସେମିତି କାହିଁକି ଭାବୁଚୁରେ ଧନ? ଭଗବାନଙ୍କ ସୃଷ୍ଟି ରେ କେହିବି ଅସୁନ୍ଦର ନୁହେଁ l ତୁ ତ ଆମ ବଂଶର ସମ୍ମାନ l ଆମ ଝିଅ ଭଲପଢ଼େ ବୋଲି ସେମାନଙ୍କୁ ଜଣାଇବା ପାଇଁ ଏସବୁ କରାଯାଏ l

– “ମିଛ, ପୁଣି ସେହି ପ୍ରବୋଧନା l ତୁମେମାନେ ବାହାଘର ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଶାଢ଼ୀ, ଗହଣା, ରୋଷଣୀ, ଦିଆନିଆରେ ଖର୍ଚ୍ଚ କରିଦେବାକୁ ଆଗଭର, ଅଥଚ ମୋ ପାଠ ପଢାପଢିରେ ଖର୍ଚ୍ଚ କରି ମୋତେ ସ୍ୱାବଲମ୍ବୀ ହେବାକୁ ଏବଂ ମନଜାଣି ନିଜ ସାଥିଟିଏ ନିଜେ ବାଛିନେବାକୁ ଦେବନାହିଁ ….” ଏହା ଭିତରେ ଡାକଵାଲା ଚିଠିଟିଏ ଆଣି ଆସିଥାଏ l

– ” ଶୁଭାଙ୍ଗୀ ଠିକ କହୁଛନ୍ତି ବୋଉ l ତାଙ୍କ ପରି ଝିଅର ସ୍ଥାନ ରୋଷେଇ ଘରର ସୀମିତ ବଳୟ ମଧ୍ୟରେ ନୁହେଁ ବାରଂ ମୁକ୍ତପକ୍ଷୀଟିଏ ପରି ଦୂର ଆକାଶର ନୀଳିମା ମଧ୍ୟରେ ନିଜ ଡେଣା ବିସ୍ତାର କରିବାପାଇଁ l ଏଇ ଦେଖ, ତାଙ୍କୁ ଇଣ୍ଡିଆନ ଆୟାରଫୋର୍ସ ପାଇଲଟ ଟ୍ରେନିଂ ପାଇଁ ଆମନ୍ତ୍ରଣ କରିଛି l ଆମ ମାନଙ୍କ ପରି ଶିବାନୀକୁ ନିଜ ସ୍ୱପ୍ନକୁ ଦଳି ଚକଟି ଫିଙ୍ଗିବାକୁ ଦେବନି ବୋଉ l ତାଙ୍କୁ ଯିବାପାଇଁ ଦିଅ l”

– “ହେଲେ ତା ବାପା, ଭାଇ ବିରୋଧ କରିବେ “- ତୁ କଣ ଜାଣିନୁ ପରେ କଣ ହବ?”
– “ପରେ ମୁଁ ସବୁ ସମ୍ଭାଳି ଦେବି” l ଶାଶୁଙ୍କୁ ସନ୍ତୁନାଦେଇ ଆଲମାରୀରୁ ବାହାଘର ପାଇଁ ବ୍ୟାଙ୍କରୁ ଆସିଥିବା ମୋଟା ମୋଟା ତିନୋଟି ବିଡାରୁ ଯୋଡିଏ ପର୍ସରେ ପୁରାଇ, ଆବଶ୍ୟକ ସାମଗ୍ରୀସହ ମା ଆଉ ଭାଉଜ ଶୁଭାଙ୍ଗୀଙ୍କୁ ଘରୁ ପଳାଇଯିବାପାଇଁ ସାହାଯ୍ୟ କରିଥିଲେ l ପରେ ସେ ଇଣ୍ଡିଆନ ନେଭୀର ପ୍ରଥମ ଲେଡି ପାଇଲଟ ହେବାର ଖ୍ୟାତି ଅର୍ଜନ କରିଥିଲେ l

ଆମ ସମାଜରେ ଝିଅ ମାନଙ୍କୁ ନେଇ ଚିନ୍ତାଧାରାରେ ବିପ୍ଳବାତ୍ମକ ପରିବର୍ତ୍ତନ ଆସିବା ନିହାତି ଦରକାର l ସ୍ତ୍ରୀଲୋକଙ୍କ ଦୁଃଖ ସ୍ତ୍ରୀ ମାନେହିଁ ବୁଝି ପାରନ୍ତି l ଶିବାନୀର ଦୁଃଖ ବୁଝି ତା’ ବୋଉ ଏବଂ ଭାଉଜ ତା ସଙ୍ଗେ ଠିଆ ହୋଇଥିଲେ ବୋଲି ଭାରତ ବର୍ଷରେ ଏକ ଗୌରବମୟ ଅଧ୍ୟାୟ ଟି ଯୋଡାଗଲା l ଆଜି ଆମେମାନେ ଆତ୍ମ ଅନୁଶୀଳନ କରିବା ଦରକାର ଯେ ଆମଘରେ କେଉଁଠି ଝିଅକିଏ ଅବୁଝା ରହି ଯାଉନି ତ?

                                                                                                                     ଗାର୍ଗୀ ମିଶ୍ର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking