28.1 C
Bhubaneswar
Thursday, March 28, 2024
Homeଅପରାଧଦିନ ଦ୍ଵିପହରରେ ଡାକ୍ତରଙ୍କ ଘରୁ ନୂଆ ଷ୍ଟାଇଲରେ ଲୁଟ

ଦିନ ଦ୍ଵିପହରରେ ଡାକ୍ତରଙ୍କ ଘରୁ ନୂଆ ଷ୍ଟାଇଲରେ ଲୁଟ

 ।

 କଳାହାଣ୍ଡି : ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତକେଲା ନିବାସୀ ଡାକ୍ତର ରଶ୍ମିତା ମିଶ୍ର ରହୁଥିବା ଭଡା ଘରକୁ ରୋଗୀ ସାଜି ଜନୈକ ଯୁବକ ଦେହ ଅସୁସ୍ଥ ଅଛି କହି କାକୁତି ମିନତି ହେବା ପରେ ଡାକ୍ତର ରଶ୍ମିତା ତାକୁ କୋଭିଡ ହୋଇଥିବା ସନ୍ଦେହ କରି ଡ଼ାକ୍ତରଖାନା ଯିବାକୁ କହିଥିଲେ । ସେହି ବ୍ୟକ୍ତି ଜଣକ କିଛି ସମୟ ବସିବା ପରେ ପାଣି ପିଇବାକୁ ମାଗିଥିଲେ, ଡାକ୍ତର ରଶ୍ମିତା ରୋଷେଇ ଘରକୁ ପାଣି ଆଣିବା ପାଇଁ ଯିବା ପରେ, କୌଶଳ କ୍ରମେ ସେହି ଯୁବକ ଜଣକ ଘର ଭିତରକୁ ପଶି ଡାକ୍ତର ରଶ୍ମିତାଙ୍କ ମୁଣ୍ଡରେ ବନ୍ଧୁକ ରଖି ଜୀବନରୁ ମରିଦେବା ଧମକ ଦେବା ସହିତ, ଡାକ୍ତର ରଶ୍ମିତା ପିନ୍ଧିଥିବା ସମସ୍ତ ଅଳଙ୍କାର କାଢ଼ି ନେଇଥିଲା । ପରେ ଆଲମାରିରୁ ଅନ୍ୟାନ୍ୟ ଗହଣା ସହିତ ବ୍ୟାଙ୍କ ଏଟିଏମ କାର୍ଡ ମଧ୍ୟ ନେଇଯାଇଥିଲା ।

ଘରୁ ବହାରିଯିବା ସମୟରେ ଚିତ୍କାର କଲେ କିମ୍ବା କାହାକୁ ଏହା ସମ୍ପର୍କରେ ଖବର ଦେଲେ, ପୁଅ ଓ ତାଙ୍କୁ ଗୁଳି କରି ମରିଦେବ ବୋଲି ଯୁବକ ଜଣକ ଧମକ ଦେଇଥିଲା । ତେବେ ଯୁବକ ଜଣକ ଲୁଟମାର ଏତେ ଚତୁରତାର ସହିତ କରିଥିଲା ଯେ, ତଳ ମହଲାରେ ଥିବା ଘର ମାଲିକ କିମ୍ବା ତାଙ୍କ ପରିବାର ବର୍ଗ ଟେର ମଧ୍ୟ ପାଇ ନଥିଲେ । ସମ୍ପୃକ୍ତ ଯୁବକ ଜଣକ ଘରୁ ବାହାରି ଯିବା ସମୟରେ ଡାକ୍ତର ରଶ୍ମିତାଙ୍କ ଚିତ୍କାର ଶୁଣି ଆଖ ପାଖ ଲୋକ ରୁଣ୍ଡ ହେବା ଦେଖି, ସେହି ଯୁବକ ଜଣକ ଚାଷ ଜମି ଦେଇ ଦୌଡ଼ି ପଳେଇ ଯାଇଥିଲା ।

ଏହି ଘଟଣା ଘଟାଇବା ପରେ ଅପରାହ୍ନ ୫ ଟା ସମୟରେ, ଉତକେଲା ଗ୍ରାମର ବଙ୍ଗଳା ଛକ ଠାରେ ବନ୍ଧୁକ ଦେଖାଇ ବିଭିନ୍ନ ଗାଡିକୁ ଅଟକାଇବାକୁ ଚେଷ୍ଟା କରୁଥିଲା, ଏହା ଦେଖି କିଛି କାର ଚାଳକ ଖସି ପଳେଇ ଥିଲେ ମଧ୍ୟ ଯୁବକଙ୍କ ଫାଶରେ ପଡ଼ିଥିଲେ ଭବାନୀପାଟଣା ବଜ଼ାରପଡ଼ା ନିବାସୀ ମହମ୍ମଦ ଅଜିଜ ଓ ତାଙ୍କ ମା ଆଜିମାନ ବେଗମ । ବନ୍ଧୁକ ମୁନରେ ଉଭୟଙ୍କୁ ଗାଡ଼ିରେ ଓଲ୍ହାଇବା ପାଇଁ କହି ଧମକ ଦେଇଥିଲା ଦୁର୍ବୃତ୍ତ, ଜୀବନ ଭୟରେ ଗାଡି ଦେଇ ଦେଇଥିଲେ ଅଜିଜ । ତେବେ ଗାଡିଟିକୁ ଧରି ସେହି ସ୍ଥାନରୁ ଚମ୍ପଟ ମାରିବା ସମୟର ଦୃଶ୍ୟ କିଛି ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଅଧଘଣ୍ଟା ସମୟ ମଧ୍ୟରେ ଦୁଇ ଦୁଇ ଘଟଣା ଘଟାଇଥିଲେ ମଧ୍ୟ କେହି ସୂଚନା ପାଇ ନଥିବା ବେଳେ ଏହି ଅଞ୍ଚଳର ସମସ୍ତଙ୍କ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି, କାରଣ ଅପରାହ୍ନ ସମୟରେ ଅନେକ ମହିଳା ଶିକ୍ଷୟିତ୍ରୀ ନିଜ କାମ ସାରି ଦୁଇ ଚକିଆ ଯାନରେ କେସିଙ୍ଗାରୁ ଭବାନୀପାଟଣା ସ୍ଥିତ ନିଜ ନିଜ ଘରକୁ ଫେରିଥାନ୍ତି ।

କେସିଙ୍ଗା ଥାନାଧିକାରୀ ଅଶୋକ କୁମାର ମହାପାତ୍ର, ଏ ନେଇ ଦୁଇଟି ପୃଥକ ମାମଲା ରୁଜୁ କରିବା ସହିତ, ଘଟଣା ସ୍ଥଳ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଥିବା ବେଳେ, ଭବାନୀପାଟଣା ଏସଡିପିଓ ଶ୍ରୀ ରମେଶ ଚନ୍ଦ୍ର ସେଠୀ ପ୍ରତ୍ୟକ୍ଷ ଭାବେ ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ରାସ୍ତାରେ ଅନେକ ସମୟରେ ଏଭଳି ଘଟଣା ନଜରକୁ ଆସୁଥିବା ଯୋଗୁଁ ଲୋକେ ଏହି ମାର୍ଗରେ ଯାତାୟାତ କରିବା ପାଇଁ ଅସୁରକ୍ଷିତ ମଣୁଛନ୍ତି, ତେଣୁ ପୋଲିସ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ପାଇଁ ଜନସାଧାରଣରେ ଦାବି ହେଉଛି ।

– ସୁନିଲ କୁମାର ମୁଣ୍ଡଙ୍କ ରିପୋର୍ଟ 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking