37.1 C
Bhubaneswar
Friday, May 20, 2022
Homeଓଡିଶାଶୀତଳ ଭଣ୍ଡାରରେ ଲାଣ୍ଡିମୁଣ୍ଡି ପାହାଡରେ ବିସ୍ଫୋରଣ ଘଟଣା

ଶୀତଳ ଭଣ୍ଡାରରେ ଲାଣ୍ଡିମୁଣ୍ଡି ପାହାଡରେ ବିସ୍ଫୋରଣ ଘଟଣା

କଳାହାଣ୍ଡି :  କଳାହାଣ୍ଡି ଜିଲ୍ଲାରେ ବେଆଇନ ପଥର ଓ ବାଲି ଚୋରାଚାଲାଣ କାରବାର ଯୋରଦାର ଚାଲିଥିବା ଅଭିଯୋଗ ହେଉଛି । ଧର୍ମଗଡ ଉପଖଣ୍ଡର ପ୍ରାୟ ସମସ୍ତ ତହସିଲ ଅଂଚଳରେ ଲଗାମଛଡା ଭାବରେ ଅନେକ ପଥର ଖାଦାନରେ ସରକାରୀ ପଦାଧିକାରୀଙ୍କ ଆଖିରେ ଧୂଳି ଦେଇ ପଥର ଓ ବାଲି ଚୋରା ଚାଲାଣ ହେଉଥିବା ପ୍ରାୟତଃ ପ୍ରତ୍ୟହ ଅଭିଯୋଗମାନ ହେଉଛି । ହାତୀନଦୀ ଓ ତେଲ ନଦୀରୁ ପ୍ରାୟତଃ ବାଲି ମାଫିଆମାନେ ପୋକଲିନ ମେସିନ ଲଗାଇ ବ୍ରିଜ ପାଶ୍ୱର୍ରେ ବାଲି ଡିପୋ କରି ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ସେହିପରି ବିଭିନ୍ନ ପଥର ଖାଦାନରୁ ବେଆଇନ ଭାବେ ପଥର ଉତୋଳନ କରାଯାଇ ଚାଲାଣ କରାଯାଉଥିବା ବେଳେ ସରକାରୀ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଥିବା ସାଧାରଣରେ ଆଲୋଚନା ହେଉଛି ।

ଗତ ମାସ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ତାଗିଦ ପରେ ସମସ୍ତ ତହସିଲରେ ବିଭିନ୍ନ ପଥର ଖାଦାନ ମାନଙ୍କରେ ଚଢଉ କରାଯାଇ କେତେକ ଖାଦାନ ସିଲ କରାଯାଇଥିବା ବେଳେ ଗୋଲାମୁଣ୍ଡା ଅଂଚଳରେ ବେଆଇନ ଭାବେ ଚାଲିଥିବା ବୈଜଳପୁରସ୍ଥିତ ପଥର କ୍ରସରକୁ ସିଲ କରାଯାଇଥିବା ବେଳେ ଜୁନାଗଡ ତହସିଲ ଅଂଚଳରେ ବେଆଇନ ଭାବେ ଚାଲିଥିବା କାଲୋପଲାସ୍ଥ ପଥର ଖାଦାନକୁ ସିଲ କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ କୋକସରା ଓ ଜୟପାଟଣା ତହସିଲ ଅଂଚଳରେ ବେଆଇନ ଭାବେ ପଥର ଖାଦାନ ଗୁଡିକ ଚାଲିଥିବା ବେଳେ ସେସବୁ ପ୍ରତି ବିଭାଗ ପକ୍ଷରୁ କଡା ପଦକ୍ଷେପ ନିଆଯାଉ ନାହିଁ । କୋକସରା ତହସିଲ କାଶୀବାହାଲ ସୀମାରେ ଥିବା ଜୟପାଟଣା ତହସିଲର ମୋତୁଆଲଗୁଡା ଲାଣ୍ଡିମୁଣ୍ଡି ପାହାଡରେ ଗତବର୍ଷ ୨୦୧୯ ଦୀପାବଳି ପାଖାପାଖି ବେଆଇନ ପଥର ଖାଦାନ ଚାଲିଥିବା ବେଳେ ସେଠାରେ ପଥର ମାଫିଆମାନେ ସମଗ୍ର ଲାଣ୍ଡିମୁଣ୍ଡି ପାହାଡକୁ ଦୋହଲାଇ ଦେଲା ଭଲି ପ୍ରଚଣ୍ଡ ଶକ୍ତିଶାଳୀ ବିସ୍ଫୋରଣ କରି ଦେଇଥିବା ବେଳେ ଆଖପାଖ ଅଂଚଳରେ ଭୂମିକମ୍ପ ଭଲି ଅନୁଭବ କରି ଜନସାଧାରଣରେ ଜୟପାଟଣା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ସେ ସଂପର୍କରେ ଜୟପାଟନା ଥାନାରେ  ବିସ୍ଫୋରଣ ଆଇନ ୧୯୦୮ ଧାରା ୩ ଓ ୪ ଅନୁସାରେ କ୍ରସର ମାଲିକ ମୁକେଶ ଅଗ୍ରୱାଲ ଓ ସହେଯାଗୀ ଶମ୍ଭୁ ପଣ୍ଡାଙ୍କ ନାମରେ ଅଭିଯୋଗ ହୋଇଥିଲା । ସରଜମିନ ତଦନ୍ତରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିବା ବିଷୟ ସଂପୃକ୍ତ ତଦନ୍ତକାରୀ ଅଫିସର ଜାଣିବାକୁ ପାଇଥିବା ପ୍ରକାଶ । ହେଲେ ସଂପୃକ୍ତ ଘଟଣା ଏବେ ଶୀତଳ ଭଣ୍ଡାରରେ ପଡିରହିଥିବା ସାଧାରଣରେ ଆଲୋଚନା ହେଉଛି ।

ସେହିପରି କୋକସରା ତହସିଲ ଅନ୍ତର୍ଗତ ପୋଲକା ଡଙ୍ଗରୀ ଓ ଡୋକରୀ ଡଙ୍ଗରିରୁ ବେଆଇନ ଭାବେ ପଥର ଚାଲାଣ ହେଉଥିବା ଅଭିଯୋଗ ହେଉଛି । କୋକସରା ତହସିଲ କାଶୀବାହାଲ ମୌଜାର ପ୍ଲଟ ନଂ.୧୪୪୨, ୧୪୪୫,୧୪୪୬ରେ ଥିବା ପୋଲକା ଡଙ୍ଗରୀରୁ ଏବଂ ପ୍ଲଟ ନଂ. ୧୩୫୩,୧୩୫୪ ଓ ୧ ନମ୍ବର ସ୍ଥିତ ଡୋକରୀ ଡଙ୍ଗରରୁ ବେଆଇନ ଭାବରେ ପଥର ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି । ଏହି ଡୋକରୀ ଡଙ୍ଗରୀର ଉତର ପାଶ୍ୱର୍ରେ ଥିବା ପାହାଡକୁ ପଥର ମାଫିଆମାନେ ବିଭିନ୍ନ ଉପାୟରେ ପଥର ଚାଲାଣ କରି ଡଙ୍ଗରୀକୁ ସମତଳ କରିସାରିଦେଇଥିବା ବେଳେ ତାହା ବିଭାଗୀୟଙ୍କ ଦୃଷ୍ଟିକୁ ଆସିନଥିବା ଜଣାପଡିଛି । ଏସଂପର୍କରେ କୋକସରା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ କାଶୀବାହାଲ ଆରଆଇଙ୍କୁ ପଠାଇ ତଦନ୍ତ କରିଥିବା ଜଣାପଡିଛି । ହେଲେ ଏକ ବଡ ପାହାଡକୁ ପଥର ଫଟାଇ ସମତଳ କରିଦେଇଥିବା ବେଳେ ତାହା ଦୀର୍ଘବର୍ଷ ତମାମ କିପରି ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିପାରିନାହିଁ ତାହା ସାଧାରଣରେ ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି । ଅନ୍ୟପକ୍ଷରେ ଏସବୁ ଅଂଚଳରେ ବେଆଇନ ପଥର ଚାଲାଣ କରୁଥିବା ପଥର ମାଫିଆମାନେ ଶକ୍ତିଶାଳି ହୋଇଥିବା ବେଳେ ପ୍ରଭାବଶାଳି ବ୍ୟକ୍ତିମାନଙ୍କ ଛତ୍ରଛାୟା ତଳେ ରହୁଥିବା ହେତୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୀତଳ ଭଣ୍ଡାରରେ ରହିଯାଉଥିବା ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking